ବନ୍ୟାଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ ରବି ନାରାୟଣ ନାଏକ

ବାଲେଶ୍ୱର, ଜଳେଶ୍ୱର ଓ ଭୋଗରାଇରେ ରିଲିଫ୍‌ କାର୍ଯ୍ୟ ସମୀକ୍ଷା; ଜଳ ନିଷ୍କାସନ ଓ ପୁନରୁଦ୍ଧାର ଉପରେ ଗୁରୁତ୍ୱ

0
ବାଲେଶ୍ୱର, ୨୪/୮(କୃଷ୍ଣ କୁମାର ମହାନ୍ତି): ଗ୍ରାମୀଣ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସୋମବାର ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା ଓ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଉପସ୍ଥିତ ଥିଲେ।
ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ, ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲବ୍ୟ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡ. ମଧୁସ୍ମିତା ସାମନ୍ତରାୟଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ଗସ୍ତରେ ସାମିଲ ହୋଇଥିଲେ।
ମନ୍ତ୍ରୀ ଓ ପ୍ରତିନିଧି ଦଳ ବାଲେଶ୍ୱର, ଜଳେଶ୍ୱର ଓ ଭୋଗରାଇ ବ୍ଲକ୍‌ର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଏଥିସହ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ସାର୍ବଜନୀନ ଭିତ୍ତିଭୂମିର ସ୍ଥିତି ଆକଳନ କରିବା ସହ ଚାଲିଥିବା ରିଲିଫ୍‌ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଆବଶ୍ୟକ ପଦକ୍ଷେପ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
*ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ ପାଇଁ ନିର୍ଦ୍ଦେଶ*
କ୍ଷେତ୍ର ପରିଦର୍ଶନ ପରେ ଭୋଗରାଇଠାରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ହୋଇଥିଲା। ଗୁରୁତର ବନ୍ୟା ସମୟରେ ଯେପରି ଶୀଘ୍ର ଓ ସୁଗମ ଭାବେ ଜଳ ନିଷ୍କାସନ ହୋଇପାରିବ, ସେଥିପାଇଁ ଆବଶ୍ୟକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ କୁହାଯାଇଥିଲା। ଏଥିସହ ଡ୍ରେନେଜ୍‌ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଭବିଷ୍ୟତରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତିକୁ ଅଧିକ ଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
*କେହି ସହାୟତାରୁ ବଞ୍ଚିତ ନ ହୁଅନ୍ତୁ*
ବନ୍ୟା ସମୟରେ ସମୟୋପଯୋଗୀ ଉଦ୍ଧାର ଓ ସ୍ଥାନାନ୍ତରଣ ସହିତ ପ୍ରଭାବଶାଳୀ ରିଲିଫ୍‌ ବଣ୍ଟନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। କୌଣସି ବନ୍ୟା ପ୍ରଭାବିତ ବ୍ୟକ୍ତି ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି ଏବଂ ପ୍ରତ୍ୟେକ ଅସୁରକ୍ଷିତ ଓ ଆବଶ୍ୟକତାପୂର୍ଣ୍ଣ ପରିବାର ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ବିଳମ୍ବ ନକରି ପହଞ୍ଚେ, ସେଥିପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ପ୍ରତିକ୍ରିୟାଶୀଳ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା।
କ୍ଷତିଗ୍ରସ୍ତ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର
ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ସାର୍ବଜନୀନ ସମ୍ପତ୍ତି ଓ ଭିତ୍ତିଭୂମିର ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟାଜନିତ କ୍ଷୟକ୍ଷତିର ଦ୍ରୁତ, ସ୍ୱଚ୍ଛ ଓ ନିରପେକ୍ଷ ଆକଳନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହା ଦ୍ୱାରା କ୍ଷତିଗ୍ରସ୍ତ ଭିତ୍ତିଭୂମିର ସମୟୋପଯୋଗୀ ପୁନରୁଦ୍ଧାର ସହ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଶୀଘ୍ର ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଇଛି।
Leave A Reply

Your email address will not be published.