ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ/ଭୁବନେଶ୍ୱର: ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ । ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଦେଶର ସର୍ବାଙ୍ଗୀନ ବିକଶିତ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓ ପଦକ୍ଷେପ ଏବଂ ଦେଶର ଅର୍ଥନୈତିକ ବିକାଶ ଓ ସାମାଜିକ ଉନ୍ନତି ପାଇଁ ମହିଳା ସଶକ୍ତିକରଣ ଜରୁରୀ ହୋଇଥିବାରୁ ’ବିକଶିତ ଭାରତ’ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ରାଜ୍ୟରେ ମହିଳା ସଶକ୍ତିକରଣକୁ ପ୍ରଦର୍ଶନ କରାଯାଇଛି ।

ବିକଶିତ ଭାରତରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶକ୍ତି ଓ ସାମର୍ଥ୍ୟ, ହାତୀର ଶକ୍ତି ଓ ସାମର୍ଥ୍ୟ ସହ ସମକକ୍ଷ ବୋଲି ପ୍ରଜ୍ଞାପନ ମେଢର ଅଗ୍ର ଭାଗରେ ଥିବା ଉତ୍କଳୀୟ କଳାକୃତିର ଏକ ଲୋକପ୍ରିୟ ଓ ଅନନ୍ୟ ବିଷୟବସ୍ତୁ କନ୍ଦର୍ପ ହସ୍ତୀ ମାଧ୍ୟମରେ ପ୍ରମାଣିତ କରାଯିବା ସହିତ ରାସଲୀଳାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଗୋପୀମାନଙ୍କ ପ୍ରେମ ଓ ଭକ୍ତି ପରି ବିକଶିତ ଭାରତ ପ୍ରତି ଓଡ଼ିଶାର ମହିଳାମାନଙ୍କ ନିଷ୍ଠାପୂର୍ଣ୍ଣ ସମର୍ପଣକୁ ଦର୍ଶାଇଥିଲା ।

ସେହିପରି, ମେଢ ଅଗ୍ରଭାଗର ଉଭୟ ପାର୍ଶ୍ୱରେ ଥିବା ଶ୍ରୀଜଗନ୍ନାଥଙ୍କ ରଥର ଚକକୁ ଓଡ଼ିଶାର ପ୍ରଗତିର ଚକ ଭାବେ ପ୍ରତିପାଦିତ କରାଯାଇଛି । ହସ୍ତକଳା ଓ ହସ୍ତତନ୍ତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ଦର୍ଶାଉଥିବା ଏହି ମେଢର ମଧ୍ୟଭାଗରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ର କଳା ଭଳି ଉତ୍ପାଦକୁ ଲାଇଭ୍ ପ୍ରଦର୍ଶନ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହା ଓଡ଼ିଶାର ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧିକୁ ପ୍ରମାଣିତ କରିବା ସହିତ ରାଜ୍ୟର ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ ହୋଇଥିବା ପ୍ରଦର୍ଶିତ କରିଥିଲା ।

ସେହିପରି, ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଓଡିଶାର ଗ୍ରାମୀଣ ମହିଳାମାନେ ମଧ୍ୟ କ୍ୟାସଲେସ୍ କାରବାର କରିବା ସହ ଇ-ପ୍ଲାଟଫର୍ମରେ ନିଜ ଉତ୍ପାଦର ମାର୍କେଟିଂ କରିପାରୁଛନ୍ତି ବୋଲି ପ୍ରଜ୍ଞାପନ ମେଢ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା । କାରିଗରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକ ସମର୍ଥନକୁ ଦର୍ଶାଇବାକୁ ଯାଇ ଦେବଦେବୀଙ୍କ ଚଳନ୍ତି ପ୍ରତିମାଙ୍କ ଯାତ୍ରା ସମୟରେ ବ୍ୟବହାର ହେଉଥିବା ବିରାଟକାୟ ଛତା ମେଢର ମଧ୍ୟ ଭାଗରେ ସ୍ଥାପନ କରାଯାଇଥିଲା । ପଟ୍ଟଚିତ୍ର କଳା ମାଧ୍ୟମରେ ପୌରାଣିକ ଚରିତ୍ରକୁ ନେଇ ରଘୁରାଜପୁର ଗ୍ରାମର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ଓ ମୁଖା ସମେତ ରଘୁରାଜପୁର ଗ୍ରାମର ଐତିହ୍ୟ ଗୃହକୁ ପ୍ରଜ୍ଞାପନ ମେଢର ପଛ ଭାଗରେ ଦର୍ଶାଯାଇଥିଲା ।

ବିକାଶପଥରେ ଓଡ଼ିଶା ଅଶ୍ଵ ବେଗରେ ଅଗ୍ରସର ହେଉଥିବାରୁ, ଓଡ଼ିଶା ସରକାରଙ୍କ ପ୍ରତୀକ ତଥା ପ୍ରସିଦ୍ଧ କୋଣାର୍କ ମନ୍ଦିରର ଯୁଦ୍ଧ ଘୋଡ଼ାକୁ ମଧ୍ୟ ସେଠାରେ ସ୍ଥାନିତ କରାଯାଇଥିଲା । ସେହିପରି, ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ଥିବା ଓଡ଼ିଶାର ଅନନ୍ୟ ଓ ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଡିଜାଇନ୍, କଳା ଓ କାରିଗରୀ ମାଧ୍ୟମରେ ରାଜ୍ୟରେ ଜୀବିକା ବିକାଶର ସଫଳ କାହାଣୀକୁ ପ୍ରଦର୍ଶିତ କରଇଥିଲା ।

ଏଥିସହିତ, ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ସମ୍ବଲପୁରୀ ସଙ୍ଗୀତର ତାଳେତାଳେ କଳାକାରମାନେ ପରିବେଷଣ କରିଥିବା ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ।

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ପ୍ରାପ୍ତ ସୂଚନା ପ୍ରକାରେ ଜନ ଭାଗୀଦାରି ସ୍ଵରୂପ ଆଜିଠାରୁ ଆଗାମୀ କାଲି ସକାଳ ୫ ଟା ୩୦ ସୁଦ୍ଧା ଅନଲାଇନ ଭୋଟିଂ ମାଧ୍ୟମରେ ପ୍ରାପ୍ତ ଭୋଟ ଆଧାରରେ ଯୋଗ୍ୟ ବିବେଚିତ ପ୍ରଜ୍ଞାପନ ମେଢକୁ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପୁରସ୍କୃତ କରାଯିବ ।

Comments are closed.