‘ଓଡ଼ିଶାର ସ୍ୱେଚ୍ଛାସେବୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଯୁବବର୍ଗଙ୍କ ଆତ୍ମବିଶ୍ୱାସ ବଢାଇବ’

ଅନୁଗୋଳରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁଗୁଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମ ଶୁଣିଛନ୍ତି। ଏହି ସଂସ୍କରଣରେ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ ପାଇଁ ଓଡ଼ିଶାର ସ୍ୱେଚ୍ଛାସେବୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଏହି କାମ କରିବା ପାଇଁ ସେମାନଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ‘ମନ୍ କୀ ବାତ୍‌’ରେ ସ୍ୱଚ୍ଛତା, ଯୁବଶକ୍ତିର କ୍ଷମତା, ଜଳବାୟୁ ପରିବର୍ତ୍ତନ ଏବଂ ଭୋକାଲ ଫର୍ ଲୋକାଲ ଭଳି ଅନେକ ଶିକ୍ଷଣୀୟ ବିଷୟ ଉପରେ ଆଲୋକପାତ କରିଛନ୍ତି। ଓଡ଼ିଶାର ‘ଆମେ ଓଡ଼ିଆ’ ସଂଗଠନ ଭଳି ବିଭିନ୍ନ ରାଜ୍ୟର ସ୍ୱେଚ୍ଛାସେବୀ ସଂଗଠନ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉପକୂଳ ଅଞ୍ଚଳ ତଥା ସମୁଦ୍ର ବେଳାଭୂମିରେ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଅନେକ ସ୍ୱେଚ୍ଛାସେବୀ ସଂଗଠନର ଆତ୍ମବିଶ୍ୱାସକୁ ଦୃଢ଼ କରିବା ସହ ‘ସ୍ୱଚ୍ଛ ସାଗର ଓ ସୁରକ୍ଷିତ ସାଗର’ ପାଇଁ ପ୍ରେରିତ କରିବ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଟିବି-ମୁକ୍ତ ଭାରତ ପାଇଁ ଜନ-ଭାଗିଦାରୀ ତଥା ଏହି ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କ ଉତ୍ସାହ ପ୍ରଂଶସନୀୟ। ଏହିଭଳି ସାମାଜିକ ପରିବର୍ତ୍ତନ ସହ ଦେଶବାସୀଙ୍କ ଭାବନାକୁ ଯୋଡ଼ିବାରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଏକ ଶକ୍ତିଶାଳୀ ମାଧ୍ୟମ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସମସ୍ତେ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟକୁ ଜନ-ଆନ୍ଦୋଳନରେ ପରିଣତ କରିବା ସହ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

Comments are closed.