ନାରଦଙ୍କ ବାନର ମୁଖ

ଅର୍ଜୁନୀ ଚରଣ ବେହେରା

ନାରଦଙ୍କ ବାନର ମୁଖ
===============
ଗୋସ୍ବାମୀ ତୁଳସୀ ଦାସ ବିରଚିତ ଶ୍ରୀରାମ ଚରିତ ମାନସର ଉପାଖ୍ୟାନ l ଦିନେ ହରହର ମହାଦେବ ମାଆ ପାର୍ବତୀଙ୍କୁ ଭଗଵାନ ଶ୍ରୀହରିଙ୍କ ଅବତାର ଓ ମନୁଷ୍ୟ ଶରୀର ଧାରଣ କରିବାର କାରଣ କାହାଣୀ ଶୁଣାଉଥାନ୍ତି l କଥାପ୍ରସଙ୍ଗରେ ମହାଦେବ କହିଲେ ଥରେ ନାରଦ ଭଗଵାନଙ୍କୁ ଅଭିଶାପ ଦେଇଥିବାରୁ ଭଗଵାନ ବିଷ୍ଣୁ ମନୁଷ୍ୟଶରୀର ଧାରଣ କରିଥିଲେ l ପାର୍ବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,ଏହା କିପରି ? ମହର୍ଷି ନାରଦ ପରା ଭଗଵାନ ବିଷ୍ଣୁଙ୍କ ପରମ ଭକ୍ତ l ସେ ପୁଣି ତାଙ୍କୁ ଅଭିଶାପ ଦେଲେ କେମିତି ? ଶଙ୍କର ହସି ହସି କହିଲେ, ହଁ ଭବାନୀ ! ଭଗଵାନ ଯାହାକୁ ଯେପରି କରିବା ପାଇଁ ଚାହାଁନ୍ତି ସେ ସେହି ମୁହୂର୍ତ୍ତରେ ସେପରି ହୋଇଯାଏ l ଏହିପରି କହି ସେ ପାର୍ବତୀଙ୍କୁ ଏକ ସୁନ୍ଦର ଉପାଖ୍ୟାନ ଶୁଣାଇଲେ l
ଶିବ କହିଲେ,ଶୁଣ ଉମା,ହିମାଳୟରେ ଏକ ସୁନ୍ଦର ଗୁମ୍ଫା ଥିଲା l ସେହି ଗୁମ୍ଫାର ପାର୍ଶ୍ଵ ଦେଇ କୁଳୁ କୁଳୁ ନାଦରେ ଗଙ୍ଗାନଦୀ ବହି ଯାଉଥିଲା l ଦିନେ ନାରଦ ସେହି ପଥଦେଇ ଯାଉଥିଲାବେଳେ ଗୋଟିଏ ସୁନ୍ଦର ଆଶ୍ରମ ଦେଖିଲେ l ସେହି ସୌନ୍ଦର୍ଯ୍ୟକୁ ଉପଭୋଗ କରୁ କରୁ, ଦେବର୍ଷି ଭଗବାନଙ୍କ ବିଭୂତି ସ୍ମରଣକରି ସମାଧିସ୍ଥ ହୋଇପଡ଼ିଲେ l ସେପରି ସ୍ଥିତିରେ କେତେ ଶହ କଳ୍ପ ବିତିଗଲା l ତାଙ୍କ ତପସ୍ୟାରେ ଦେବରାଜ ଇନ୍ଦ୍ର ଶଙ୍କିତ ହୋଇ ପଡ଼ିଲେ ଓ ତପସ୍ୟା ଭଙ୍ଗ ପାଇଁ ସେ କାମଦେବଙ୍କୁ ନିର୍ଦ୍ଦେଶ ଦେଲେ l
କାମଦେବ ଆସି, କୃତ୍ରିମ ବସନ୍ତ ସୃଷ୍ଟି କଲେ l ବୃକ୍ଷ ଲତାମାନେ କୁସୁମିତ ହୋଇଉଠିଲେ l ମୃଦୁ ମଳୟ ପବନ ବହିବାରେ ଲାଗିଲା l ଦେବାଙ୍ଗନା ଅପସରା ମାନେ ନୃତ୍ୟଗୀତ କରି ସ୍ଥାନଟିକୁ ମୁଖରିତ କଲେ l ମାତ୍ର ଏହାର କୌଣସି ପ୍ରଭାବ ଦେବର୍ଷିଙ୍କ ଉପରେ ପଡ଼ିଲାନାହିଁ l କାମଦେବ ନିଜର ଭୁଲ ସ୍ୱୀକାରକରି ମହର୍ଷିଙ୍କ ଚରଣରେ ପ୍ରଣାମ କଲେ l ନାରଦଙ୍କ ଧ୍ୟାନ ଭଗ୍ନ ହେବାରୁ ସେ ସବୁ କଥା ଜାଣି ପାରିଲେ l କିନ୍ତୁ ତାଙ୍କର ଏଥିରେ କୌଣସି କ୍ରୋଧ ହେଲାନାହିଁ, ବରଂ ମୁନି ତାଙ୍କୁ ପ୍ରୀୟ ବଚନ କହି, ଆଶୀର୍ବାଦ ଦେଲେ l କାମଦେବ ଫେରିଯାଇ ଇନ୍ଦ୍ରଙ୍କୁ ସମସ୍ତ କଥା ବର୍ଣ୍ଣନା କରିବାରୁ, ଇନ୍ଦ୍ର ଦେବର୍ଷିଙ୍କ ମହତ୍ତ୍ଵ ସ୍ବୀକାର କଲେ l ନାରଦ ଯାଇ ଶିବଙ୍କ ନିକଟରେ କାମଦେବ କିପରି ଅକୃତକାର୍ଯ୍ୟ ହେଲେ, ସେକଥା କହିଲେ l ଏଥିରେ ତାଙ୍କର ଟିକିଏ ଅହଂ ଭାବ ପ୍ରକାଶ ପାଇଲା l ଏହା ଶିବ ଜାଣିପାରି ତାଙ୍କୁ କହିଲେ,ତୁମେ ଯେପରି ମୋ ସମ୍ମୁଖରେ ସବୁ ଘଟଣା ବର୍ଣ୍ଣନାକଲ ସେପରି ତୁମେ ବିଷ୍ଣୁଙ୍କ ସମ୍ମୁଖରେ କରିବ ନାହିଁ l
ଦିନେ ହରିନାମ କୀର୍ତ୍ତନ କରି ନାରଦ ଯାଇ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ l ପରମ ଭକ୍ତ ନାରଦଙ୍କୁ ବିଷ୍ଣୁ ସାଦରେ ସ୍ବାଗତ କରି ଆସନରେ ବସାଇ କହିଲେ, ବହୁଦିନ ପରେ ସଦୟହୋଇ ତୁମେ ଏଠାକୁ ଆସିଛ ଏହା ମୋର ଆନନ୍ଦବର୍ଦ୍ଧନ କରୁଛି l ନାରଦ ଗଦ୍ଗଦ ହୋଇ ପଡ଼ିଲେ l ଉତଫୁଲିତ ନାରଦ କାମଦେବଙ୍କୁ କିପରି ଜୟ କରିପାରିଛନ୍ତି ତାହା ବିଷ୍ଣୁଙ୍କୁ କହିଲେ l ବିଷ୍ଣୁ, ନାରଦଙ୍କର ଟିକିଏ ଅହଙ୍କାର ହୋଇ ଯାଇଛି ଭାବି ଚିନ୍ତାକଲେ,ନାରଦ ମୋର ପରମ ଭକ୍ତ l ମୋ ଭକ୍ତ ମାନଙ୍କ ହୃଦୟରେ ଗର୍ବ ସ୍ଥାନ ପାଇଲେ ତାହା ଭକ୍ତ ନିମନ୍ତେ କଲ୍ୟାଣକର ନୁହେଁ l ମୋତେ ଭକ୍ତର କଲ୍ୟାଣ ପାଇଁ କିଛି କରିବାକୁ ପଡ଼ିବ l
ନାରଦ ଫେରିଆସିଲେ l ସେ ହରିନାମ ଗାଇ ଗାଇ ଚାଲିଥାନ୍ତି, ପଥରେ ଏକ ସୁନ୍ଦର ନଗର ଦେଖିଲେ l ଶୀଳାନିଧି ନାମରେ ଜଣେ ଜ୍ଞାନୀ ଗୁଣି ରାଜା ସେଠି ରାଜତ୍ଵ କରୁଥାନ୍ତି l ତାଙ୍କର ବିଶ୍ଵମୋହିନୀ ନାମରେ ଅନିନ୍ଦ୍ୟରୂପବତୀ କନ୍ୟାଟିଏ ଥିଲା l ସେତେବେଳେ ସେହି କନ୍ୟାର ସ୍ଵୟମ୍ବର ସଭାରେ ଆସି ବହୁ ରାଜା ମହାରାଜା ଏକତ୍ରିତ ହୋଇଥିଲେ l ଏ କଥା ନାରଦ ଶୁଣି ରାଜ ଭବନରେ ପ୍ରବେଶ କଲେ l ଖୁସି ହୋଇ ରାଜା ନାରଦଙ୍କୁ ପାଛୋଟିନେଇ ତାଙ୍କର ଯଥୋଚିତ ଅଭ୍ୟର୍ଥନା କଲେ ଓ ରାଜକୁମାରୀ ବିଶ୍ଵମୋହିନୀକୁ ଡାକି ତ୍ରିକାଳଦର୍ଶୀ ମୁନିଙ୍କ ଠାରୁ ତାଙ୍କର ଭବିଷ୍ୟତ ବିଷୟରେ ଜାଣିବାକୁ ଇଚ୍ଛା କଲେ l
ବିଶ୍ଵମୋହିନୀକୁ ଦେଖିବା ମାତ୍ରେ ନାରଦ ତାଙ୍କପ୍ରତି ଆକୃଷ୍ଠ ହୋଇପଡ଼ିଲେ l କନ୍ୟାର ସୁଲକ୍ଷଣ ଗୁଡ଼ିକ ସେ ରାଜାଙ୍କୁ କହିଲାବେଳେ ଭାବୁଥିଲେ ମୁଁ ଯାଉଛି ଏପରି ଗୋଟିଏ ଉପାୟ କରିବି ଯେପରି ଏ କନ୍ୟା ମୋତେ ବରଣମାଳା ଦେବ l କିନ୍ତୁ ମୋର ସେପରି ରୂପ ତ ନାହିଁ !! ଏ ଅପରୂପା ରାଜକୁମାରୀ ମୋତେ କଅଣ ବରଣ କରିବ !!!
ନାରଦ ନାରାୟଣଙ୍କୁ ସ୍ମରଣ କଲାରୁ ପ୍ରଭୁ ତତ୍କ୍ଷଣାତ ସେଠାରେ ଉପସ୍ଥିତହେଲେ l ନାରଦ ତାଙ୍କୁ ପ୍ରାର୍ଥନା କରି କହିଲେ,ଆପଣ ଭକ୍ତ ମନୋବାଞ୍ଛା ପୂର୍ଣ୍ଣକାରୀ l ମୋର ଗୋଟିଏ ନିବେଦନ, ଆପଣ ଅନୁଗ୍ରହ କରି ମୋତେ ଆପଣଙ୍କ ସୁନ୍ଦରରୂପ ଦିଅନ୍ତୁ l ସୁନ୍ଦର ରୂପ ବିନା ମୁଁ ବିଶ୍ଵମୋହିନୀକୁ ପାଇ ପାରିବି ନାହିଁ l ପ୍ରଭୁ କହିଲେ, ତୁମର ଯେଉଁଥିରେ ହିତହେବ ମୁଁ ତାହାହିଁ କରିବି l ମୋ ବାକ୍ୟ ଅସତ୍ୟ ହେବ ନାହିଁ l
ନାରଦ ଅତି ଆନନ୍ଦିତ ହୋଇ ସ୍ଵୟଂମ୍ବର ସଭାରେ ଯାଇ ବସିଲେ l ସେ ଅତି କୁରୂପ ଥିଲେ l ସଭାରେ ଶିବଙ୍କର ଦୁଇ ଜଣ ଅନୁଚର ବ୍ରାହ୍ମଣ ବେଶ ହୋଇ ବସିଥିଲେ l ଦୁଇଅନୁଚର ନାରଦଙ୍କୁ ଶୁଣାଇ ଶୁଣାଇ କହୁଥାନ୍ତି,ଭଗବାନ୍ ଏ ମୁନିଙ୍କୁ କେତେ ସୁନ୍ଦର ରୂପ ନ ଦେଇଛନ୍ତି l ରାଜକୁମାରୀ ନିଶ୍ଚୟ ଏହାଙ୍କୁ ବରଣ ମାଳା ପିନ୍ଧାଇବେ l ସେମାନେ ଯେ ବ୍ୟଙ୍ଗ କରୁଛନ୍ତି ନାରଦ ତାହା ବୁଝି ପାରିଲେ ନାହିଁ l
ବିଶ୍ଵମୋହିନୀ ବରଣମାଳା ଧରି ଆସିଲେ l କୁରୁପ ନାରଦଙ୍କ ପାଖକୁ ଆସି, ସେ ଘୃଣାରେ ମୁହଁ ମୋଡ଼ି ଚାଲିଗଲେ l ଏତିକିବେଳେ ଭଗବାନ୍ ବିଷ୍ଣୁ ଜଣେ ସୁନ୍ଦର ରାଜା ବେଶରେ ଆସି ସେଇଠି ପହଁଚିଲେ l ରାଜକୁମାରୀ ତାଙ୍କରି ଗଳାରେ ବରଣମାଳ ପିନ୍ଧାଇ ଦେବାରୁ ନାରଦ ହତାଶ ହୋଇପଡ଼ିଲେ l ଶିବଗଣ ଦ୍ୱୟ ବିଦ୍ରୁପକରି କହିଲେ ହେ କନ୍ୟାପ୍ରାର୍ଥୀ ବ୍ରାହ୍ମଣ, ତୁମେ ଟିକିଏ ତୁମ ମୁଖ ଦର୍ପଣରେ ଦେଖିଆସ l
ନାରଦ ଯାଇ ଜଳରେ ନିଜର ପ୍ରତିବିମ୍ବ ଦେଖି ଖୁବ୍ କ୍ରୋଧିତ ହୋଇ ଶିବଗଣଙ୍କୁ କହିଲେ, ତୁମେମାନେ କପଟ ବେଶରେ ମୋତେ ବିଦ୍ରୁପ କଲ l ମୁଁ ତୁମକୁ ଅଭିଶାପ ଦେଉଛି,ତୁମେମାନେ ରାକ୍ଷସହୋଇ ଜନ୍ମ ହୁଅ l ନାରଦ ସଭାରୁ ଫେରି ଆସିଲେ ଓ ପଥରେ ନାରାୟଣଙ୍କ ସହିତ ବିଶ୍ଵମୋହିନୀଙ୍କୁ ଯାଉ ଥିବାର ଦେଖିଲେ l ମୁନି ନାରାୟଣଙ୍କୁ ଦେଖି କହିଲେ, ହେ ନାରାୟଣ ଆପଣ ବଡ଼ କପଟି l ସମୁଦ୍ର ମନ୍ଥନରେ ଆପଣ ଶିବଙ୍କୁ ବିଷ ପିଆଇଲେ, ଅସୁରଙ୍କୁ ମଦିରା ପିଆଇଲେ,କିନ୍ତୁ ସୁନ୍ଦରୀ ଲକ୍ଷ୍ମୀଦେବୀ ଓ କୌସ୍ତୁଭ ମଣିକୁ ନିଜେ ନେଇଗଲେ l କାହାକୁ ବା ଆପଣଙ୍କ ଶଠତା ଅବିଦିତ ଅଛି l ଏଣୁ ମୁଁ ଅଭିଶାପ ଦେଉଛି, ଆପଣ ଯେଉଁ ଶରୀର ଧାରଣ କରି ମୋ ପ୍ରତି ଏହି ଶଠତା ଆଚରଣ କରିଛନ୍ତି, ଆପଣ ସେହି ଶରୀର ଧରି ପୃଥିବୀରେ ଜନ୍ମ ହେବେ l ଯେଉଁ ବାନର ରୂପ ଆପଣ ମୋତେ ଦେଇଛନ୍ତି, ସେହି ବାନର ମାନଙ୍କ ସାହଯ୍ୟ, ଆପଣ ଭିକ୍ଷା କରିବେ l ମୁଁ ଯେଉଁ ସ୍ତ୍ରୀକୁ ପାଇବି ଇଚ୍ଛାକରିଥିଲି ଆପଣ ତାକୁ ମୋଠୁଁ ଛଡ଼ାଇ ନେଲେ l ସେଥିପାଇଁ ଆପଣଙ୍କୁ ସ୍ତ୍ରୀ ବିଚ୍ଛେଦ ଦୁଃଖ ଭୋଗ କରିବାକୁ ପଡ଼ିବ l
କଥା ଶେଷ କରି, ମହାଦେବ ପାର୍ବତୀଙ୍କୁ କହିଲେ, ହେ ଉମେ ! ଶ୍ରୀହରିଙ୍କ ଲୀଳା ବଡ଼ ବିଚିତ୍ର l ତାଙ୍କ ନରତନୁ ଧାରଣ କରିବାର ଏପରି ଅନେକ କାରଣ ରହିଛି l ହରି ଅନନ୍ତ୍ ତାଙ୍କ କଥା ଅନନ୍ତ l ସନ୍ଥଜନ ମାନେ ତାହା ବହୁବିଧ ରୁପରେ କହନ୍ତି ଓ ଶୁଣନ୍ତି l
ଗୋସ୍ବାମୀ ତୁଳସୀଙ୍କ ଭାଷାରେ:-
ହରି ଅନନ୍ତ ହରି କଥା ଅନନ୍ତା l
କହହିଁ ସୁନହିଁ ବହୁବିଧ ସବ ସନ୍ତା ll
ନାରାୟଣ ପ୍ରୀୟ ଭକ୍ତର ଅଭିଶାପ ଗ୍ରହଣ କଲେ l ଏହା ଥିଲା ଭଗଵାନଙ୍କର ମାୟା l ସେ ମାୟା ଛିନ୍ନ କରିନେବାରୁ ସମସ୍ତ କଥା ବୁଝିପାରି ନାରଦ ତାଙ୍କୁ ପ୍ରଣାମ କରି କହିଲେ, ପ୍ରଭୂ ! ମୁଁ ତ ଆପଣଙ୍କୁ ବହୁ କଟୁକଥା କହିଦେଲି l ମୋର ପାପ କଟିବ କିପରି?
ପ୍ରଭୂ କହିଲେ,ଏସବୁ ମୋରି ଇଚ୍ଛାରୁ ହେଲା l ତୁମେ ଶିବ ଶତନାମ ଜପ କର ଶାନ୍ତି ପାଇବ l
ଦେବର୍ଷିଙ୍କୁ ନିଜ ସ୍ୱରୁପରେ ଦର୍ଶନ କରି, ଶିବଗଣ ଦ୍ୱୟ ତାଙ୍କର ଚରଣ ସ୍ପର୍ଶ କଲାରୁ ନାରଦ କହିଲେ, ମୋ ଅଭିଶାପରୁ ତୁମେ ଦୁହେଁ ଅସୁରଜନ୍ମ ପାଇଲେ ମଧ୍ୟ, ଅମାପ ଐଶ୍ୱର୍ଯ୍ୟ ଶାଳୀ ଓ ଅମିତ ପରାକ୍ରମ ଶାଳୀ ହେବ l ଭଗବାନ୍ ମନୁଷ୍ୟତନୁ ଧାରଣ କରି ଯେତେ ବେଳେ ତୁମକୁ ବିନାଶ କରିବେ, ସେତେ ବେଳେ ପୁଣି ତୁମେ ଶିବଲୋକରେ ସ୍ଥାନପାଇବ l
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.