୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନ୍ଫୋଭେଲି-ll, ଖୋର୍ଦ୍ଧାଠାରେ ‘ୱେ-ଟ୍ରାକ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ର ଅତ୍ୟାଧୁନିକ ମାନୁଫାକ୍ଚରିଙ୍ଗ୍ ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ମାଟିରୁ ଓଡ଼ିଆ ଉଦ୍ୟୋଗୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ବ୍ରାଣ୍ଡ୍ ଆଜି ସ୍ମାର୍ଟ ଇନଫ୍ରାସ୍ଟ୍ରକ୍ଚର୍ ଓ AI କ୍ଷେତ୍ରରେ ଦେଶର ଏକ ପ୍ରମୁଖ ସଂସ୍ଥା ଭାବେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରି ୱେ-ଟ୍ରାକ୍‌ ଇଣ୍ଡିଆର ସମସ୍ତ ଟିମ୍ ମେମ୍ବରକୁ ଅଭିନନ୍ଦନ ଜଣାଇଥିଲେ। ୱେ-ଟ୍ରାକ୍‌ ଇଣ୍ଡିଆ ଆଜି ଭାରତର ଚତୁର୍ଥ ସର୍ବବୃହତ୍‌ ୱେ-ବ୍ରିଜ୍‌ ଉତ୍ପାଦକ ଭାବେ ପରିଚୟ ସୃଷ୍ଟି କରିବା ଆମ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଆସିବା ପରେ ଓଡ଼ିଶାରେ ଶିଳ୍ପ ବିପ୍ଲବ ଜାରି ରହିଛି। ପୂର୍ବରୁ କେବଳ ଖଣି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଆମ ସରକାର, AI, ସେମିକଣ୍ଡକ୍ଟର, ଟେକ୍ସଟାଇଲ ଓ ଫାର୍ମାସିଉଟିକାଲ ଭଳି ‘New Economy’ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାରେ ସକ୍ଷମ ହୋଇଛି। ଏହି ସମୟ ମଧ୍ୟରେ ପ୍ରାୟ ୨.୮୦ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗ୍ରାଉଣ୍ଡିଂ ହୋଇଛି, ଯାହା ଆଗାମୀ ଦିନରେ ଦୁଇ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ ଡଲାର ଏବଂ ୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ବୋଲି ସେ କହିଥିଲେ।

ଓଡ଼ିଶାର ଏହି ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ପରିକଳ୍ପନା ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିଳ୍ପ ପ୍ରତିଷ୍ଠା ପାଇଁ ଆମ ସରକାର ‘Plug & Play’ ସୁବିଧା ଯୋଗାଇ ଦେଉଛନ୍ତି ଏବଂ ଜିଲ୍ଲାପାଳମାନଙ୍କୁ ଶିଳ୍ପ ସମ୍ବନ୍ଧୀୟ ନିଷ୍ପତ୍ତି ନେବା ପାଇଁ ଅଧିକ କ୍ଷମତା ପ୍ରଦାନ କରାଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ରାଜନୈତିକ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ସଂସଦ ଓ ବିଧାନସଭାରେ ମହିଳାଙ୍କୁ ଏକ ତୃତୀୟାଂଶ ସଂରକ୍ଷଣ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅଣାଯାଇଥିବା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ କଂଗ୍ରେସ ଓ ସହଯୋଗୀ ଦଳମାନେ ଲୋକସଭାରେ ପାରିତ କରାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ନାରୀ ସମାଜ ପ୍ରତି ଏକ ଅପରାଧ ଏବଂ ଏଥିପାଇଁ ଓଡ଼ିଶାର ନାରୀଶକ୍ତି ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ।

ଅନ୍ୟତମ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ MSME ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ । ରାଜ୍ୟ ସରକାର ସହଜରେ MSME ଇଣ୍ଡଷ୍ଟ୍ରି ନିମନ୍ତେ ଜମି ଓ ଲୋନ୍ ପ୍ରଦାନ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।

କାର୍ଯ୍ୟକ୍ରମ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ରାଜ୍ୟ ସରକାରଙ୍କ MSME ପ୍ରତି ଥିବା ଆନ୍ତରିକତାକୁ ପ୍ରଶଂସା କରି କହିଥିଲେ ଯେ MSME ଇଣ୍ଡଷ୍ଟ୍ରି ବସେଇବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିଛି।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୱେ-ଟ୍ରାକ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ନାୟକ, ବରିଷ୍ଠ ସଙ୍ଘ ଚାଳକ ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.