ନୀଳଗିରି: ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟସ୍ଥ ଦେବକୁଣ୍ଡରୁ ବୁଲା ବୁଲି କରି ବାଲେଶ୍ୱର ଜିଲ୍ଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଲିବାକୁ ଏକ ବସରେ ଆସୁଥିଲେ ୬୦ରୁ ଅଧିକ ବଙ୍ଗୀୟ ପର୍ଯ୍ୟଟକ। ଉଦଳା- ନୀଳଗିରି ପୂର୍ତ୍ତ ରାସ୍ତାର, ଛତ୍ରପୁର ନିକଟସ୍ଥ ଭୁଡ଼ୁରୁବଣି ଠାରେ ଏହି ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା କଡ଼ ନୟନଜୋରିକୁ ଓଲଟି ପଡ଼ିଛି। ଯାହା ଫଳରେ ଭିତରେ ବସିଥିବା ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ରୁ ଅଧିକ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ଖବରପାଇ ବରହମପୁର ପୁଲିସ, ନୀଳଗିରିରୁ ଅଗ୍ନିଶମଦଳ ଏବଂ ସ୍ଥାନୀୟ ଲୋକ ମିଳିତ ଭାବେ ସେମାନଙ୍କୁ ଉଦ୍ଧାର କରି ବରହମପୁର ଡାକ୍ତରଖାନା ସ୍ଥାନାନ୍ତର କରିଛନ୍ତି। ଗୁରୁତରମାନଙ୍କୁ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଓଲଟି ଯାଇଥିବା ବସ୍ ତଳେ କିଛି ଯାତ୍ରୀ ଫସି ରହିଥିବା ଅନୁମାନ କରାଯାଉଛି। ଏ ନେଇ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଦୃଷ୍ଟି ଦେଉଛନ୍ତି।