ଓଡ଼ିଶାରେ ତିଆରି ହେବ ଇଭି ବ୍ୟାଟେରି ପାଇଁ ଆଲୁମିନିୟମ ଫଏଲ୍‌

ଲପଙ୍ଗାରେ କାରଖାନା ବସାଇବ ହିଣ୍ଡାଲ୍‌କୋ

ଭୁବନେଶ୍ବର: ଇଲେକ୍ଟ୍ରିକ୍ ଗାଡ଼ିର ସବୁଠୁ ଗୁରୁତ୍ବପୂର୍ଣ୍ଣ ଉପକରଣ ବ୍ୟାଟେରି ଲାଗି ଓଡ଼ିଶାରେ ଆଲୁମିନିୟମ ଫଏଲ୍‌ ତିଆରି ହେବ। ଆଦିତ୍ୟ ବିର୍ଲା ଗ୍ରୁପ୍‌ର କଂପାନି ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ସମ୍ବଲପୁରର ଲପଙ୍ଗାରେ ଏହି କାରଖାନା ସ୍ଥାପିତ ହେବ ବୋଲି କଂପାନିର ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ କହିଛନ୍ତି। ଅଧିକ କ୍ଷମତାସମ୍ପନ୍ନ କାରଖାନା ସ୍ଥାପନ କରାଯିବ ଯାହା କେବଳ ଭାରତ ନୁହେଁ, ସାରା ବିଶ୍ବର ଆବଶ୍ୟକତା ପୂରଣ କରିବ। ହିଣ୍ଡାଲ୍‌କୋ ଦେଶରେ ଉତ୍ପାଦନ କରୁଥିବା ପ୍ରାୟ ଅଧା ଧାତବ ପଦାର୍ଥକୁ ରପ୍ତାନି କରିଥାଏ। ସେହି ଅନୁସାରେ ଆଲୁମିନିୟମ ଫଏଲ୍ ମଧ୍ୟ ରପ୍ତାନି କରାଯିବ ବୋଲି ସେ କହିଛନ୍ତି।

ଲିଥିଅମ୍-ଆୟନ ବ୍ୟାଟେରି ନିର୍ମାଣରେ ବ୍ୟବହୃତ ଆଲୁମିନିୟମ ଫଏଲ୍‌ ବ୍ୟାଟେରି ପ୍ରଦର୍ଶନରେ ଉନ୍ନତି ଆଣିଥାଏ। ଏହି ଫଏଲ୍‌ କେବଳ ଇଭି ବ୍ୟାଟେରି ନୁହେଁ ବିଭିନ୍ନ ପ୍ରକାର କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ବିଦ୍ୟୁତ ଉପକରଣରେ ମଧ୍ୟ ବ୍ୟବହାର କରାଯାଉଛି। ଏହା କଳଙ୍କି, ଆଲୋକ, ବାଷ୍ପ, ଆର୍ଦ୍ରତା, ଜୀବାଣୁ ଆଦିରୁ ଉପକରଣକୁ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହୋଇଥାଏ। ଏହି ଅବସରରେ ଶ୍ରୀ ପାଇ କହିଛନ୍ତି ଯେ ରାୟଗଡ଼ାର କଂସାରିଗୁଡ଼ାରେ ଏକ ଆଲୁମିନ‌ା ରିଫାଇନାରି ସ୍ଥାପନ କରିବା ଲାଗି କଂପାନି ୧୦୦ କୋଟି ଡଲାର ପୁଞ୍ଜିନିବେଶ କରିବ। ଲପଙ୍ଗାର ‌ରୋଲିଂ ମିଲ୍‌ ପ୍ରକଳ୍ପରେ ମଧ୍ୟ କଂପାନି ୩୮୦୦ କୋଟି ଟଙ୍କା ନିବେଶ କରୁଛି। ସାରା ବିଶ୍ବରେ ଭାରତ ଏକମାତ୍ର ଦେଶ ଯେଉଁଠାରେ ଧାତବ ଶିଳ୍ପ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରୁଛି। ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ ଏହା ସମ୍ଭବ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ଉତ୍ପାଦନ କ୍ଷମତା ସମ୍ପ୍ରସାରଣ ହେବ ବୋଲି ଶ୍ରୀ ପାଇ ଆଶାବ୍ୟକ୍ତ କରିଛନ୍ତି।

Comments are closed.