ନବରଙ୍ଗପୁର, ୧୧ ଅକ୍ଟୋବର (ଶେଖର ଖୁରା): ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ (ଓଷ୍ଟା), ନବରଙ୍ଗପୁର ଜିଲ୍ଲା ଶାଖାର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅକ୍ଟୋବର ୧୧ ତାରିଖରେ ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମୋକିଆସ୍ଥିତ ଶଶିରେଖା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜିଲ୍ଲାର ଶତାଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦେଇଥିଲେ। ଏହି ଅବସରରେ ଜିଲ୍ଲା ଓଷ୍ଟାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।
ସମ୍ମିଳନୀରେ ରାଜ୍ୟ ଓଷ୍ଟାର କୋଷାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଆଶୁତୋଷ ରଥ ଓ ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ରଥ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସମ୍ପାଦକ ଶ୍ରୀ ମିହିର କାନ୍ତି ଢାଲିଙ୍କ ଆହ୍ୱାନକ୍ରମେ ଜିଲ୍ଲା ସଭାପତି ଶ୍ରୀ ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଉପସଭାପତି ଶ୍ରୀ ଅରୁଣ କୁମାର ବଳ ଓ ରାଜ୍ୟ ସହସମ୍ପାଦକ (ଶିକ୍ଷାପ୍ରଦୀପ) ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ପ୍ରଥମ ଅଧିବେଶନରେ “ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଆମେ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଆଶୁତୋଷ ରଥ, ଜିଲ୍ଲା ସ୍କାଉଟ୍ ଓ ଗାଇଡ୍ କମିଶନର ତଥା ଅଧ୍ୟକ୍ଷ ଶ୍ରୀ ପବିତ୍ର ହାଲଦାର ଓ ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ରଥ ଆଲୋଚନାରେ ଭାଗ ନେଇଥିଲେ। ଶ୍ରୀ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ମିଳନୀରେ ନୂତନ ଜିଲ୍ଲା କର୍ମକର୍ତ୍ତା ଚୟନ କରାଯାଇଥିଲା। ପୂର୍ବତନ ସଭାପତି ଶ୍ରୀ ବଂଶୀଧର ଭୂୟାଁ ଚାକିରିରୁ ଅବସର ଗ୍ରହଣ କରିଥିବା ଏବଂ ପୁରାତନ କମିଟିର କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂତନ କମିଟି ଗଠନ କରାଯାଇଥିଲା।
ନୂତନ ସଭାପତି ଭାବେ ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର କର୍କରା ମନୋନୀତ ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଦେବାଶିଷ ନନ୍ଦୀ ଏବଂ ଉପସଭାପତି ଭାବେ ଶ୍ରୀ ଶରତ କୁମାର ଗିରି, ଶ୍ରୀ ପ୍ରଭାତ କୁମାର ନାୟକ ଓ ଶ୍ରୀମତୀ ଗୀତାଞ୍ଜଳି ସାମଲ ମନୋନୀତ ହୋଇଥିଲେ।
ସେହିପରି ଶ୍ରୀ ମିହିର କାନ୍ତି ଢାଲି ପୁନର୍ବାର ଜିଲ୍ଲା ସମ୍ପାଦକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ। ସହସମ୍ପାଦକ ଭାବେ ଶ୍ରୀ ସୁବ୍ରତ ତ୍ରିପାଠୀ, ଶ୍ରୀ ଅକ୍ଷୟ କୁମାର ଜେନା ଓ କୁମାରୀ ସୁଭଦ୍ରା ବୈରାଗୀ ମନୋନୀତ ହୋଇଥିଲେ। କାର୍ଯ୍ୟକାରୀ ସଦସ୍ୟ ଭାବେ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ଶ୍ରୀ ମଥୁରାନନ୍ଦ ରାଉତ, ଶ୍ରୀ ପ୍ରଦୀପ୍ତ କୁମାର ବେହେରା ଓ ଶ୍ରୀ ସଦାନନ୍ଦ ବିଶ୍ୱାଳ ଚୟନ ହୋଇଥିଲେ।
ନୂତନ କର୍ମକର୍ତ୍ତାଙ୍କ ମନୋନୟନ ତାଲିକା ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାପାତ୍ର ପାଠ କରିଥିଲେ। ରାଜ୍ୟ ଉପସଭାପତି ଶ୍ରୀ ଅରୁଣ କୁମାର ବଳ ନୂତନ କର୍ମକର୍ତ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦୁଲାଲ ବରୋଇ, ଉପଦେଷ୍ଟା ଶ୍ରୀ ସୁଧାକର ଦାସ ଓ ଶ୍ରୀ ରମେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ଶ୍ରୀ ନଗେନ୍ଦ୍ର ରାଉତ ସଂଘ ସମ୍ବନ୍ଧୀୟ କବିତା ପାଠ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକର ପଦାଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସମ୍ମିଳନୀରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଶଶିରେଖା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରଞ୍ଜନ କୁମାର ଦାସ, ସହକାରୀ ଶିକ୍ଷକ ଶ୍ରୀ ଦୀପକ କୁମାର ପ୍ରଧାନ, ଶ୍ରୀ ଅକ୍ଷୟ ପୁହାଣ, ଶ୍ରୀମତୀ ସରୋଜନୀ ଦାସ, ଶ୍ରୀ ବିଜୟ କୁମାର ସାମଲ, ଶ୍ରୀ ଅଜୟ କୁମାର ନନ୍ଦ ଓ ଶ୍ରୀ ଅଭୟ କୁମାର ଜେନାଙ୍କ ସମେତ ପାପଡ଼ାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।
ସମ୍ମିଳନୀର ଶେଷ ପର୍ଯ୍ୟାୟରେ ଜିଲ୍ଲାର ଜଣେ ଆଦର୍ଶ ବିଜ୍ଞାନ ଶିକ୍ଷକ ଶ୍ରୀ ବଦ୍ରି ନାରାୟଣ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରଞ୍ଜନ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।