ଭୁବନେଶ୍ୱର (୧୮/୧୧): ହେଲ୍ଦି ଲାଇଫ୍ ଯୋଗ ମହାବିଦ୍ୟାଳୟ ଅଫ୍ ନେଚର ଆଣ୍ଡ୍ ଯୋଗିକ୍ ସାଇନ୍ସ,ବାଲେଶ୍ୱର ଇଣ୍ଟରନ୍ୟାସନାଲ ନେଚୁରୋପାଥି ଅର୍ଗାନାଇଜେସନ (I.N.O.) ଏବଂ ଜାତୀୟ ସେବା ଯୋଜନା (NSS)ର ମିଳିତ ସହଯୋଗରେ ୯ମ ଜାତୀୟ ପ୍ରାକୃତିକ ଚିକିତ୍ସା ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ପଦଯାତ୍ରା ସହିତ ମହାବିଦ୍ୟାଳୟ ପରିସରରେ ସ୍ୱାସ୍ଥ୍ୟ ଆହାର ମେଳା ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ‘ଧ୍ୱନି ପ୍ରତିଧ୍ୱନି’ର ମୁଖ୍ୟ ସୃଷ୍ଟିଧର ପରିଡ଼ା ଏବଂ ଶିଳ୍ପପତି କୃଷ୍ଣ ଦାସ ଅତିଥି ଭାବେ ଯୋଗଦେଇ ସଚେତନତା ପଦଯାତ୍ରା ଓ ସ୍ୱାସ୍ଥ୍ୟ ଆହାର ମେଳାକୁ ଉଦ୍ଘାଟନ କରିଥିଲେ। ପରେ ସେମାନେ ଆହାର ମେଳାର ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ପ୍ରାକୃତିକ ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱ ଉପରେ ମତ ରଖିଥିଲେ।

ତେଲବିହୀନ ରୋଷେଇ, ଖାଦ୍ୟ ଚିକିତ୍ସା ଏବଂ କଞ୍ଚା ଖାଦ୍ୟର ଉପକାରିତା ସମ୍ପର୍କରେ ଅତିଥିମାନେ ଆଲୋଚନା କରିବା ସହ ପ୍ରାକୃତିକ ଜୀବନଶୈଳୀ ଆପଣାଇବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ନିୟମିତ ଯୋଗାଭ୍ୟାସ, ସନ୍ତୁଳିତ ଆହାର ଓ ଶୃଙ୍ଖଳିତ ଦିନଚର୍ଯ୍ୟା ମାଧ୍ୟମରେ ସୁସ୍ଥ ଜୀବନ ଗଢ଼ିବା ସମ୍ଭବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଅନୁଷ୍ଠାନର ମୁଖ୍ୟ ନିର୍ଦ୍ଦେଶକ ତଥା ପ୍ରାକୃତିକ ଚିକିତ୍ସକ ଡା. ଚିତ୍ତରଞ୍ଜନ ସାହୁ ଯୋଗଦେଇ ଟାଇମ୍ ମେଡିସିନ୍, ‘ଖାଦ୍ୟ ହିଁ ଔଷଧ’ ଧାରଣା ଏବଂ ଯୋଗ ଓ ପ୍ରାକୃତିକ ଚିକିତ୍ସାର ଉପକାରିତା ଉପରେ ଆଲୋକପାତ କରିଥିଲେ। ଦୈନନ୍ଦିନ ଜୀବନରେ ପ୍ରାକୃତିକ ଖାଦ୍ୟ ଓ ସୁସ୍ଥ ଅଭ୍ୟାସକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ।
ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ ଅନୁଷ୍ଠାନରେ ଚାଲିଥିବା ସାଢ଼େ ପାଞ୍ଚ ବର୍ଷିଆ ଯୋଗ ଓ ପ୍ରାକୃତିକ ଚିକିତ୍ସା ଡିଗ୍ରୀ ପାଠ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ଅନୁଷ୍ଠାନ ପକ୍ଷରୁ କ୍ଲିନିକ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଚିକିତ୍ସା ସେବା ଏବଂ ଗରିବ ଓ ଅସହାୟ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ ବିଷୟରେ ସେ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମକୁ ଅଧ୍ୟାପିକା ଅନୀତା ମିଶ୍ର, ଅଧ୍ୟାପିକା କାନ୍ତି କୁସୁମ ପାଣିଗ୍ରାହୀ ଏବଂ ଅଧ୍ୟାପକ ଡା. ଅଭିଷେକ ଦାସ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ କାର୍ଯ୍ୟକ୍ରମରେ ଭାଗନେଇଥିବା ପ୍ରତିଭାଗୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।
ପ୍ରାକୃତିକ ଖାଦ୍ୟ, ଯୋଗ ଓ ଚିକିତ୍ସା ପଦ୍ଧତି ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ସହ ସୁସ୍ଥ ଜୀବନଶୈଳୀକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।ରିପୋର୍ଟ-ସନାତନ ମହାକୁଡ଼ ।