ନବରଙ୍ଗପୁରରୁ ରାଜ୍ୟବାସୀଙ୍କ ପାଇଁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ

ନବରଙ୍ଗପୁର : ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ନବରଙ୍ଗପୁରରୁ ରାଜ୍ୟବାସୀଙ୍କ ପାଇଁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କରିବା ଅବସରରେ ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ଅନେକ ସମୟରେ ଅର୍ଥାଭାବ ବା ପାରିବାରିକ ଜଞ୍ଜାଳ ଯୋଗୁଁ ଆମର ଗରିବ ଓ ବରିଷ୍ଠ ନାଗରିକମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହୁଛନ୍ତି। ସେମାନଙ୍କର ସେହି ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ହୋଇଥିବା ଏହି ଯୋଜନାରେ ସରକାର ‘ଶ୍ରବଣ କୁମାର’ ଭୂମିକା ନିର୍ବାହ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାସହିତ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଆଜି ନବରଙ୍ଗପୁର ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଗାମୀ ବଜେଟ ପାଇଁ ସମସ୍ତଙ୍କଠାରୁ ପ୍ରସ୍ତାବ ନେଉଛୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୦୧ ଜଣ କନ୍ୟା ରତ୍ନଙ୍କୁ ସରକାର ଆଶୀର୍ବାଦ ଦେଇ ସାରିଛନ୍ତି। ଆଙ୍କାକ୍ଷା ଯୋଜନା ନବରଙ୍ଗପୁର ମାଟିରୁ ଆରମ୍ଭ ହେବାକୁ ଯାଉଛି। ରାଜଧାନୀରୁ ଦୀର୍ଘ ଦୂରରେ ଥିବା ଏହି ଜିଲାର ଉପାନ୍ତ ଅଞ୍ଚଳର ବିକାଶ ହେବ। କମ୍ ସମୟରେ ମେଡିକାଲ କଲେଜ ଛିଡା ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହି ମେଡିକାଲ କଲେଜରେ ୧୦୦ ସିଟରେ ଏମବିବିଏସ ପାଠପଢ଼ା ହେବ। ଖୁବଶୀଘ୍ର ଅନ୍ୟ ୪ଟି ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ନବରଙ୍ଗପୁର ଜିଲାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ଜଳସେଚନର ଭିତ୍ତିଭୂମି ବିକାଶ ପାଇଁ ୪୪୬ କୋଟି ଟଙ୍କା ଖର୍ଚ୍ଚ ହେବ। ମଣ୍ଡେଇ ପଡ଼ିଆ ବିକାଶ ପାଇଁ ୭ କୋଟି, ହିର୍ଲି ଡଙ୍ଗରୀ ପାଇଁ ୫କୋଟି ଖର୍ଚ୍ଚ ହେବ। ପାନୀୟ ଜଳ ପ୍ରକଳ୍ପ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ନବରଙ୍ଗପୁର ସହରର ବାଇପାସ ଡିସେମ୍ବର ସୁଦ୍ଧା ସରିବ। ଭାରତ ମାଳା, ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ କରାଯାଇଛି। ଜୁନାଗଡ଼ରୁ ନବରଙ୍ଗପୁର ରେଳପଥ ହେବ। ଜୟପୁରରୁ ବ୍ରହ୍ମପୁର ୬ ଥାକିଆ ରାସ୍ତା ହେବ। ଆଞ୍ଚଳିକ ବୈଷମ୍ୟ ରହିବ ନାହିଁ। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ପର୍ଯ୍ୟଟନ ବିଭାଗ ଦ୍ୱାରା ରାଜ୍ୟସ୍ତରରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ ନବରଙ୍ଗପୁରରୁ ହୋଇଥିବାବେଳେ ଏଥିରେ ଆଜି ୧୪୮ଜଣ ୪ଟି ବସରେ ପୁରୀ ଯାତ୍ରା କରିଛନ୍ତି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଓଡ଼ିଶାରେ ୩ଟି ମେଡିକାଲ କଲେଜ ୬୦ ବର୍ଷ ଧରି ଥିଲା। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଇଛି। ୫ବର୍ଷରେ ସବୁ ମେଡିକାଲ କଲେଜରେ ଆସନ ସଂଖ୍ୟା ବଢ଼ିବ ବୋଲି ସେ କହିଥିଲେ।

ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୂଆ ସରକାର ଆସିବା ପରେ ନବରଙ୍ଗପୁର ମେଡିକାଲ କଲେଜ ଶିଳାନ୍ୟାସ ଏବଂ ଶ୍ରୀ ଜଗନ୍ନାଥ ଦର୍ଶନ ଯାତ୍ରା ଆରମ୍ଭ ଆମ ପାଇଁ ଐତିହାସିକ ଦିନ ବୋଲି ମତବ୍ୟକ୍ତ କରିଥିଲେ।
ସାଂସଦ ବଳଭଦ୍ର ମାଝୀ ଡବଲ ଇଞ୍ଜିନ ସରକାର ପକ୍ଷରୁ ରେଳ ପଥରେ ଜିଲାକୁ ଯୋଡିବାକୁ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ, କୋଟପାଡ଼ ବିଧାୟକ ରୂପୁ ଭତରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ରାଜ୍ୟସଭା ସାଂସଦ ମୁନ୍ନା ଖାନ, ସ୍ବାସ୍ଥ୍ୟ ସଚିବ ଅଶ୍ବଥୀ.ଏସ. ମେଡିକାଲ କଲେଜ ସମ୍ପର୍କରେ ଓ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ବାଣିଜ୍ୟ ଓ ପରିବହନ ସଚିବ ଏନବିଏସ ରାଜପୁତ ଓ ଜିଲାପାଳ ଡ଼.ମହେଶ୍ବର ସ୍ବାଇଁ ପ୍ରମୁଖ ଉଦବୋଧନ ଦେଇଥିଲେ।

ଏହି ଅବସରରେ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୨୨୬.୯୨ ଲକ୍ଷ ଟଙ୍କା, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ୮୪୯.୧୮ ଲକ୍ଷ, ନବରଙ୍ଗପୁର ବାଇପାସ ରାସ୍ତା ପାଇଁ ୧୬୮୯୫ ଲକ୍ଷ ଟଙ୍କା, ଧୋଡ୍ରା ପାରା ଠାରୁ ଧୋଡ୍ରା ପାରା କଲୋନୀ ରାସ୍ତା ନିର୍ମାଣ ୬୧୨.୦୩ ଲକ୍ଷ ଟଙ୍କା, ଇନ୍ଦ୍ରାବତୀ ନଦୀରେ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ୩୮୭୬ .୦୦ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।
କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣିମା ନାୟକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜିଲା ସଭାପତି କୁଞ୍ଜ ବିହାରୀ ଦାସ ଉପସ୍ଥିତ ଥିଲେ। ଅପରାହ୍ନରେ ଦିବଙ୍ଗତ ପୂର୍ବତନ ବିଜେପି ଜିଲା ସଭାପତି ଗଙ୍ଗାଧର ସାମନ୍ତରାୟଙ୍କର ଘରକୁ ମୁଖ୍ୟମନ୍ତ୍ରୀ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ।

Comments are closed.