ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ: ସରକାର ଅପରାଧୀଙ୍କୁ କେବେ ସୁରକ୍ଷା ଦେଇନାହାନ୍ତି କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ମୁଲତବୀ ପ୍ରସ୍ତାବରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ବର: ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅର୍ଚ୍ଚନା ଘଟଣାରେ କାହିଁକି ମୁଖ୍ୟମନ୍ତ୍ରୀ ନିରବ। କଣ ବ୍ଲାକମେଲ ହୋଇଛି ତାହା ସମସ୍ତ ଜାଣିବାକୁ ଚାହୁଁଛନ୍ତି। ଏହି ଘଟଣାରେ ଅନେକ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଏବଂ ଫଟୋ ଥିଲେ ବି ତାଙ୍କୁ ପୁଲିସ ଥରୁଟିଏ ବି ସେମାନଙ୍କୁ ଡାକିନାହିଁ। ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି। ତେଣୁ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଆଉ ଗୃହ ରାଷ୍ଟ୍ରମନ୍ତ୍ରୀ ସଠିକ ତଥ୍ୟ ଆଣି ଗୃହରେ ଉପସ୍ଥାପନ କରନ୍ତୁ।

ଏଣେ ଆଲୋଚନାରେ ଅଂଶ ଗ୍ରହଣ କରି ବିଜେପି ବିଧାୟକ କେ ନାରାୟଣ ରାଓ କହିଛନ୍ତି, ଅର୍ଚ୍ଚନାଙ୍କୁ ମୁଁ ହାତଯୋଡ଼ି ନମସ୍କାର କରୁଛି। ସେ କେତେ ଲୋକଙ୍କୁ ସମ୍ଭାଳି ଥିଲା। ଆଇପିଏସ୍, ଆଇଇଏସ୍ ଏବଂ ଅନେକ ବଡ଼ବଡିଆକୁ ସେ ସମ୍ଭାଳି ଥିଲା ତେଣୁ ତାକୁ ଧନ୍ୟବାଦ ଦେଉଛି।

ତେଣେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି,ଗୃହରେ ଯେଉଁ ପ୍ରସଙ୍ଗ ଆଲୋଚନା ହେଉଛି ତାହା ନିଶ୍ଚିତ ଭାବେ ସେନସେସନାଲ କେସ। ଅପରାଧୀଙ୍କୁ ସୁରକ୍ଷା ଦେବାର ଥିଲେ ଏଠି କିପରି ବାହାର ରାଜ୍ୟର ଅପରାଧୀଙ୍କୁ ଧରାଯାଉଛି। ରାଜ୍ୟର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ। ରାଜ୍ୟରେ ପର୍ଯ୍ୟଟକ ବଢ଼ୁଛନ୍ତି ଯାହା ପ୍ରମାଣିତ କରୁଛି ଯେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ। ବଡ଼ବଡ଼ିଆଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ କି ନାହିଁ ତାହା ତଦନ୍ତକାରୀ ସଂସ୍ଥା ନିଷ୍ପତ୍ତି ନେବ। ଯିଏ ଅପରାଧ କରିଛି ସେ ଦଣ୍ଡିତ ହେବା ଉଚିତ।

ଏହି ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ସରକାର ଅପରାଧୀଙ୍କୁ କେବେ ସୁରକ୍ଷା ଦେଇନାହାନ୍ତି। ଏଭଳି ଅଭିଯୋଗ ଭିତ୍ତିହୀନ। ଏହି ମାମଲାର ତଦନ୍ତ ହୋଇ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରାଯାଇଛି।

Comments are closed.