ବିନା ଅନୁମତିରେ ଯାଞ୍ଚ କରିପାରିବନି ସିବିଆଇ :

ଭୁବନେଶ୍ୱର : ବିହାରରେ ସରକାର ପରିବର୍ତନ ହେବାପରେ ସିବିଆଇ ଲଗାତର ଭାବରେ ରାଜ୍ୟରେ ଚଢ଼ାଉ କରିଚାଲିଛି । ଅନେକ ଆରଜେଡି ନେତାଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ତେବେ ଏହାରି ଭିତରେ ବିହାର ସରକାର ସିବିଆଇକୁ ଯାଞ୍ଚର ଅନୁମତି ଦେବା ବନ୍ଦ କରିପାରନ୍ତି ବୋଲି ଖବର ସାମ୍ନାକୁ ଆସିଛି। ଯଦି ଏହା ଘଟେ, ତେବେ ବିହାରରେ ଅନୁସନ୍ଧାନ ପାଇଁ ସିବିଆଇକୁ ପ୍ରଥମେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ।ଏହାପୂର୍ବରୁ ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଏଭଳି ନିଷ୍ପତ୍ତି ନେଇଥିଲେ।

ତେବେ ଆରଜେଡି, ଜେଡିୟୁ ଏବଂ କଂଗ୍ରେସ ମିଳିତ ମେଣ୍ଟ ଲଗାତର ଅଭିଯୋଗ କରି ଆସୁଛନ୍ତି ଯେ, କେନ୍ଦ୍ର ସରକାର ଅଯଥା ସିବିଆଇକୁ ବ୍ୟବହାର କରୁଛନ୍ତି।ଏନେଇ ଆରଜେଡି ନେତା ଶିବାନନ୍ଦ ତିୱାରୀ କହିଛନ୍ତି ଯେ ବିରୋଧୀଦଳଙ୍କ ବିରୋଧରେ କେନ୍ଦ୍ର ସରକାର ଯେଉଁଭଳି ବ୍ୟବହାର କରୁଛନ୍ତି ତାହା ଦୃଷ୍ଟିରେ ରଖି ବିହାର ସରକାର ଏଜେନ୍ସିକୁ ଯାଞ୍ଚର ଅନୁମତି ପ୍ରତ୍ୟାହାର କରିବା ଉଚିତ। ଏହା ବ୍ୟତୀତ ବିହାର ସରକାର ମଧ୍ୟ କୋର୍ଟଙ୍କ ନିକଟକୁ ଯିବା ଉଚିତ ବୋଲି ସେ କହିଛନ୍ତି। ସେଠାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବା ଉଚିତ ଯେ, କିପରି କେନ୍ଦ୍ର ସରକାର ସିବିଆଇର ଅପବ୍ୟବହାର କରୁଛନ୍ତି। ତିୱାରୀ କହିଛନ୍ତି ଯେ ଏନଡିଏ ସରକାରଙ୍କ ଅଧୀନରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସେମାନଙ୍କର ବିଶ୍ୱସନୀୟତା ହରାଇଛନ୍ତି। ମନୋଜ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀଙ୍କୁ ହଇରାଣ କରିବା ପାଇଁ ଏହି ଦଳ ସିବିଆଇ, ଇଡି ଏବଂ ଇନକମ ଟ୍ୟାକ୍ସ ଭଳି ଏଜେନ୍ସି ଗୁଡ଼ିକର ଅପବ୍ୟବହାର କରୁଛି। ସେ କହିଛନ୍ତି ଯେ ମହାରାଷ୍ଟ୍ର ଭଳି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ବିହାରରେ ସିବିଆଇ ଚଢ଼ାଉ କରିବାକୁ ବାଧ୍ୟ କରୁଛନ୍ତି।

ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ ପ୍ରତିଷ୍ଠା ଅଧିନିୟମ,୧୯୪୬ ଅନୁଯାୟୀ ସିବିଆଇ ଗଠନ କରାଯାଇଥିଲା। ଏହି ଅନୁଯାୟୀ, କୌଣସି ରାଜ୍ୟରେ ଯାଞ୍ଚ ପାଇଁ ସିବିଆଇ ପ୍ରଥମେ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବା ଆବଶ୍ୟକ। ଏପର୍ଯ୍ୟନ୍ତ ୯ଟି ରାଜ୍ୟ ସିବିଆଇକୁ ଦିଆଯାଇଥିବା ଏହି ଅନୁମତିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏହି ରାଜ୍ୟଗୁଡ଼ିକରେ ପଶ୍ଚିମବଙ୍ଗ, ଛତିଶଗଡ, ରାଜସ୍ଥାନ, ପଞ୍ଜାବ, ମେଘାଳୟ ରହିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ରାଜ୍ୟ ଅଛି, ଯାହା ବିରୋଧୀ ଦଳ ଦ୍ୱାରା ଶାସିତ।

Comments are closed.