ଆସନ୍ତା ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସମେତ ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ

ଭୁବନେଶ୍ୱର :  ଆସନ୍ତା ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସମେତ ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଲକ୍ଷ୍ୟ ପୂରଣ ଲାଗି ହାତରେ ରହିଛି ମାତ୍ର ୨ ମାସ ‌ସମୟ। ମାଓବାଦୀଙ୍କ ଅନୁପ୍ରବେଶ ଓ ଓଡ଼ିଶାରେ ସକ୍ରିୟ ଥିବା ମାଓବାଦୀଙ୍କୁ ଦମନ ଲାଗି ଉଦ୍ୟମ ଚାଲିଛି। ମାଓମୁକ୍ତ ଓଡ଼ିଶା ଗଠନ ଲାଗି ଚୂଡ଼ାନ୍ତ ପ୍ରହାର ଖସଡ଼ା ପ୍ରସ୍ତୁତ କରାଯାଇଛି। ମାଓପ୍ରବଣ ୧୦ ଜିଲାରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ ମାଓବାଦୀଙ୍କ ଗଡ଼କୁ ଧ୍ବଂସ କରାଯାଉଛି। ଗୋଟିଏ ପରେ ଗୋଟିଏ ଜିଲା ମାଓମୁକ୍ତ ଘୋଷଣା କରାଯାଉଛି। ବରଗଡ଼, ନୂଆପଡ଼ା ପରେ ନବରଙ୍ଗପୁର ମାଓମୁକ୍ତ କରିଛି ଓଡ଼ିଶା ପୁଲିସ। ଏବେ ମାଓପ୍ରବଣ ଜିଲା ସଂଖ୍ୟା ୭କୁ ଖସିଛି। କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ମାଲକାନଗିରି, ରାୟଗଡ଼ା ଓ କୋରାପୁଟରେ ମାଓବାଦୀ ସକ୍ରିୟ ରହିଛନ୍ତି। ଓଡ଼ିଶା ପୁଲିସକୁ ସଫଳତା ମିଳିବାରେ ଲାଗିଛି। ଏହି ୭ ଜିଲାରେ ୫୫ରୁ ୬୦ଜଣ ମାଓବାଦୀ ସକ୍ରିୟ ରହିଛନ୍ତି। ସେଥିରୁ ଏକ ତୃତୀୟାଂଶ ମାଓବାଦୀ ଆନ୍ଧ୍ର, ଝାଡ଼ଖଣ୍ଡ ଓ ଛତିଶଗଡ଼ର। ଏସ୍‌ଆଇଡବ୍ଲ୍ୟୁ ଓ ଗୁଇନ୍ଦା ଆଧାରରେ ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଜିଲା ପୁଲିସ, କେନ୍ଦ୍ରୀୟ ସୁରକ୍ଷାବଳ, ଏସ୍‌ଓଜି, ଡିଭିଏଫ୍‌ ଭଳି ସ୍ବତନ୍ତ୍ର ଦଳ ମାଓବାଦୀ ଲୁଚିଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି। ଆତ୍ମସମର୍ପଣ ଲାଗି ଶେଷ ସୁଯୋଗ ଦିଆଯାଇଛି।

ଖୁବ୍‌ଶୀଘ୍ର ବଡ଼ଧରଣର ଅପରେସନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନିକଟରେ କନ୍ଧମାଳର ଚକାପାଦ ଓ ଗଞ୍ଜାମର ରମ୍ଭା ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍‌ ମାଓନେତା ତଥା କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ଓରଫ ପାକ୍କା ହନୁମନ୍ତୁ ସମେତ ୬ ମାଓବାଦୀ ନିହତ ହୋଇଛନ୍ତି। ରଜନୀ, ସୀମା, ଉମେଶ, ରାକେଶ ଓ ଅମ୍ରିତ ନିହତ ହୋଇଛନ୍ତି। ଏଥିସହ ନବରଙ୍ଗପୁର ଜିଲା‌େ‌ର ସକ୍ରିୟ ୯ ମାଓବାଦୀ ଛତିଶଗଡ଼ ପୁଲିସରେ ଅାତ୍ମସମର୍ପଣ କରିଥିଲେ। ଡିଭିଜନାଲ୍ କମିଟି ସଦସ୍ୟ ଜ୍ୟୋତି ଓରଫ ଜୈନି ଓରଫ ରେଖା ଏବଂ ଉଷା ଓରଫ ବାଲାମ୍ମା, ‌ଏରିଆ କମିଟି ସଦସ୍ୟ ରାମଦାସ ମାରକମ୍ ଓରଫ ଆୟତା ଓରଫ ହିମାଂଶୁ, ରୋନି ଓରଫ ଉମା ଓରଫ ଚିନ୍ନି ହେମଲା, ନିରଞ୍ଜନ ଓରଫ ପୋଡ଼ିଆ, ସିନ୍ଧୁ ଓରଫ ସୋମଡି, ରୀନା ଓରଫ ଚିରୋ, ଅମିଲା ଓରଫ ସନି, ଲକ୍ଷ୍ମୀ ପୁନେମ୍ ଓରଫ ଆରତି ରହିଥିଲେ। ଏଥିସହ ମାଦଭି ହିନମା, ଥିପିରି ତିରୁପତି ଓରଫ ଦେବଜୀ, ମନୋଜ ସୂର୍ଯ୍ୟଭାସ୍କର ଓରଫ ମୋଡେମ୍ ବାଲକୃଷ୍ଣ ଏବଂ ପ୍ରମୋଦ ଓରଫ ପାଣ୍ଡୁ ଭି, କେନ୍ଦ୍ରୀୟ କମିଟି ସଦସ୍ୟ ବାସବରାଜୁ, ସୁଧାକର, ଭାସ୍କର, ଉଦୟ. ଅରୁଣା, ଅଞ୍ଜୁ, ମଙ୍ଗୁ ଓ ଚନ୍ଦନ ଭଳି ୨୦ରୁ ଅଧିକ ନିହତ ହୋଇଥିଲେ।

ଅନୁରୂପ ଭାବେ ମାଲକାନଗିରି ପୁଲିସ ନିକଟରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଡିସିଏମ୍‌ କମାଣ୍ଡର ଲିଙ୍ଗେ ଓରଫ ମୁୟେ ମଡ଼କାମ ସମେତ ୨୨ଜଣ ଆତ୍ମସମର୍ପଣ କରିଥିଲେ। ଏଥିସହ ମାଓନେତ୍ରୀ ତଥା କେନ୍ଦ୍ରୀୟ କମିଟି ସଦସ୍ୟା ସୁଜାତା, ମାଦେ ବେତି ଓରଫ ଚମ୍ପା, କେକେବିଏନ୍‌ର ଏରିଆ କମାଣ୍ଡୋ ରାଜୁ ଦୋଡ଼ି ଓରଫ ଅଜୟ, ଆଡମୋ ମାଧବୀ, ବିଜୟ ପୁନମ ପ୍ରମୁଖ ଆତ୍ମସମର୍ପଣ କରିଥିଲେ।

ସେହିପରି କେସା କୱାସି, ସାନୁ କ୍ୁଞ୍ଜମ ଓରଫ ରାକେଶ, କୁଞ୍ଜମା ହିଡ଼ମା ଓ ମୋହନକୁ ଗିରଫ କରାଯାଇଛି। ୪ ମାଓବାଦୀ ଡିଭିଜନ ଓଡ଼ିଶାରେ ଆସୁଛି। ସେଗୁଡ଼ିକ ହେଲା କେକେବିଏନ୍ (କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼), ବିଜିଏନ୍‌ (ବଂଶଧାରା-ଘୁମୁସର-ନାଗାବଳୀ), ଡିଜିଏନ୍‌ (ଧମତ୍ରୀ-ଗରିଆବନ୍ଦ-ନୂଆପଡ଼ା) ଓ ବିବିଏମ (ବଲାଙ୍ଗିର-ବରଗଡ଼-ମହାସମନ୍ଦ)। ମାଓପ୍ରବଣ ଜିଲାର ଗଁା ଗୁଡ଼ିକୁ ଦ୍ରୁତ ବିକାଶ, ପୁନର୍ବାସ ନୀତିକୁ ସଂଶୋଧନ କରି ଆତ୍ମସମର୍ପଣ ରାଶି ରାଜ୍ୟ ସରକାର ବୃଦ୍ଧି କରିଥିବାରୁ ମାଓବାଦୀ ମୁଖ୍ୟସ୍ରୋତକୁ ଫେରୁଛନ୍ତି।

Comments are closed.