ମହାଭାରତ ଲେଖିଲେ ଶ୍ରୀଗଣେଶ

ଅର୍ଜୁନୀ ଚରଣ ବେହେରା

ମହର୍ଷି ବ୍ୟାସଦେବ ସୁଦୀର୍ଘ ସାଧନା କରି ବିଶାଳ ମହାଭାରତ ଗ୍ରନ୍ଥର ପରିକଳ୍ପନା କରିଥାନ୍ତି l ତାଙ୍କ ପରିକଳ୍ପିତ ଗ୍ରନ୍ଥ ଏତେ ବିଶାଳ ଥାଏ ଯେ,ଏହାକୁ ଲିପିବଦ୍ଧ କରିବା ବହୁ କଷ୍ଟସାଧ୍ୟ ଥାଏ l ସେ ଚିନ୍ତା କରୁଥାନ୍ତି, କେହି ଜଣେ ବିଚକ୍ଷଣ ତଥା ବୁଦ୍ଧିମାନ ପଣ୍ଡିତ ମିଳନ୍ତେ କି,ଯାହାଙ୍କୁ ମୁଁ ମହାଭାରତ କଥା ଶୁଣାଇଲେ ସେ କ୍ଷୀପ୍ର ଗତିରେ ଲେଖି ଯାଆନ୍ତେ l
ଏଥିପାଇଁ ବ୍ରହ୍ମାଙ୍କୁ ପ୍ରାର୍ଥନା କରି ସଂକ୍ଷେପରେ ସେ ତାଙ୍କୁ ମହାଭାରତ କଥା ଶୁଣାଇବାରୁ ଚତୁରାନନ ବ୍ରହ୍ମା ବହୁ ଆନନ୍ଦିତ ହେଲେ l
ସେ ମହର୍ଷିଙ୍କୁ କହିଲେ,” ହେ ମହାତ୍ମନ ! ମୁଁ ତୁମ୍ଭ ମନର ବ୍ୟଥା ବୁଝି ପାରୁଛି l ତୁମର ଏହି ବିଶାଳ ଗ୍ରନ୍ଥକୁ ଲିପିବଦ୍ଧ କରିବା ପାଇଁ ସଂସାରରେ ଜଣେ ମାତ୍ର ସମର୍ଥ ଅଛନ୍ତି l ସେ ହେଲେ, ଅଗ୍ରପୂଜ୍ୟ ଶ୍ରୀ ଗଣେଶ l ତୁମେ ତାଙ୍କୁ ପ୍ରାର୍ଥନା କର, ନିଶ୍ଚୟ ସେ ତୁମକୁ ସାହାଯ୍ୟ କରିବେ “l ବ୍ରହ୍ମାଙ୍କ ଠାରୁ ଏହା ଶୁଣି ବ୍ୟାସଦେବ ଭକ୍ତି ପୂର୍ବକ ଗଣେଶଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ l ବିଘ୍ନରାଜ ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ସମ୍ମୁଖରେ ଆବିର୍ଭୁତ ହେଲେ l
ବ୍ୟାସଦେବ ଗଜାନନଙ୍କୁ କହିଲେ,ହେ ବିନାୟକ ! ସମସ୍ତ ସଂସାରର କଲ୍ୟାଣ ଅର୍ଥେ ମୁଁ ଏକ ଗ୍ରନ୍ଥର ପରିକଳ୍ପନା କରିଛି l ଏହି ଗ୍ରନ୍ଥ ମୋ ଚିନ୍ତା ପ୍ରସୂତ ହୋଇ ଥିଲେ ଶୁଦ୍ଧା, ଏହାର ବିଶାଳତା ଦୃଷ୍ଟିରୁ ମୁଁ ଏହାକୁ ଲିପିବଦ୍ଧ କରିବାରେ ସମର୍ଥ ହୋଇ ପାରୁ ନାହିଁ l ସେଥିପାଇଁ ମୁଁ ବଡ଼ ଚିନ୍ତିତ ହୋଇପଡ଼ିଛି l ଆପଣ ଯେହେତୁ ଏହି କାର୍ଯ୍ୟ ନିମନ୍ତେ ସମର୍ଥ ମୁଁ ଆପଣଙ୍କୁ ପ୍ରାର୍ଥନା କଲି l ଏପରି ଘୋର ସଙ୍କଟରୁ ଆପଣ ହିଁ ମୋତେ ଉଦ୍ଧାର କରିପାରିବେ l ଗ୍ରନ୍ଥର ଶ୍ଳୋକ ମାନ ରଚନାକରି ମୁଁ ବୋଲି ଯିବି, ଆପଣ ଏହାକୁ ଲେଖିଚାଲିବେ,ଆପଣ ତ ସ୍ୱୟଂ ବିଦ୍ୟାର ବାରିଧି ଆପଣଙ୍କୁ ମୁଁ ଆଉ ଅଧିକ କଅଣ କହିବି l
ଶ୍ରୀଗଣେଶଙ୍କର ମହର୍ଷି ବ୍ୟାସ ଦେବଙ୍କ ପ୍ରତି ବହୁ ସମ୍ମାନଥିଲା l ତାଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ସେ ଚାହୁଁଥିଲେ, କିନ୍ତୁ ମହାଭାରତ ଲେଖିବାପାଇଁ ସେ କାହିଁକି ଟିକିଏ ଅଡୁଆ ବୋଧ କରୁ ଥିଲେ l ତେଣୁ ସେ ଚିନ୍ତାକଲେ ମୁଁ ଯାଉଛି ଏପରି ଗୋଟିଏ ସର୍ତ୍ତ ରଖି ଦେବି, ଯେମିତି ମହର୍ଷି ବେଦବ୍ୟାସ ଟିକିଏ ଅଡୁଆରେ ପଡ଼ିଯିବେ l
ଗଣେଶ ବ୍ୟାସଦେବଙ୍କୁ କହିଲେ,’ଠିକ ଅଛି, ତୁମ ମହାଭାରତ ଲେଖିବାକୁ ମୋର କୌଣସି ଆପତ୍ତି ନାହିଁ l କିନ୍ତୁ ଗୋଟିଏ ସର୍ତ୍ତରେ ଏହା ମୁଁ ଲେଖିବି l ତାହା ହେଲା, ଆପଣ ଅନର୍ଗଳ ଡାକି ଚାଲିବେ ଯେମିତି ମୋର ଲେଖନୀ ମୁହୂର୍ତ୍ତେ ମାତ୍ର ବନ୍ଦ ନ ହେବ l ଲେଖିଲା ବେଳେ, ଯଦି ଲେଖନୀ ମୋର ବନ୍ଦ ହୋଇଯାଏ, ତେବେ ମୁଁ ଆଉ ଆଗକୁ ଯାଇ ପାରିବି ନାହିଁ “l ପରମ ଜ୍ଞାନୀ ବ୍ୟାସଦେବ ପ୍ରଭୁ ଗଣେଶଙ୍କ କଥା ଶୁଣି ହସି ହସି କହିଲେ,” ଠିକ ଅଛି, ମୁଁ ଆପଣଙ୍କ ସର୍ତ୍ତରେ ରାଜି l ପରନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି l ଆପଣ ଲେଖିଲା ବେଳେ ନ ବୁଝି କିଛି ଲେଖିବେ ନାହିଁ “l ଗଜାନନଙ୍କ ସର୍ତ୍ତକୁ ମହର୍ଷି ବେଦବ୍ୟାସ ମାନି ନେଲେ l
ଏହା ପରେ ମହାଭାରତ ଲେଖା ଚାଲିଲା l ବ୍ୟାସ ଡାକି ଚାଲିଲେ ଓ ଗଣେଶ ଲେଖିଚାଲିଲେ l କିନ୍ତୁ ବ୍ୟାସ ମଝିରେ ମଝିରେ ଏପରି କଷ୍ଟ ଶ୍ଲୋକଟିଏ ଡାକିଦିଅନ୍ତି ଯେ ଗଣେଶଙ୍କୁ ତାହାର ଅର୍ଥ ବୁଝିବା ପାଇଁ କିଛି ସମୟ ଲାଗି ଯାଏ l ଏହି ସମୟରେ ବ୍ୟାସଦେବ ପର ଶ୍ଳୋକଗୁଡ଼ିକୁ ଚିନ୍ତା କରିନିଅନ୍ତି l ତେଣୁ ମହାଭାରତରେ ଏଭଳି କେତେକ ଶ୍ଳୋକ ରହିଛି ଯାହା ଅର୍ଥ ବାହାର କରିବା ଖୁବ କଠିନ l ଏହି ଶ୍ଳୋକ ଗୁଡ଼ିକୁ ଗ୍ରନ୍ଥଗ୍ରନ୍ଥି କୁହାଯାଏ l ଅର୍ଥାତ ଏସବୁ ଗ୍ରନ୍ଥର ଗଣ୍ଠି l
ମହାଭାରତ ଲେଖା ସରିଯିବା ପରେ ବ୍ୟାସଦେବ ପୁତ୍ର ପରମ ଜ୍ଞାନୀ ଶୁକଦେବ ଗୋସ୍ୱାମୀଙ୍କୁ ଏହା ଜଣାଇଲେ l ଶୁକଦେବ ଏ ଶାସ୍ତ୍ରକୁ ଗନ୍ଧର୍ବମାନଙ୍କୁ ଶୁଣାଇଲେ l ମନୁଷ୍ୟ ମାନଙ୍କ ମଧ୍ୟରେ ଏ ଗ୍ରନ୍ଥର ପ୍ରଚାର ପାଇଁ ମହର୍ଷି ବ୍ୟାସ ତାଙ୍କର ପ୍ରଧାନ ଶିଷ୍ୟ ଶ୍ରୀବୈଶମ୍ପାୟନଙ୍କୁ ଏହା ଶୁଣାଇ କହିଲେ,”ତୁମେ ଯାଇ ମହାରାଜ ଜନ୍ମେଜୟଙ୍କ ସର୍ପଯଜ୍ଞ ସ୍ଥଳୀରେ ଏହାର ପ୍ରଚାର କର “l
ମହର୍ଷି ବୈଶମ୍ପାୟନ ପରିକ୍ଷୀତଙ୍କ ପୁତ୍ର ମହାରାଜ ଜନ୍ମେଜୟଙ୍କ ସର୍ପଯଜ୍ଞ ସ୍ଥଳୀରେ ପହଞ୍ଚି ତାଙ୍କୁ ଏ ପବିତ୍ର କଥା ଶୁଣାଇଲେ l ସେତେ ବେଳେ ସେଠି ଉପସ୍ଥିତ ଥାନ୍ତି ଉପଶ୍ରବା ନାମରେ ଜଣେ ବିଦ୍ୱାନ ଋଷି l ସେ ମହାଭାରତ ଶୁଣି ତାଙ୍କର ଅସାଧାରଣ ସ୍ମୃତିଶକ୍ତି ବଳରେ ଏହାକୁ ମନେ ରଖିପାରିଥିଲେ l ଋଷି ଉପଶ୍ରବା ସାରଥୀକୂଳର ଥିବାରୁ ତାଙ୍କୁ ସୂତ ବା ସୌତି ବୋଲି କୁହାଯାଉ ଥିଲା l
ସୂତ ଭାରତ ବର୍ଷର ବହୁ ତୀର୍ଥ ପରିଭ୍ରମଣ ସାରି ଯାଇ ନୈମିଷାରଣ୍ୟରେ ପହଞ୍ଚି ଶୌନକ ଋଷିଙ୍କ ଅଧ୍ୟକ୍ଷତାରେ ଏକ ମହାଯଜ୍ଞ କଲେ l ସେଠାରେ ଉପସ୍ଥିତ ଋଷି ମାନେ ସୁତ ମୁନିଙ୍କ ମୁଖରୁ କିଛି ଆଖ୍ୟାୟିକା ଶୁଣିବାପାଇଁ ଆଗ୍ରହପ୍ରକାଶ କଲାରୁ ସୂତ ତାହାଙ୍କୁ ମହାଭାରତ ଶୁଣାଇଲେ l ସୁତଙ୍କ କୁହା ଯାଇଥିବା ମହାଭାରତ ହିଁ ଆମ୍ଭେ ବର୍ତ୍ତମାନ ଦେଖୁଛନ୍ତି l
ମହାଭାରତରେ ଅଛି କୁରୁ ବଂଶର ବିସ୍ତାର, କୁରୁ ରାଣୀ ଗାନ୍ଧାରୀଙ୍କ ଧର୍ମଶୀଳତା, ବିଦୁରଙ୍କ ପ୍ରଜ୍ଞା, କୁନ୍ତିଙ୍କ ଧୈର୍ଯ୍ୟ,ଦ୍ରୌପଦୀଙ୍କ ମହନୀୟତା,ପାଣ୍ଡଵ ମାନଙ୍କ ଧର୍ମ ନିଷ୍ଠା,ଭଗବାନ ଶ୍ରୀକୃଷ୍ଣ ଓ ପିତାମହ ଭୀଷ୍ମଙ୍କ ନିତିନିଷ୍ଠତା ଏବଂ ଧୃତରାଷ୍ଟ୍ର ପୁତ୍ରମାନଙ୍କ ଦୁରାଚାର l କୌରବ ଓ ପାଣ୍ଡଵ ମାନଙ୍କୁ ଏଥିରେ ଦୁଇଟି ବୃକ୍ଷଭାବେ ଚିତ୍ରିତ କରାଯାଇଛି, ଗୋଟିଏ କ୍ରୋଧ ଓ ଅସୂୟାର ପ୍ରତୀକ l ଅନ୍ୟଟି ଧର୍ମ ଏବଂ ସଦାଚାରର ପ୍ରତୀକ l ମହାଭାରତ ମୁଖ୍ୟ ଭାବେ କୁରୁ ପାଣ୍ଡଵଙ୍କ ବିଷୟରେ ଲେଖା ଯାଇଥିଲେ ହେଁ ଏହା ବହୁ ଆଖ୍ୟାୟିକାର ପରିପୂର୍ଣ୍ଣ ଯହିଁରୁ ବହୁତ କଥା ଶିଖିବାକୁ ମିଳିଥାଏ l ଗ୍ରନ୍ଥ ମାନଙ୍କ ମଧ୍ୟରେ ମହାଭାରତର କୌଣସି ତୁଳନାନାହିଁ l ତେଣୁକରି କୁହାଯାଇ ଥାଏ :-
ଧର୍ମେ ଚାର୍ଥେ ଚ କାମେ ଚ
ମୋକ୍ଷେ ଚ ଭରତର୍ଷବ l
ଯଦି ହାସ୍ତି ତଦନ୍ୟତ୍ର
ଯନ୍ନେହାସ୍ତି ନ କୁତ୍ରଚିତ ll
ସରଳ ଭାବରେ ଏହାର ଅର୍ଥ ହେଲା, ଯାହା ନାହିଁ ଭାରତେ, ତାହା ନାହିଁ ମରତେ ll
🙏🙏🙏
ଅର୍ଜୁନୀ
—————
ମୋ -୭୬୯୩୦୯୧୯୭୧

Comments are closed.