ତେନ୍ତୁଳୀଖୁଣ୍ଟି, ୧୪/୮/୨୦୨୬:(ଶେଖର ଖୁରା ):ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ଗ୍ରାମରେ AgriStack IDକୁ ନେଇ ଅଞ୍ଚଳର ଚାଷୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଚାଷୀମାନେ AgriStack ID ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ନିଜମାନଙ୍କ ଆଶଙ୍କା ଓ ସମସ୍ୟା ଉପସ୍ଥାପନ କରିଥିଲେ।
ଚାଷୀମାନଙ୍କ କହିବା ଅନୁଯାୟୀ, ଅଞ୍ଚଳର ବହୁ ଆଦିବାସୀ, ଦଳିତ, ପଛୁଆ ଓ ସାଧାରଣ ବର୍ଗର ପରିବାର ଦୀର୍ଘଦିନ ଧରି ଜମି ଚାଷ କରିଆସୁଛନ୍ତି। କିନ୍ତୁ ଅନେକ ଜମିର ପଟ୍ଟା ଏବେ ମଧ୍ୟ ଚାଷୀଙ୍କ ନିଜ ନାମରେ ନଥାଇ ଅଜା, ଆଇ, ବାପା କିମ୍ବା ପୂର୍ବପୁରୁଷଙ୍କ ନାମରେ ରହିଛି। ଏଭଳି ସ୍ଥିତିରେ ଜମି ରେକର୍ଡ ଓ ଚାଷୀଙ୍କ ପଞ୍ଜୀକରଣକୁ ନେଇ ଭବିଷ୍ୟତରେ ସମସ୍ୟା ଉପୁଜିବାର ଆଶଙ୍କା ଚାଷୀମାନେ ପ୍ରକାଶ କରିଛନ୍ତି।


ଚାଷୀମାନେ ଆହୁରି କହିଛନ୍ତି ଯେ, ଏହି ଜମି ସମ୍ପର୍କିତ ସମସ୍ୟାକୁ ହଠାତ୍ ପରିବର୍ତ୍ତନ କିମ୍ବା କଠୋର ଭାବେ ଲାଗୁ କରାଗଲେ ପରିବାର ଓ ଜମି ଅଧିକାରକୁ ନେଇ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି। ବର୍ତ୍ତମାନ ଯେପରି ଚାଷୀମାନେ ନିଜ ନିଜ ଜମିରେ ଚାଷ କରି ଶାନ୍ତିରେ ରହୁଛନ୍ତି, ସେହି ବ୍ୟବସ୍ଥାକୁ ବଜାୟ ରଖିବା ସହ ଚାଷୀମାନଙ୍କ ସମସ୍ୟାର ସମାଧାନ କରି ପଞ୍ଜୀକରଣର ସୁଯୋଗ ଦେବାକୁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି।
ବୈଠକରେ ଚାଷୀ ଓ ସମାଜସେବୀ ନାରାୟଣ ପାତ୍ର, ପ୍ରହ୍ଲାଦ ହିଆଲ, ବସନ୍ତ ପାଣିଗ୍ରାହୀ, ଅଖିଳ ଭତ୍ରା, କିଶୋର ସିଂ, ଭାସ୍କର ଖୁରା, ମନମୋହନ ଦଳପତି, ଧୂରେନ୍ଦ୍ର ମହାପାତ୍ର, କୃଷ୍ଣ ପାଡ଼ି, ବିଜୟୀ କର୍କରା, ଦୁଲୋବ ଗୌଡ଼, ଭୀମ ପାଣିଗ୍ରାହୀ, ହେମନ୍ତ ଜାନି, ଲୁକୁ ନାଥ ପୁଜାରୀ, ନୀଳ ବାଘ, ରୁନୁ ପାଣି. ଅନୁରଞ୍ଜନ ହିଆଲ,ଗ୍ରେସୀ ମଣି ଖୁରା, କୁମର ପାତ୍ର, ଦୁଆରିକା ମହାପାତ୍ର,ଓ ବନମାଳୀ ଜାନୀଙ୍କ ସମେତ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ।
AgriStack ID ପ୍ରସଙ୍ଗରେ ସରକାର ଚାଷୀମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସ୍ପଷ୍ଟ ସମାଧାନ ନ କଲେ ଆଗାମୀ ଦିନରେ ଚାଷୀମାନେ ଏକତ୍ରିତ ହୋଇ ନିଜ ଅଧିକାର ପାଇଁ ଗଣତାନ୍ତ୍ରିକ ଭାବେ ଆନ୍ଦୋଳନ କରିବେ ବୋଲି ବୈଠକରେ ଚେତାବନୀ ଦିଆଯାଇଛି।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l