ମାଛମରା ଗ୍ରାମରେ ରାଜପରିବାରର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ସାତଦିନିଆ ଯାତ୍ରା ।

0

ଗଜପତି, 17.11( ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଗଜପତି ଜିଲ୍ଲାର ମାଛମରା ଗ୍ରାମରେ ବାହୁବଳେନ୍ଦ୍ର ରାଜପରିବାରର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ପାରମ୍ପରିକ ଯାତ୍ରା ଦୀର୍ଘ ସାତଦିନ ଧରି ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେବା ପରେ ଆଜି ଶ୍ରଦ୍ଧା ଓ ନିଷ୍ଠାର ସହ ସମାପନ ହୋଇଛି। ରାଜା ବିରଞ୍ଚି ନାରାୟଣ ଦେଓଙ୍କ ତତ୍ତ୍ୱାବଧାନରେ ପ୍ରତି ପାଞ୍ଚବର୍ଷରେ ଥରେ ଏହି ଐତିହାସିକ ଓ ପାରମ୍ପରିକ ଯାତ୍ରା ଆୟୋଜିତ ହୋଇଆସୁଛି।ଏହି ଯାତ୍ରା ଅବସରରେ ମା’ ମାଣିକେଶ୍ୱରୀଙ୍କ ଦର୍ଶନ ଲାଭ କରିବା ସହ ମା’ଙ୍କ ଆଶୀର୍ବାଦ ପାଇଁ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସାତଦିନ ଧରି ଗ୍ରାମରେ ଭକ୍ତି, ଶ୍ରଦ୍ଧା ଓ ଧାର୍ମିକ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିଲା।ଯାତ୍ରାର ଶେଷ ଦିନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜକ ଜାନୀଙ୍କ ଦ୍ୱାରା ନିଆଁକୁଦା ଓ କଣ୍ଟାଦୋଳି ଉପରେ ବସିବା ଭଳି ଦୁଃସାହସିକ ଧାର୍ମିକ ପରମ୍ପରା ପାଳନ କରାଯାଇଥିଲା। ମା’ଙ୍କ ନିକଟରେ ମାନସିକ ରଖିଥିବା ଭକ୍ତମାନେ ମଧ୍ୟ ଜାନୀଙ୍କ ସହ ଏହି ପରମ୍ପରାରେ ସାମିଲ ହୋଇ ନିଆଁକୁଦା ଓ କଣ୍ଟାଦଳି ଉପରେ ବସିଥିଲେ। ଏହି ଦୃଶ୍ୟ ଯାତ୍ରାର ଏକ ପ୍ରମୁଖ ଆକର୍ଷଣ ହୋଇଥିଲା।ଏହି ପବିତ୍ର ଦିନରେ ଗ୍ରାମର ପ୍ରତ୍ୟେକ ପରିବାର ନିଜ ନିଜ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରି ମା’ଙ୍କୁ ସ୍ୱାଗତ ଓ ପୂଜାର୍ଚ୍ଚନା କରିଥିଲେ। ସମଗ୍ର ଗ୍ରାମ ଦୀପର ଆଲୋକ ଓ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇ ଉଠିଥିଲା।ମାଛମରା ଗ୍ରାମର ବାହୁବଳେନ୍ଦ୍ର ରାଜପରିବାର ଓ ପାରଳାଖେମୁଣ୍ଡିର ଗଜପତି ରାଜବଂଶ ମଧ୍ୟରେ ଦୀର୍ଘଦିନର ଐତିହାସିକ ଓ ପାରିବାରିକ ସମ୍ପର୍କ ରହିଆସିଛି। ଇତିହାସରୁ ଜଣାଯାଏ ଯେ, ମାଛମରା ରାଜପରିବାରର ଜଣେ ରାଜକନ୍ୟା ପାରଳାଖେମୁଣ୍ଡି ଗଜପତି ରାଜବଂଶର ରାଜା ପ୍ରତାପରୁଦ୍ର ଦେବଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ବୈବାହିକ ସମ୍ପର୍କ ଉଭୟ ରାଜପରିବାରର ଐତିହାସିକ ନିବିଡ଼ତାକୁ ପ୍ରତିଫଳିତ କରେ।ପାରଳାଖେମୁଣ୍ଡି ଗଜପତି ରାଜପରିବାରର ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପୂଜା ପାଉଥିବା ବେଳେ ମାଛମରା ବାହୁବଳେନ୍ଦ୍ର ରାଜପରିବାରର ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ରାଜପରିବାରର ରାଜଉଆସରେ ସ୍ୱତନ୍ତ୍ର ରୀତିନୀତିରେ ପୂଜା ପାଇଆସୁଛନ୍ତି।ଏହି ପାଞ୍ଚବର୍ଷିଆ ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ମାଛମରା ଗ୍ରାମର ଐତିହ୍ୟ, ପରମ୍ପରା, ରାଜପରିବାରର ଗୌରବ ଓ ଲୋକବିଶ୍ୱାସର ଏକ ଅନନ୍ୟ ପରିଚୟ ପ୍ରଦାନ କରୁଛି। ପିଢ଼ି ପରେ ପିଢ଼ି ଧରି ଏହି ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ଗ୍ରାମବାସୀଙ୍କ ଶ୍ରଦ୍ଧା ଓ ସହଯୋଗ ଏହାର ମୁଖ୍ୟ ଆଧାର ହୋଇରହିଛି।

Leave A Reply

Your email address will not be published.