ମୁମ୍ବାଇ ବିମାନବନ୍ଦରରେ ଶାହରୁଖ ଅଟକ

ବିଳାସପୂର୍ଣ୍ଣ ଘଣ୍ଟା ପାଇଁ ୬.୮୩ ଲକ୍ଷ ଟଙ୍କାର ବହିଃଶୁଳ୍କ ଦେବା ପରେ ଛାଡ଼ ପାଇଲେ

ମୁମ୍ବାଇ : ବଲିଉଡ୍ ଅଭିନେତା ଶାହରୁଖ ଖାନ୍‌ଙ୍କୁ ଶନିବାର ସକାଳେ ମୁମ୍ବାଇ ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି। ତାଙ୍କ ବ୍ୟାଗ୍‌ରେ କେତେକ ବିଳାସପୂର୍ଣ୍ଣ ଘଣ୍ଟା ଥିବାର ଦେଖି ତାଙ୍କୁ କଷ୍ଟମ୍ସ ଡ୍ୟୁଟି (ବହିଃଶୁଳ୍କ) ବିଭାଗର ଅଧିକାରୀମାନେ ୪ ଘଣ୍ଟା ଧରି ଅଟକାଇଥିଲେ। ସେ ୬ ଲକ୍ଷ ୮୩ ହଜାର ଟଙ୍କାର ଶୁଳ୍କ ଦେବା ପରେ ତାଙ୍କୁ ବିମାନବନ୍ଦରରୁ ଛଡ଼ାଯାଇଥିଲା।

ଶାହରୁଖ ସାରଜାରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଏକ ଘରୋଇ ବିମାନରେ ସେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ୩ ନମ୍ବର ଟର୍ମିନାଲରେ ଓହ୍ଲାଇଥିଲେ। ଚେକିଂ ବେଳେ ତାଙ୍କ ବ୍ୟାଗ୍‌ରୁ ୬ଟି ବିଳାସପୂର୍ଣ୍ଣ ଘଣ୍ଟା ମିଳିଥିଲା ଯାହାର ଦାମ୍ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ। ଏଣୁ ସୀମାଶୁଳ୍କ ଅଧିକାରୀମାନେ ଟିକସ ଦେବାକୁ ବାଧ୍ୟ କରିଥିଲେ। ପ୍ରାୟ ୪ ଘଣ୍ଟାକାଳ ଅଟକ ରହିବା ପରେ ଶେଷକୁ ସେ ୬ ଲକ୍ଷ ୮୩ ହଜାର ଟଙ୍କାର ଶୁଳ୍କ ପଇଠ କରିଥିଲେ। ତା’ପରେ ତାଙ୍କୁ ବିମାନବନ୍ଦରରୁ ବାହାରକୁ ଛଡ଼ାଯାଇଥିଲା।

ସୂଚନାଯୋଗ୍ୟ ଯେ ଶାହରୁଖ ଗତକାଲି ଅନ୍ତର୍ଜାତୀୟ ପୁସ୍ତକମେଳା ୨୦୨୨ରେ ଯୋଗ ଦେବାକୁ ସାରଜା ଯାଇଥିଲେ। ସେଠାରେ ତାଙ୍କୁ ଅନ୍ତର୍ଜାତୀୟ ସିନେମା ଓ ସଂସ୍କୃତିକୁ ଅବଦାନ ପାଇଁ ‘ଗ୍ଲୋବାଲ ଆଇକନ ଅଫ୍ ସିନେମା’ ଏବଂ ‘କଲଚରାଲ ନ୍ୟାରେଟିଭ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଥିଲା।

Comments are closed.