ମହନୀୟା ମନ୍ଥରା

ଅର୍ଜୁନୀ ଚରଣ ବେହେରା

ରାମାୟଣ ଯୁଗରେ ଆମ ଆର୍ଯ୍ୟଭୂମି ଭାରତବର୍ଷର ଉତ୍ତର ପଶ୍ଚିମ ଦିଗରେ କେକେୟ ବୋଲି ଗୋଟିଏ ଅତ୍ୟନ୍ତ ସମୃଦ୍ଧିଶାଳୀ ରାଜ୍ୟ ଥିଲା l ରାଜ୍ୟର ରାଜା ଥିଲେ ଅଶ୍ଵପତି l ସୂର୍ଯ୍ୟ ବଂଶୀ ମାନେ ରାଜତ୍ଵ କରୁ ଥିବା କୋଶଳ ସହିତ କେକେୟ ବହୁକାଳ ପର୍ଯ୍ୟନ୍ତ ମିତ୍ରତା ସୂତ୍ରରେ ଆବଦ୍ଧଥିଲା l ରାଜା ଅଶ୍ଵପତିଙ୍କର ସାତପୁଅ ଓ ଗୋଟିଏ କନ୍ୟାଥିଲା l ସେହି ଅଲିଅଳି ଦୁଲାଳୀର ନାଆଁ ଥିଲା କୈକେୟୀ l ରାଜା ଅଶ୍ଵପତି କୌଣସି କାରଣ ବଶତଃ, ତାଙ୍କ ମାତାଙ୍କୁ ନିର୍ବାସିତ କରିଥିଲେ l ଏଣୁ ପିଲାଟି ବେଳରୁ କୈକେୟୀ ଧାଈ ମାଆ ମନ୍ଥରାଙ୍କ ଯତ୍ନରେ ବଢ଼ିଥିଲେ l ସାତଭାଇରେ ଏକମାତ୍ର ଭଉଣୀ କୈକେୟୀ, ଶୈଶବରୁ କ୍ଷାତ୍ରବୃତ୍ତି ଅନୁଯାୟୀ ଯୁଦ୍ଧବିଦ୍ୟା,ଅସ୍ତ୍ରବିଦ୍ୟା,ରଥଚାଳନା ଆଦି ବିଦ୍ୟାରେ ବ୍ୟୁତ୍ପତି ହାସଲ କରିଥିଲେ l
ଯୌବନାବସ୍ଥାରେ ରାଜ କୁମାରୀ କୈକେୟୀ ଦିନେ
ସହେଲୀ ମାନଙ୍କ ଗହଣରେ ବନ ବିହାରରେ ଯାଇ ଅରଣ୍ୟରେ ଏକୋଇଶି ଦିନ ଅବସ୍ଥାନ କରିଥିଲେ l
ସେ ଅରଣ୍ୟରେ ବହୁ ମୁନୀଋଷି ବାସ କରୁ ଥିଲେ l କିଛିଦିନ ପରେ ୠଷି ମାନେ ଦେଖିଲେ, ସ୍ନାନ ସାରି
ସେମାନେ ଆଶ୍ରମକୁ ଫେରି ଆସିଲା ବେଳକୁ କିଏ ଆଶ୍ରମକୁ ଆସି ପରିଷ୍କାର କରି ଦେଉଛି, ଫୁଲଫଳ ସବୁ ସଜାଇ ରଖିଦେଇ ଯାଉଛି l ଏହା କିଏ କରୁଛି ବୋଲି କୁତୁହଳି ହୋଇ ଋଷିମାନେ ଥରେ ଲୁଚିକରି ଦେଖନ୍ତି ତ ଏସବୁ କାର୍ଯ୍ୟ ରାଜ କୁମାରୀ କୈକେଇ କରୁଛନ୍ତି l ଋଷି ମାନେ ଅତି ପ୍ରୀତ ହୋଇ କହିଲେ, ମାଆ ତୁମ ସେବାରେ ଆମେ ଅତ୍ୟନ୍ତ ଖୁସି l ତୁମେ କଅଣ ବର ମାଗୁଛ,ମାଗ l କୈକେୟୀଙ୍କ କୌଣସି ବରର ଆକାଂକ୍ଷା ନ ଥିବାରୁ ସେ ନୀରବ ରହିଲେ l ୠଷିମାନେ ତାଙ୍କ ନୀରବରହିବା ଦେଖି ସ୍ବ ଇଛାରେ ଏକ ବରଦେଇ କହିଲେ,ମାଆ କୈକେୟୀ ! ତୁମକୁ ଆମେ ଏକ ଦିବ୍ୟ ଶକ୍ତି ପ୍ରଦାନ କରୁଛୁ l ଏହି ଶକ୍ତି ବଳରେ ତୁମେ ଜଗତରେ ସବୁ ପକ୍ଷୀମାନଙ୍କ ଭାଷା ବୁଝି ପାରିବ l
କ୍ରମେ ରାଜ କୁମାରୀ କୈକେୟୀଙ୍କ ବିବାହ ବୟସ ଉପନୀତ ହେଲା l ପିତା ଅଶ୍ଵପତି ପାତ୍ର ଅନ୍ୱେଷଣ କରୁ ଥାନ୍ତି l ଏହି ସମୟରେ, ଅଯୋଧ୍ୟା ପତି ରାଜା ଦଶରଥ ବନ୍ଧୁତ୍ୱ ସୂତ୍ରରେ ନିମନ୍ତ୍ରଣ ପାଇ କେକେୟ ଯାଇଥିଲେ l କେକେୟରେ ରାଜା ଦଶରଥଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା l ସେଇଠି ଦଶରଥଙ୍କ ଭେଟ ହେଲା, ରାଜ କୁମାରୀ କୈକେୟୀଙ୍କ ସହିତ l ପରେ ଅଯୋଧ୍ୟାରୁ ପ୍ରସ୍ତାବଫଳରେ ଦଶରଥଙ୍କ ସହ କୈକେଇଙ୍କ ବିବାହ ହେଲା l ଏ ବିବାହ ସମୟରେ ଦେହ ଲଗା ଦାସୀ, ମନ୍ଥରା ମଧ୍ୟ କୈକେୟୀଙ୍କ ସହ ଅଯୋଧ୍ୟା ଚାଲି ଆସିଲା l
ରାଣୀ କୈକେୟୀ ଅତ୍ୟନ୍ତ ସୁନ୍ଦରୀ, ବିଦୁଷୀ ତଥା ପତି ପରାୟଣା ଥିଲେ l ମହାରାଜା ଦଶରଥ ତାଙ୍କ ତିନିମହିଷିଙ୍କ ମଧ୍ୟରୁ କୈକେଇଙ୍କୁ ସବୁଠାରୁ ଅଧିକ ପ୍ରେମ କରୁଥିଲେ l ଥରେ ଦେବତା ଏବଂ ଅସୁରଙ୍କ ମଧ୍ୟରେ ଘୋର ସଂଗ୍ରାମ ଲାଗିଲା l ଦେବରାଜ ଇନ୍ଦ୍ର ସମ୍ବରାସୁର ବିରୁଦ୍ଧରେ ଯୁଦ୍ଧପାଇଁ ରାଜା ଦଶରଥଙ୍କ ସହାୟତା ଲୋଡ଼ିଲେ l ସେ ଯୁଦ୍ଧପାଇଁ ବାହାରିଲେ l ତାଙ୍କସହ ଯୁଦ୍ଧନିପୁଣା କୈକେଇ ମଧ୍ୟ ଗଲେ l ଯୁଦ୍ଧ କରି ଦଶରଥ ଥକି ପଡ଼ିଥିବା ବେଳେ ଅସୁରମାନେ ତାଙ୍କ ସାରଥୀକୁ ହତ୍ୟା କଲେ l କୈକେଇ ସାରଥୀ ସାଜି ଯୁଦ୍ଧଭୂମିରେ ରଥଚାଳନା କଲେ ଓ ଧନୁର୍ବାଣ ଧରି ଦଶରଥଙ୍କ ସହାୟତା କଲେ l ହଠାତ୍‌ ଅସୁର ମାନେ ତାଙ୍କ ରଥର ଚକ ଭାଙ୍ଗିଦେଲେ l କୈକେଇ ତତ୍କ୍ଷଣାତ ରଥରୁ ଡ଼େଇଁ ପଡ଼ିଲେ ଓ ରଥରେ ଅନ୍ୟ ଏକ ଚକ ଲଗାଇ ଯୁଦ୍ଧରେ ସଂଜ୍ଞାହୀନ ହୋଇ ପଡ଼ି ରହିଥିବା, ରାଜା ଦଶରଥଙ୍କୁ ଘେନି ପଳାଇ ଗଲେ l ପ୍ରାଣ ରକ୍ଷା କରିଥିବା ଯୋଗୁଁ, ତାଙ୍କ ଉପରେ ପ୍ରସନ୍ନ ହୋଇ ଦଶରଥ କୈକେଇଙ୍କୁ ଦୁଇଟି ବର ଯାଚିଲେ ଓ ଏଥିରେ କୈକେୟୀ କହିଲେ, ” ଏବେ କୌଣସି ବର ମୋର ଆବଶ୍ୟକ ନାହିଁ l ଯଥା ସମୟରେ ମୁଁ ଏହା ମାଗି ନେବି”l
ପକ୍ଷୀମାନଙ୍କ କଥୋପକଥନରୁ କୈକେଇ ଅଯୋଧ୍ୟା ରାଜ ସିଂହାସନକୁ ଚଉଦବର୍ଷ କାଳ ବିପଦ ରହିଛି ବୋଲି ଜାଣି, ଅତ୍ୟନ୍ତ ଭଲ ପାଉଥିବା ପୁତ୍ର ରାମଙ୍କୁ ସେ ବନ ବାସରେ ପଠାଇ ଥିଲେ ବୋଲି କେତେକ ରାମ କଥାରେ ଆଲୋଚିତ ହୁଏ l
ସମୟ ଗଡ଼ିଚାଲିଲା l କ୍ରମେ ମହାରାଜ ଦଶରଥଙ୍କ ବୃଦ୍ଧାବସ୍ଥା ଉପନୀତ ହେଲା l ସେ ଚାହିଁଲେ ଜ୍ୟେଷ୍ଠ ପୁତ୍ର ଶ୍ରୀରାମଙ୍କୁ ଯୁବ ରାଜ ପଦରେ ଅଭିଷିକ୍ତ କରି ଦେବେ ବୋଲି l ମାତ୍ର ବିଧିର ବିଧାନଥିଲା ଅଲଗା l ମନ୍ଥରାର କୁମନ୍ତ୍ରଣାରେ ଏହି ସମୟରେ ମହାରାଣୀ କୈକେୟୀ ତାଙ୍କୁ ବରଦୁଇଟି ମାଗିଦେଲେ l ପ୍ରଥମ, ବରରେ ରାମ ଚୋଉଦ ବର୍ଷ ବନବାସ ଯିବେ ଏଵଂ ଦ୍ୱିତୀୟବରରେ ଭରତ ଯୁବରାଜ ପଦରେ ଅଭିଷିକ୍ତ ହେବ l ତାହାହିଁ ହେଲା,ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ସୀତା ଚଉଦ ବର୍ଷ ବନବାସ କଲେ,କିନ୍ତୁ ଭ୍ରାତୃଭକ୍ତ ଭରତ ଅଭିଷିକ୍ତ ନ ହୋଇ ରାମଙ୍କ ପାଦୁକା ସିଂହାସନରେ ସ୍ଥାପନ କରି ପ୍ରଭୂଙ୍କ ପ୍ରତିନିଧିଭାବେ ରାଜ୍ୟ ଶାସନ କରିବାକୁ ଲାଗିଲେ l
ଘଟଣାକ୍ରମେ ସୀତା ହରଣ, ଲଙ୍କା ଦହନ, ରାବଣ ମରଣ ସଂଘଟିତ ହେଲା l ଶ୍ରୀରାମଙ୍କ ବନବାସ ଓ ତାପରେ ଯାହା ସବୁ ଘଟିଗଲା ତାହା ସନ୍ଥ ତୁଳସୀ ଦାସଙ୍କ ଭାଷାରେ ଥିଲା ସବୁ ବିଷ୍ଣୁକୁଟ ମାୟା l
ରାବଣ ନିଧନ, ରାବଣପୁରୀରୁ ସୀତା ଉଦ୍ଧାର କରି
ଏବଂ ଚୋଉଦ ବର୍ଷର ବାନବାସ ସମାପ୍ତକରି ପ୍ରଭୁ ସେଦିନ ଅଯୋଧ୍ୟା ଫେରି ଆସୁଥାନ୍ତି l ସମ୍ବାଦ ଶୁଣି ଅଯୋଧ୍ୟା ନଗରୀ ଉତ୍ସବ ମୁଖର ହୋଇ ଉଠିଥାଏ l ଉଦ୍ଗ୍ରୀବ ହୋଇ ସମସ୍ତେ ଚାହିଁ ବସିଥାନ୍ତି ଶ୍ରୀରାମଙ୍କ ପ୍ରତ୍ୟାଗମନକୁ l ଭ୍ରାତୃଭକ୍ତ ଭରତ ଭାବୁଥାନ୍ତି ଆଜି ମୋର ବହୁ ଜନ୍ମର ତପସ୍ୟା ସଫଳ ହୋଇଛି l
ଏଣେ ଅସହ୍ୟ ନିନ୍ଦା ଅପମାନ, ପ୍ରଜାଜନଙ୍କ ଉତ୍କଟ ଭର୍ତ୍ସନାରେ ମର୍ମାହତ ମନ୍ଥରା ନିର୍ନିମେଷ ନୟନରେ ଚାହିଁରହିଥାଏ ପ୍ରଭୁଙ୍କ ନଗର ପ୍ରତ୍ଯାବର୍ତ୍ତନ ପଥକୁ l ମନେମନେ ଭାବୁଥାଏ ଆଜି ପ୍ରତିଟି ନିଶ୍ବାସର ପ୍ରାଣ ଶକ୍ତି ମୁଁ ପ୍ରଭୁଙ୍କ ନାମରେ ସନ୍ନିହିତ କରି କଳଙ୍କମୁକ୍ତ ଓ ଦୁରିତରହିତ ହେବି l କ୍ରୋଟରଗତ ଚକ୍ଷୁରୁ ତାର ବହି ଚାଲିଥାଏ ଅବାରିତ ଲୋତକଧାରା l ଅସରନ୍ତି ପ୍ରଶ୍ନ ତା’ ମନରେ l ଅପେକ୍ଷା,ଶ୍ରୀରାମଙ୍କ ଶ୍ରୀମୁଖରୁ ଯଥୋଚିତ ଉତ୍ତର ଅଯୋଧ୍ୟାର ସମସ୍ତ ପ୍ରଜାଜନଙ୍କ ସମ୍ମୁଖରେ l ଅପେକ୍ଷା, ସେହି ଅମୃତମୟ ବାଣୀରେ ଧୋଇଦେବ ନିଜର କଳଙ୍କ କାଳିମା l
ଏଥର ବିବିଧ ବାଜଣା ବାଜିଉଠିଲା l ପୁରୁଷୋତ୍ତମ ପ୍ରଭୁଙ୍କ ଜୟଗାନର ଉଲ୍ଲାସ ଧ୍ବନୀ ସମସ୍ତଙ୍କ କର୍ଣ୍ଣକୁ ପବିତ୍ରକଲା l ଭରତଙ୍କ ଭବ୍ୟ ଆୟୋଜନରେ ପ୍ରଭୁ ଗଜବାଜି ପାଟଛତ୍ରୀ ଶୋଭିତ ହୋଇ ରାଜପ୍ରାସାଦ ଆଡ଼କୁ ଆଗେଇ ଚାଲିଲେ l ସାଥିରେ ଥାନ୍ତି ଲକ୍ଷ୍ମଣ ସୀତା,ଶତ୍ରୁଘ୍ନ ଓ ଭରତ l ବନବାସୀ ପ୍ରମୁଖ ଚରିତ୍ର ମାନଙ୍କ ଉପସ୍ଥିତି ସଭିଙ୍କ ଆନନ୍ଦବର୍ଦ୍ଧନ କରୁଥାଏ l ନିଜ ଜୀବନକୁ ରାଜସେବା, ରାଜ ଆଜ୍ଞାବହତାରେ ସମର୍ପି ଦେଇଥିବା ମନ୍ଥରା ଅଧିରା ହୋଇ ଉଠିଲା l ଅସମ୍ଭାଳହୋଇ ଉନ୍ମାଦିନୀ ପରି ଅସଂଯତ ବସ୍ତ୍ରରେ ଧାଇଁ ଗଲା, ରାମଙ୍କ ରଥ ସମ୍ମୁଖକୁ l ପ୍ରସାରିତ ହସ୍ତ ଓ ବିସ୍ଫାରିତ ନୟନରେ ପଥ ରୋଧ କରି ଚଢ଼ିଗଲା ରଥର ଦୁଇ ସୋପାନଯାଏଁ l ଏତେଦିନର ଅବରୁଦ୍ଧ ଭାବାବେଗ ତାର ସ୍ବତଃ ଉଛୁଳି ଉଠିଲା ଶ୍ରୀରାମଙ୍କୁ ଆଖି ଆଗରେ ଦେଖି l
ବାତ୍ସଲ୍ୟମମତାରେ ରାଜକୀୟମର୍ଯ୍ୟାଦା ଉଲ୍ଲଂଘନ କରି କାନଧରି ଉଚ୍ଚ କଣ୍ଠରେ ବିଳାପ କରୁକରୁ ସେ ପ୍ରଶ୍ନ କଲା ଶ୍ରୀରାମଙ୍କୁ, ସତକହ ରାମ ! ସତ କହ ! ଏ ଅଯୋଧ୍ୟା ପ୍ରଜାଜନଙ୍କୁ ଶୁଣାଇ ସତ କହ, ଦଣ୍ଡେ କି ନିମିଷେ ତୋତେ ସ୍ମରଣ ନକରି ମୁଁ କାଳ କାଟିଛି କି? କିଞ୍ଚିତେ ବି ତୋ ଅହିତ ଚିନ୍ତା କରିଛି କି? ଆଜି ତୁ ଶୁଣାଇ ଦେ ନାନା ଅପବାଦଦେଇ ମୋତେ ଘୃଣା କରୁଥିବା ଏ ସଂସାରକୁ ଜଣାଇଦେ,କି ଅପରାଧରେ ମୋତେ ଏ ଦଣ୍ଡ ଭୋଗିବାକୁ ପଡୁଛି? ମୋତେ ମୁକ୍ତି ଦେଏ ରେ ରାମ ! ମୋତେ ମୁକ୍ତି ଦେ ! ଶୋକାକୁଳା ମନ୍ଥରା ପ୍ରଭୁଙ୍କ ପାଦତଳେ ଲୋଟିଗଲା l
ଲୀଳାବତାର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ନିଜ ଲୀଳାପାଇଁ ମାତୃତୁଲ୍ୟା ମନ୍ଥରାର ବା ମର୍ଯ୍ୟାଦା କ୍ଷୁର୍ଣ୍ଣ କରନ୍ତେ କିପରି ! ବାଷ୍ପାକୁଳ ହୋଇ ତତ୍କ୍ଷଣାତ୍ ପ୍ରଭୁ ତାକୁ ଅଭୟ ବାହୁରେ ଉଠାଇ ଧରିଲେ l କୁଳ ଗୁରୁ ବଶିଷ୍ଠ ଏବଂ ସମବେତ ସମସ୍ତ ଜନତା, ସ୍ତବ୍ଧ l ତତ୍ପର ହୋଇ କୁଳଗୁରୁ ବଶିଷ୍ଠ ଆଗେଇ ଆସିଲେ l ଉତ୍କଣ୍ଠାର ସହ ଚାହିଁ ରହିଥିବା ପ୍ରଜାଙ୍କୁ ପ୍ରଭୁ ଉତ୍ତର ଦେଲେ,”ହେ ମୋର ପ୍ରିୟ ଅଯୋଧ୍ୟା ବାସୀ, ଆପଣ ମାନେ ଧ୍ୟାନର ସହ ଶୁଣନ୍ତୁ l ଏହା ସତ୍ଯ ଯେ ସୂର୍ଯ୍ୟ ବଂଶୀ ମହାରାଜ ଦଶରଥଙ୍କ ଜୀବନକାଳ ମଧ୍ୟରେ ଏପରି ଅନେକ ରହସ୍ୟ ସମ୍ପର୍କରେ, ଆପଣ ମାନେ ଅଜ୍ଞ l ଅନ୍ଧ ମୁନିଙ୍କ ଅଭିଶାପ, ନିକଷା ଶାପିତ ରାଜ ସିଂହାସନ, ଶନି ମଣ୍ଡଳରୁ ରାଜାଙ୍କ ଭୂମଣ୍ଡଳ ପତନ କାଳରେ ଜଟାୟୁ ଦ୍ବାରା ମହାରାଜଙ୍କ ଉଦ୍ଧାର, ରାମ ବନବାସ, ସୀତା ଚୋରି ଏ ସବୁ ନିୟତିର ନିଧାନ l ସର୍ବୋପରି, ଘଟଣାଚକ୍ରରେ ଯାହା ସବୁ ଆବଶ୍ୟକ ଥିଲା,ତାର ସଫଳ ରୂପାୟନପାଇଁ ମନ୍ଥରାକୁ ମୋର ଗୁପ୍ତ ଆଦେଶ ଥିଲା ଏବଂ ସେ କେବଳ ରାଜ ଆଜ୍ଞା ପାଳନ କରିଛି l ସେ ନିନ୍ଦାର ପାତ୍ର ନୁହେଁ l କର୍ତ୍ତବ୍ୟ ମାତ୍ର କରିଥିବାରୁ ବରଂ ସେ ପ୍ରଶଂସନୀୟା l” ମନ୍ଥରା ଆତ୍ମସ୍ଥ ହେଲା l କୋହ ଶାନ୍ତ କରି ରଥରୁ ଓହ୍ଲାଇ ପ୍ରଭୁଙ୍କ ନାମ ସ୍ମରଣ ପୂର୍ବକ, ପ୍ରତ୍ଯାବର୍ତ୍ତନ କଲା ନଅର ଅଭିମୁଖେ l
ମନ୍ଥରାର କି ଦୋଷ ଥିଲା l ସନ୍ଥ ତୁଳସୀ କହିଲେ, ଦେବ କାର୍ଯ୍ଯ ସାଧନ ପାଇଁ ଦେବତାଙ୍କ ବିନତୀରେ ମାଆ ସରସ୍ଵତୀ ପରା ଆସି କୁଜି ମନ୍ଥରାର ବୁଦ୍ଧିକୁ ଭ୍ରଂଶ କରିଦେଇ ଗଲେ :-
ନାମୁ ମନ୍ଥରା ମନ୍ଦମତି ଚେରୀ କୈକଇ କେରି l
ଅଯଶପେଟାରି ତାହି କରି ଗଈ ଗିରାମତି ଫେରି ll
!!! ଜୟ ଶ୍ରୀରାମ !!!
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.