ବାଲେଶ୍ଵର ମତ୍ସ୍ୟ ଶିଳ୍ପରେ ଆସିବ ନୂଆ ଦିଗନ୍ତ: ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଚେଷ୍ଟାରେ ହେବ ଫୁଡ୍ ପାର୍କ ଓ ସ୍କାମ୍ପି କ୍ଲଷ୍ଟର

• ୬୨.୫୧ ଏକର ଜମି ଚିହ୍ନଟ; ୧.୮୬ ଲକ୍ଷ ମେଟ୍ରିକ୍ ଟନ୍ ମତ୍ସ୍ୟ ଉତ୍ପାଦନ ସହ ରାଜ୍ୟରେ ଶୀର୍ଷରେ ବାଲେଶ୍ୱର

0
ବାଲେଶ୍ୱର, ୧୮/୧୧ (କୃଷ୍ଣ କୁମାର ମହାନ୍ତି): ମତ୍ସ୍ୟ ଉତ୍ପାଦନରେ ଓଡ଼ିଶାର ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ ବାଲେଶ୍ୱର ଏବେ ମତ୍ସ୍ୟଭିତ୍ତିକ ଶିଳ୍ପ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ଉଦ୍ୟମ ଓ ପ୍ରସ୍ତାବକ୍ରମେ ଜିଲ୍ଲାରେ ଏକ ନୂତନ ଫୁଡ୍ ପାର୍କ ଓ ସ୍କାମ୍ପି କ୍ଲଷ୍ଟର ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆଗେଇଛି।
ଓଡ଼ିଶା ବିଧାନସଭାରେ ବିଧାୟକ ଶ୍ରୀ ଦତ୍ତ ବାଲେଶ୍ୱରର ମତ୍ସ୍ୟ ଉତ୍ପାଦନ, ଉପଲବ୍ଧ ଭିତ୍ତିଭୂମି ଓ ମତ୍ସ୍ୟଭିତ୍ତିକ ଶିଳ୍ପର ସମ୍ଭାବନା ସମ୍ପର୍କରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲ୍ଲାର ମତ୍ସ୍ୟ ଉତ୍ପାଦନ ଚଳିତ ବର୍ଷ ନୂତନ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ପ୍ରାୟ ୧ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ହେଉଥିବା ବେଳେ ଏବେ ମଧୁର, କ୍ଷାର ଓ ଲୁଣି ଜଳରୁ ମିଳିତ ମତ୍ସ୍ୟ ଉତ୍ପାଦନ ୧.୮୬ ଲକ୍ଷ ମେଟ୍ରିକ୍ ଟନ୍‌ରେ ପହଞ୍ଚିଛି। ରାଜ୍ୟର ମୋଟ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ମଧ୍ୟରୁ ସର୍ବାଧିକ ଉତ୍ପାଦନ କରି ବାଲେଶ୍ୱର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି।
କେବଳ ଉତ୍ପାଦନ ବୃଦ୍ଧି ନୁହେଁ, ମତ୍ସ୍ୟ ଉତ୍ପାଦର ପ୍ରକ୍ରିୟାକରଣ, ସଂରକ୍ଷଣ, ବଜାର ସଂଯୋଗ ଓ ମତ୍ସ୍ୟଚାଷୀଙ୍କ ଆର୍ଥିକ ଉନ୍ନତିକୁ ଗୁରୁତ୍ୱ ଦେଇ ବିଧାୟକ ଶ୍ରୀ ଦତ୍ତ ଆଧୁନିକ ମତ୍ସ୍ୟଭିତ୍ତିକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଥିଲେ। ଏହାକୁ ଆଧାର କରି ଫୁଡ୍ ପାର୍କ ଓ ସ୍କାମ୍ପି କ୍ଲଷ୍ଟର ପ୍ରତିଷ୍ଠା ପ୍ରକ୍ରିୟା ଆଗକୁ ବଢ଼ିଛି।
ପ୍ରକଳ୍ପ ପାଇଁ ବାଲେଶ୍ୱର ସଦର ବ୍ଲକ୍‌ର କସବା ମୌଜାରେ ୬୨.୫୧ ଏକର ଜମି ଚିହ୍ନଟ ହୋଇଛି। ଏହି ଜମି ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଜମି ହସ୍ତାନ୍ତର ପରେ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର୍) ପ୍ରସ୍ତୁତ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ।
ପ୍ରସ୍ତାବିତ ଫୁଡ୍ ପାର୍କ ଓ ସ୍କାମ୍ପି କ୍ଲଷ୍ଟର କାର୍ଯ୍ୟକ୍ଷମ ହେଲେ ମତ୍ସ୍ୟ ଉତ୍ପାଦର ମୂଲ୍ୟ ସଂଯୋଜନ, ପ୍ରକ୍ରିୟାକରଣ ଓ ସଂରକ୍ଷଣ ବ୍ୟବସ୍ଥାରେ ଉନ୍ନତି ଆସିବ। ଏହାଦ୍ୱାରା ହଜାର ହଜାର ମତ୍ସ୍ୟଚାଷୀ, କ୍ଷୁଦ୍ର ବ୍ୟବସାୟୀ ଓ ମତ୍ସ୍ୟ ଶିଳ୍ପ ସହ ଜଡ଼ିତ ପରିବାର ଉପକୃତ ହେବା ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି।
ବିଧାୟକ ମାନସ କୁମାର ଦତ୍ତ କହିଛନ୍ତି, “ବାଲେଶ୍ୱର କେବଳ ମତ୍ସ୍ୟ ଉତ୍ପାଦନରେ ନୁହେଁ, ମତ୍ସ୍ୟଭିତ୍ତିକ ଶିଳ୍ପ ଓ ରପ୍ତାନି କ୍ଷେତ୍ରରେ ମଧ୍ୟ ଏକ ଅଗ୍ରଣୀ କେନ୍ଦ୍ର ଭାବେ ପରିଚିତ ହେଉ, ଏହା ଆମର ଲକ୍ଷ୍ୟ। ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ପରିଶ୍ରମର ଉପଯୁକ୍ତ ମୂଲ୍ୟ ମିଳିବା ସହ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ମାର୍ଗ ଖୋଲିବା ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ଫୁଡ୍ ପାର୍କ ଓ ସ୍କାମ୍ପି କ୍ଲଷ୍ଟର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖାଯାଇଛି।”
ମତ୍ସ୍ୟ ଉତ୍ପାଦନରେ ରେକର୍ଡ ସଫଳତା ପରେ ଏବେ ପ୍ରକ୍ରିୟାକରଣ ଓ ଶିଳ୍ପ ଭିତ୍ତିଭୂମିର ସମ୍ପ୍ରସାରଣ ଦିଗରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ବାଲେଶ୍ୱରର ଅର୍ଥନୈତିକ ବିକାଶ ସହ ମତ୍ସ୍ୟଜୀବୀଙ୍କ ଜୀବିକାକୁ ନୂଆ ଆଧାର ଯୋଗାଇବାର ସମ୍ଭାବନା ସୃଷ୍ଟି କରିଛି।
Leave A Reply

Your email address will not be published.