ମନ୍ଦିରରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହେଲା ପ୍ରଶିକ୍ଷଣ ବିମାନ; ପାଇଲଟ୍‌ ମୃତ

ଭୋପାଳ: ଆଜି ପ୍ରତ୍ୟୁଷରେ ମଧ୍ୟପ୍ରଦେଶର ରେୱା ଚୌରାହାଟରେ ଗୋଟାଏ ବିମାନ ଏକ ମନ୍ଦିରରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଛି।

ସଂଗୃହୀତ ସୂଚନା ଅନୁସାରେ, ଜଣେ ପାଇଲଟ୍‌ ଓ ଜଣେ ଟ୍ରେନି ଥିବା ଉକ୍ତ ଘରୋଇ ପାଇଲଟ୍‌ ପ୍ରଶିକ୍ଷଣ କମ୍ପାନିର ବିମାନଟି ଚୌରାହାଟ ଥାନା ଅଧୀନସ୍ଥ ଉମରି ଗାଁରେ ଥିବା ମନ୍ଦିର ଚୂଡ଼ା ଓ ପାଖରେ ଟଣାଯାଇଥିବା ବିଜୁଳି ତାରରେ ଧକ୍କା ଖାଇବା ପରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଖସି ପଡ଼ିଥିଲା। ସେଥିରେ ଥିବା ପାଇଲଟ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସାଙ୍ଘାତିକ ଆହତ ହୋଇପଡ଼ିଥିବା ଟ୍ରେନି ପାଇଲଟ୍‌ଜଣଙ୍କୁ ତୁରନ୍ତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହୁଡ଼ି ଯୋଗୁଁ ସେ ଅଞ୍ଚଳରେ ପାଗ ଖରାପ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।

ରେୱା ଏସ୍‌. ପି. ନବନୀତ ଭସୀନ୍‌ କହିଛନ୍ତି, ରେୱା ଜିଲ୍ଲାରେ ତାଲିମ ସମୟରେ ଗୋଟାଏ ବିମାନ ଏକ ମନ୍ଦିର ଉପରେ ଧକ୍କା ଖାଇବାରୁ ଜଣେ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ପାଇଲଟ୍‌ ଆହତ ହୋଇଛନ୍ତି। ନିକଟବର୍ତ୍ତୀ ଡାକ୍ତରଖାନାରେ ଆହତ ପାଇଲଟଙ୍କର ଚିକିତ୍ସା ଚାଲିଛି।

Comments are closed.