ଓଡ଼ିଶାସ୍କିଲ୍ସ ୨୦୨୬–୨୭: ପଞ୍ଜୀକରଣର ଶେଷ ତାରିଖ ସେପ୍ଟେମ୍ବର ୨୨

0

ଭୁବନେଶ୍ୱର: ନିଜ ଦକ୍ଷତାକୁ ନୂଆ ପରିଚୟ ଦେବା ସହ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଯୁବପ୍ରତିଭାଙ୍କ ସୁବର୍ଣ୍ଣ ସୁଯୋଗ। ରାଜ୍ୟର ଯୁବପିଢ଼ିଙ୍କ ଦକ୍ଷତାକୁ ଏକ ବଡ଼ ମଞ୍ଚ ଦେବା ଲକ୍ଷ୍ୟରେ ଆୟୋଜିତ ‘ଓଡ଼ିଶାସ୍କିଲ୍ସ ୨୦୨୬–୨୭’ ପ୍ରତିଯୋଗିତାର ପଞ୍ଜୀକରଣ ଚାଲିଛି। ପଞ୍ଜୀକରଣର ଶେଷ ତାରିଖ ସେପ୍ଟେମ୍ବର ୨୨ ତାରିଖ ରହିଛି।

ଆଇଟିଆଇ, ପଲିଟେକ୍ନିକ୍‌, ଡିପ୍ଲୋମା ଓ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ଇଞ୍ଜିନିୟରିଂ ଓ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପାରମ୍ପରିକ ଓ ଶିଳ୍ପଭିତ୍ତିକ ଦକ୍ଷତା କ୍ଷେତ୍ରର ଯୋଗ୍ୟ ପ୍ରାର୍ଥୀମାନେ ଏଥିରେ ଭାଗ ନେଇପାରିବେ। ଏଥିପାଇଁ ବୟସ ସୀମା ୧୬ରୁ ୨୩ ବର୍ଷ ରହିଛି।

ପଞ୍ଜୀକରଣ ଲିଙ୍କ୍: https://www.skillindiadigital.gov.in/india-skills-competition

ଚଳିତ ବର୍ଷ ଓଡ଼ିଶାସ୍କିଲ୍ସରେ ୬ଟି କ୍ଷେତ୍ରରେ ୬୩ଟି ଦକ୍ଷତା ସାମିଲ ହୋଇଛି। ଏଥିରେ ପାରମ୍ପରିକ ଦକ୍ଷତା ସହ ଆଧୁନିକ ଓ ଶିଳ୍ପରେ ଚାହିଦା ଥିବା ଦକ୍ଷତାଗୁଡ଼ିକ ମଧ୍ୟ ସାମିଲ କରାଯାଇଛି। ଚଳିତ ବର୍ଷ ଯୁବପିଢ଼ିଙ୍କ ପାଇଁ ୧୩ଟି ନୂଆ ଦକ୍ଷତା ଯୋଡ଼ାଯାଇଛି।

ଓଡ଼ିଶା ସ୍କିଲ୍ସ ପ୍ରତିଯୋଗିତାରେ ପାରମ୍ପରିକ ଦକ୍ଷତା ବିଷୟ ସହ ଡିଜିଟାଲ୍ ଇଣ୍ଟରଆକ୍ଟିଭ୍ ମିଡିଆ, ସ୍ମାର୍ଟ ସୁରକ୍ଷା ପ୍ରଯୁକ୍ତି, ସଫ୍ଟୱେର୍ ପରୀକ୍ଷଣ ଭଳି ଅତ୍ୟାଧୁନିକ ଦକ୍ଷତା ବିଷୟକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାସହ ବେକେରି, ଜ୍ଵେଲେରି, ଫ୍ଲୋରିଷ୍ଟ୍ରି ଭଳି ବିଭିନ୍ନ ବିଷୟକୁ ମଧ୍ୟ ପ୍ରତିଯୋଗିତାରେ ସାମିଲ କରାଯାଇଛି।

ଓଡ଼ିଶାସ୍କିଲ୍ସ ମାଧ୍ୟମରେ ପ୍ରତିଯୋଗୀମାନେ ପ୍ରଥମେ ରାଜ୍ୟସ୍ତରରେ ନିଜ ଦକ୍ଷତା ପ୍ରଦର୍ଶନ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଯୋଗ୍ୟ ପ୍ରତିଯୋଗୀମାନେ ଇଣ୍ଡିଆସ୍କିଲ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଜାତୀୟସ୍ତରରେ ଯୋଗ୍ୟତା ହାସଲ କରୁଥିବା ପ୍ରତିଯୋଗୀମାନେ ୨୦୨୮ରେ ଜାପାନର ଆଇଚିଠାରେ ହେବାକୁ ଥିବା ୱାର୍ଲ୍ଡସ୍କିଲ୍ସ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ଚୟନ ହେବାର ସୁଯୋଗ ପାଇପାରିବେ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସହଭାଗିତାରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ରାଷ୍ଟ୍ରୀୟ ଦକ୍ଷତା ବିକାଶ ନିଗମ ଏଥିରେ ସହଯୋଗ କରୁଛି। ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଦୃଷ୍ଟିକୋଣ ଅଧୀନରେ ଆୟୋଜିତ ଏହି ପ୍ରତିଯୋଗିତାର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ଦକ୍ଷ କରିବା, ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ଏବଂ ଦେଶ ଓ ବିଦେଶରେ ଥିବା ସୁଯୋଗ ସହ ଯୋଡ଼ିବା।

Leave A Reply

Your email address will not be published.