ମହାପ୍ରଭୁଙ୍କ ଅପୂର୍ଵ ଶ୍ରାଦ୍ଧବେଶ

ଅର୍ଜୁନୀ ଚରଣ ବେହେରା

ମହାପ୍ରଭୁଙ୍କ ଅପୂର୍ଵ ଶ୍ରାଦ୍ଧବେଶ
==============
ଶ୍ରୀମନ୍ଦିରେ ବିଜେ ବ୍ରହ୍ମାଣ୍ଡ ଠାକୁର
ଦିବ୍ୟଦାରୁ କଳେବରେ l
ମାନବ ଦେବତା ମାନବୀୟ ଲୀଳା
ଜୟ ଜଗଦୀଶ ହରେ ll
ଯୁଗେ ଯୁଗେ ପ୍ରଭୁ ଅବତରି ମର୍ତ୍ତ୍ୟେ
ଧର୍ମ ସଂସ୍ଥାପନ କରି l
ଦୁଷ୍ଟ ନିବାରଣେ ଶିଷ୍ଟଙ୍କ ପାଳନେ
ଲୀଳା ବିରଚନ୍ତି ହରି ll
ବାମନାବତାରେ ସତ୍ୟ ଯୁଗେ ପ୍ରଭୁ
କଶ୍ୟପ ଅଦିତି ସୁତ l
ଭିକ୍ଷା ମାଗି ବଳି ପାତାଳେ ଚାପିଲେ
ଭୂମି ତିନିପାଦ ମାତ୍ର ll
ତ୍ରେତୟାରେ ରମ୍ୟ ରାମ ଅବତାର
ହସ୍ତେ ଶୋଭେ ଧନୁର୍ବାଣ l
ଦଶରଥ ପିତା କୋଉଶଲ୍ୟା ମାତା
ଲଙ୍କେ ବଧିଲେ ରାବଣ ll
ଦ୍ୱାପରରେ ପ୍ରଭୁ ବରଜେ ନାଗର
ଜନମିଲେ କାରାଘରେ l
ବସୁଦେବ ପିତା ଦଇବକୀ ମାତା
ଜନ୍ମ ଅଷ୍ଟମ ଗର୍ଭରେ ll
କଂସାସୁର ଡରେ ଘନ ଅନ୍ଧକାରେ
ଗୋପପୁରେ ତାଙ୍କୁ ଛାଡ଼ି l
କନ୍ୟା ପାଲଟାଇ ବସୁଦେବ ନେଇ
ଆସିଲେ କାରା ବାହୁଡ଼ି ll
ବଡ଼ ଭାଗ୍ୟବନ୍ତ ଶ୍ରୀନନ୍ଦ ଯଶୋଦା
ଯୁଗ ଯୁଗ ତପ ସିଦ୍ଧି l
କଳା ମାଣିକକୁ ପାଳିଲେ ଯତନେ
ବାତ୍ସଲ୍ୟ ଡୋରିରେ ବାନ୍ଧି ll
କଳିଯୁଗେ ହରି ଶ୍ରୀଦାରୁମୁରାରୀ
ଶ୍ରୀକ୍ଷେତ୍ର ମଉଡ଼ମଣୀ l
ଅବନ୍ତୀ ରାଜନ ରାଜା ଇନ୍ଦ୍ରଦ୍ୟୁମ୍ନ
ଦୁଲାଳ ଗୁଣ୍ଡିଚା ରାଣୀ ll
ଦେବ ଦୀପାବଳି ମହାପ୍ରଭୁ ହେଲେ
ଅପରୂପ ଶ୍ରାଦ୍ଧ ବେଶ l
ଚାରି ଯୁଗ ପିତା ମାତାଙ୍କୁ ପୂଜନ୍ତି
ଜଗତେ ଦେଇ ସନ୍ଦେଶ ll
ପିତୃଙ୍କ ପୂଜନ କର ସଦା ଜନ
ଋଣ କେବା ସୁଝି ପାରେ l
ହେ ଲୀଳାବିଧୃତ କଳେବର ନାଥ
ଶରଣ ତାଙ୍କ ପୟରେ ll
ଚତୁର୍ଦ୍ଧା ମୂରତି କ୍ଷେତ୍ରେ ବିରାଜନ୍ତି
ନୀଳ ମହାସିନ୍ଧୁ ତୀରେ l
ଦରଶନେ ଖଣ୍ଡେ କୋଟି ଜନ୍ମ ପାପ
ଜୟ ଜଗଦୀଶ ହରେ ll
ଜୟ ଜଗଦୀଶ ହରେ !
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.