ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ପାଇଁ ଆନ୍ଦୋଳନ ତେଜିଲା

0

ଭୁବନେଶ୍ୱର,୨୧-୦୫-: ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଆଜି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ଶ୍ରୀ ପଦ୍ମଚରଣ ନାୟକଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।  ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଏହି ଆଲୋଚନା ସଭାରେ ସମବେତ ବକ୍ତାମାନେ ରାଜ୍ୟ ସରକାରଙ୍କ ମଦ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ମଦ ବନ୍ଦ କରିଵ ଯିଏ ଆମର ଭୋଟ ପାଇଵ ସିଏ ଆନ୍ଦୋଳନ ଯେତେବେଳେ ରାଜ୍ୟରେ ତୀବ୍ର ହେଲା ସେହି ସମୟରେ ବି.ଜେ.ପି ଦଳ ତାର ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ  କରିବା ନିମନ୍ତେ ଦୃଢ ପ୍ରତିଶ୍ରୁତି ଦେଇଥିଲା । ଆସନ୍ତା ଜୁନ୍ ୧୨ ତାରିଖରେ ସରକାର  ଦୁଇବର୍ଷ ପୂରଣ କରିବାକୁ ଯାଉଥିବା ବେଳେ  ଗୋପନୀୟ ଭାବେ ଅଧିକରୁ ଅଧିକ ମଦ ଦୋକାନ ଖୋଲିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।

ଆସନ୍ତା ପଞ୍ଚାୟତ ନିର୍ବାଚନ ସୁଦ୍ଧା ଯଦି ସରକାର ମଦ ବନ୍ଦ ନ କରନ୍ତି ତେବେ ଗ୍ରାମ ଠାରୁ ରାଜଧାନୀ ପର୍ଯ୍ୟନ୍ତ ପ୍ରବଳ ଜନ ଆନ୍ଦୋଳନ ମାଧ୍ୟମରେ ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଘୋଷଣା କରିବା ପାଇଁ ସରକାର ଙ୍କୁ ବାଧ୍ୟ କରାଯିବା ନିମନ୍ତେ ସର୍ବସମ୍ମତ ଭାବେ ସ୍ଥିର କରାଗଲା। ସରକାରଙ୍କ ୧୨ ଜୁନରେ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସେହିଦିନ ଠାରୁ ମଦମୁକ୍ତ ଓଡ଼ିଶା ଘୋଷଣା ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପ୍ରତିଦିନ କଳାପତାକା ଅଭିଯାନ ଚାଲୁ ରହିବା, ଗ୍ରାମ ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସଂଗଠନକୁ ମଜବୁତ କରିବା,ଏବଂ୧୨ ଜୁନ୍ ରେ ପ୍ରତି ଜିଲ୍ଲା କାର୍ଯ୍ୟାଳୟରେ ସତ୍ୟାଗ୍ରହ ପ୍ରଭୃତି କାର୍ଯ୍ୟକ୍ରମ ମାନ କରି ଏହି ଆନ୍ଦୋଳନ କୁ ଅଧିକ ରୁ ଅଧିକ ତେଜିୟାନ କରାଯିବା ସହିତ ମଦମୁକ୍ତ ଓଡ଼ିଶା ଘୋଷଣା କରାଯିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବା ନିମନ୍ତେ ସ୍ଥିର କରାଗଲା। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସମ୍ପାଦକ ରମାକାନ୍ତ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଅଦ୍ୱୈତ ପାତ୍ର, ମଳୟ ତ୍ରିପାଠୀ, ଶୁଭେନ୍ଦୁ ରାଉତରାୟ, ପ୍ରିୟନାଥ ଆଚାର୍ଯ୍ୟ,ଦୁର୍ଗା ପ୍ରସାଦ ଦାସ, ଖଗେଶ୍ବର ବଳ, ଅର୍ଜୁନ ସାମନ୍ତରାୟ,ଅରୁଣ ସ୍ବାଇଁ, ସ୍ନେହାଂଶୁ ଜେନା ,ଇନ୍ଦୁମତୀ ସାହୁ ପ୍ରମୁଖ ଏହାକୁ ପରିଚାଳନା କରିଥିଲା ବେଳେ ଜ୍ୟୋତ୍ସ୍ନା ପ୍ରଧାନ, ପ୍ରତି ନାୟକ, ଗୀତାଞ୍ଜଳୀ ଦଳେଇ, ଗୀତାଞ୍ଜଳୀ ସ୍ବାଇଁ,ମଳୟ ପଣ୍ଡା,ସୁହାନା ବେଗମ, ସଂଗ୍ରାମ କେଶରୀ ମହାନ୍ତି, କୁଳମଣି ଶୁକ୍ଳ, କୃଷ୍ଣଚନ୍ଦ୍ର ମହାନ୍ତ,ସନ୍ଦୀପ ଶ୍ରୀବାସ୍ତବ,ବିଜୟଲକ୍ଷ୍ମୀ ମହାପାତ୍ର, କେଦାରନାଥ ସାହୁ, ଧନଞ୍ଜୟ ନାୟକ, ଲଲାଟେନ୍ଦୁ ଦାସମହାପାତ୍ର ପ୍ରଭୃତି ବକ୍ତବ୍ୟ ରଖିଥିଲେ।

 

 

ରମାକାନ୍ତ ମଣ୍ଡଳ

ସମ୍ପାଦକ
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ

୯୪୩୭୬୬୯୪୧୨

Leave A Reply

Your email address will not be published.