ମାଆ ବିନ୍ଧ୍ୟବାସିନୀ

ଅର୍ଜୁନୀ ଚରଣ ବେହେରା

ମାଆ ବିନ୍ଧ୍ୟ ବାସିନୀ, ଯୋଗମାୟା, ଆଦ୍ୟା ଶକ୍ତି ମା’ଦୁର୍ଗାଙ୍କର ଏକ ସ୍ୱରୂପ l ତାଙ୍କୁ ଆଦି ପରାଶକ୍ତି ଭାବେ ଧ୍ୟାନ କରାଯାଏ l ମାଆଙ୍କ ମନ୍ଦିର ଉତ୍ତର ପ୍ରଦେଶର ମିର୍ଜାପୁରଠାରୁ ଆଠକିଲୋମିଟର ଦୂର ଗଙ୍ଗା ନଦୀ କୂଳରେ ବିନ୍ଧ୍ୟ ପର୍ବତମାଳା ଉପରେ ଅବସ୍ଥିତ l
ବିନ୍ଧ୍ୟବାସିନୀ ତ୍ରିକୋଣଯନ୍ତ୍ର ଉପରେ ବିଜେ କରି ତିନି ମହାଶକ୍ତି ମହାକାଳୀ, ମହାସରସ୍ବତୀ ଏବଂ ମହାଲକ୍ଷ୍ମୀଙ୍କ ରୂପ ଓ ଶକ୍ତିକୁ ଧାରଣ କରିଛନ୍ତି l ଶାସ୍ତ୍ର ମାନ୍ୟତା ଅନୁସାରେ ମାଆ ବିନ୍ଧ୍ୟବାସିନୀଙ୍କ ପୀଠ ସୃଷ୍ଟିର ଆଦ୍ୟରୁ ଏଠାରେ ରହିଛି l ପ୍ରଳୟ କାଳରେ ମଧ୍ୟ ଏହା ଅନ୍ତଃ ହୁଏ ନାହିଁ l ଦେବୀଙ୍କ ବିନ୍ଧ୍ୟପର୍ବତ ଉପରେ ବାସ ହେତୁ ନାମ ହୋଇଛି ବିନ୍ଧ୍ୟ ବାସିନୀ l
ଦକ୍ଷ ଯଜ୍ଞରେ ଦଗ୍ଧ ହୋଇଥିବା ସତୀଙ୍କ କର୍ତ୍ତୀତ ଶରୀରାଂଶ ଯେଉଁଠାରେ ପଡ଼ିଥିଲା ସେଠାରେ ଗୋଟିଏ ଗୋଟିଏ ଶକ୍ତିପୀଠ ଗଢ଼ି ଉଠିଛି l କିନ୍ତୁ ମାଆଙ୍କ ପୀଠ ସେ ଶକ୍ତି ପୀଠରେ ନାହିଁ l ମାଆ ଜନ୍ମ ହେବା ସହ ଆସି ଏଠାରେ ବାସ କରିବାକୁ ପସନ୍ଦ କରିଥିଲେ l ଏଥିପାଇଁ ମାଆ ପାର୍ବତୀ ଓ ଦୁର୍ଗାଙ୍କର ଅନ୍ୟ ନାମ ବିନ୍ଧ୍ୟ ବାସିନୀ l
ମାଆ ବିନ୍ଧ୍ୟବାସିନୀଙ୍କ ଆବିର୍ଭାବ ବର୍ଣ୍ଣନା ଶ୍ରୀମଦ ଭାଗବତ ମହାପୁରାଣର ଦଶମ ସ୍କନ୍ଧରେ ଦେଖା ଯାଏ l ଦେବକୀଙ୍କ ଅଷ୍ଟମ ଗର୍ଭ ଜନ୍ମିତ ସନ୍ତାନହିଁ କଂସ ମୃତ୍ୟୁର କାରଣ ହେବ,ଏ ଶୂନ୍ୟବାଣୀ ଶୁଣି କଂସ ଦେବକୀ ବସୁଦେବଙ୍କୁ କାରାରୁଦ୍ଧ କରି ରଖି ଗୋଟି ଗୋଟି କରି ତାଙ୍କର ଛଅଗୋଟି ସନ୍ତାନଙ୍କୁ ମାରି ସାରିଥାଏ l ସପ୍ତମ ଗର୍ଭ କୁଆଡ଼େ ଉଭେଇ ଯାଇଥାଏ l ଅପେକ୍ଷା ଅଷ୍ଟମ ଗର୍ଭକୁ l ଷଷ୍ଠ ପରେ ସପ୍ତମ ଗର୍ଭରେ ରହିଲେ, ବଳରାମ l ବିଷ୍ଣୁ ମାଆ ଆଦ୍ୟା ଶକ୍ତିଙ୍କୁ ଅନୁରୋଧ କଲେ, ମାୟା ବିସ୍ତାର କରି ଏ ଗର୍ଭକୁ ହରଣ କରି ରୋହିଣୀ ଦେବୀଙ୍କ ଗର୍ଭରେ ସଂସ୍ଥାପିତ କରିବାକୁ l ପୁଣି ବିଷ୍ଣୁ ତାଙ୍କୁ କହିଲେ ତୁମେ ମାଅ ଯଶୋଦାଙ୍କ ଗର୍ଭରେ ଜନ୍ମ ନିଅ l ମୁଁ ତୁମ ପଛରେ ଯାଉଛି :-
ଦେବକୀ ଦେବୀ ନିଦ୍ରା କାଳେ l
ଗର୍ଭ ହରିବୁ ଯୋଗ ବଳେ ll
ମିଳିବୁ ନନ୍ଦ ଘରେ ଯାଇ l
ରୋହିଣୀ ଗର୍ଭେ ତାହା ଥୋଇ ll
ଜନ୍ମିବୁ ଯଶୋଦା ଉଦରେ l
ମୁଁ ପୁଣି ଯିବି ମଞ୍ଚ ପୁରେ ll
ବିଷ୍ଣୁଙ୍କ ଆଦେଶରେ ଦେବୀ ମାୟା ବିସ୍ତାର କରି ବସୁଦେବଙ୍କୁ କହିଲେ ଅଷ୍ଟମ ଗର୍ଭ ପ୍ରସବ ହେବା କ୍ଷଣି ତାକୁ ନେଇ ଗୋପରେ ପହଞ୍ଚାଇ ଯଶୋଦା କୋଳରୁ କନ୍ୟା ପାଲଟାଇ ଆଣିବୁ l ଦେବକୀଙ୍କ ଅଷ୍ଟମ ଗର୍ଭରୁ ଭଗବାନ କୃଷ୍ଣ ଜନ୍ମ ହେବା କ୍ଷଣି ବସୁଦେବ ତାହାହିଁ କଲେ l
ଯଶୋଦା କୋଳେ କୃଷ୍ଣ ଥୋଇ l
କନ୍ୟା ଆଣିଲା ପାଲଟାଇ ll
ମାଆଙ୍କ ମାୟା ବଳରେ କାରା କୋଠରୀର ଦ୍ଵାର ଖୋଲି ଗଲା l ବସୁଦେବଙ୍କ ପାଦରେ ଲାଗିଥିବା ଶକ୍ତ ଲୁହା ଶିକୁଳି ଉନ୍ମୁକ୍ତ ହୋଇଗଲା l ଯଶୋଦା କୋଳରେ ଜନ୍ମଲାଭ କରିଥିବା ମା’ ଯୋଗମାୟା ଆସି ପହଞ୍ଚିଲେ କଂସ ବନ୍ଦୀଘରେ l ପୁନଶ୍ଚ ସବୁ ପୂର୍ବବତ ହୋଇଗଲା l ଦେବୀଙ୍କ ମାୟା ବଳରେ ଅପ୍ରତ୍ୟାଶିତ ଭାବେ ସବୁ ଘଟଣା ନିମିଷକେ ଘଟି ଗଲା l ମାୟା ପ୍ରଭାବରେ କାହାରି ସଜ୍ଞାନରେ ଏ ଘଟଣାର ଲେଶମାତ୍ର ଛାପ ରହିଲା ନାହିଁ l କାରା ଗୃହରେ ଶୁଣାଗଲା କନ୍ୟାର କ୍ରନ୍ଦନ l
ଲାଗିଲା ଚରଣେ ଶିକୁଳି l
ଦୁହିତା ଛାଡ଼ିଲା ବୋବାଳି ll
କଂସ ଆଶ୍ଚର୍ଯ୍ୟ l ଏ କ’ଣ ? ଅଷ୍ଟମ ଗର୍ଭ ସନ୍ତାନ ଗଲା କୁଆଡ଼େ ? ଇଏ ତ କନ୍ୟା ? ତଥାପି ତାର ବିଶ୍ୱାସ ହେଉ ନଥାଏ l ଦେବକୀ କୋଳରୁ ଟାଣି ଆଣି କନ୍ୟାକୁ ଶିଳାରେ ବୁଲାଇ ପିଟନ୍ତେ କନ୍ୟା ତା ହାତରୁ ବିଜୁଳି ପ୍ରାୟ ଖସି ଗଲେ l ଆକାଶ ମାର୍ଗରେ ରହି କଂସକୁ ସତର୍କ ବାଣୀ ଶୁଣାଇଲେ, “ରେ ମୁଢ଼!ତୋର ମରଣ ନିକଟ ହୋଇଆସିଲା l ତୋତେ ଯିଏ ମାରିବ ସିଏ ଗୋପରେ ବଢୁଛି l ଆପଣା ମଙ୍ଗଳ ଚାହୁଁଛୁ ତ ଏବେ ବି ସମୟ ଅଛି, ଶ୍ରୀ ହରିଙ୍କ ଶରଣ ପଶ l”
ଯେ ଦେବୀ ଜଗତ ସଂହାରେ l
କାହାର ବଳ ତାକୁ ମାରେ ll
କଂସର ହସ୍ତରୁ ଉଛୁଳି l
ଆକାଶେ ଯେସନେ ବିଜୁଳି ll
ମହା ଦେବୀ ସତର୍କବାଣୀ ଶୁଣାଇ କହୁଛନ୍ତି :-
ରେ କଂସ ଶୁଣ ମୋ ଉତ୍ତର l
ତୋର ବଇରୀ ଚକ୍ରଧର ll
ତୋହର ପାଇଁ ଦେହ ବହି l
ଜାତ ହୋଇଲେ ଯହିଁ ତହିଁ ll
ଏବେ ମୁଁ କହୁଅଛି ତୋତେ l
ହରିଙ୍କି ଭାବ ହୃଦଗତେ ll
ସେ ବିଶ୍ଵମ୍ଭର ବିଶ୍ୱମୂର୍ତ୍ତି l
ଭାବିଲେ ପାଇବୁ ମୁକତି ll
ହେଲେ, କଂସ ମାଆ ଯୋଗମାୟାଙ୍କ ଏ ସତର୍କ ବାଣୀକୁ ହୃଦୟଙ୍ଗମ କରି ମଧ୍ୟ ପାଳନ କରି ନ ଥିଲା ଏବଂ ଶେଷରେ ଭଗବାନ କୃଷ୍ଣଙ୍କ ହସ୍ତରେ ତାର ପରମ ଗତି ପ୍ରାପ୍ତ ହୋଇଥିଲା l
ଏହି ସମସ୍ତ ମାୟା ରଟିଥିବା ଓ କଂସକୁ ସତର୍କ ବାଣୀ ଶୁଣାଇ ଥିବା ମାଆ ବିଜୁଳି କନ୍ୟା ହେଲେ ଆଦ୍ୟାଶକ୍ତି ମାଆ ବିନ୍ଧ୍ୟବାସିନୀ l ଭାଗବତ ଜଡ଼ ଭରତ ଉପାଖ୍ୟାନରେ ମଧ୍ୟ ସେହି ମାଆ କାଳି ମୂର୍ତ୍ତି ମଧ୍ୟରୁ ପ୍ରକଟ ହୋଇ ଘାତକ ମାନଙ୍କୁ ଖଡ୍ଗ ପ୍ରହାର କରିଛନ୍ତି l
ସେ ଦେଵୀ ଚଣ୍ଡୀ ଭଦ୍ରକାଳୀ l
ଅତ୍ୟନ୍ତ କୋପେ ପରଜ୍ୱଳି ll
ଶାଣିତ ଅସୀ ତୀକ୍ଷ୍ଣ ଧାର l
ଛେଦିଲେ ତାହାଙ୍କର ଶିର ll
ଯଶୋଦା ଗର୍ଭ ସମ୍ଭୁତା ଏହି ମାଆ ଯୋଗମାୟା ବିନ୍ଧ୍ୟବାସିନୀ ଭାବେ ବିନ୍ଧ୍ୟ ପର୍ବତରେ ଅବସ୍ଥାନ କରୁଛନ୍ତି l ମାଆଙ୍କର ଏ ଦିବ୍ୟ ଉପସ୍ଥିତି ଯୋଗୁଁ ବିନ୍ଧ୍ୟାଞ୍ଚଳ ଏକ ଜାଗ୍ରତ ଶକ୍ତି ପୀଠରେ ପରିଣତ ହୋଇଛି l ମହାଭାରତ ବିରାଟ ପର୍ବରେ ପାଣ୍ଡଵ ଶ୍ରେଷ୍ଠ ଧର୍ମରାଜ ଯୁଧିଷ୍ଠିର ମାଆ ବିନ୍ଧ୍ୟବାସିନୀଙ୍କୁ ସ୍ତୁତି କରି କହିଛନ୍ତି :-
ବିନଧ୍ୟେଚୈବ ନଗ ଶ୍ରେଷ୍ଠେ
ତଵ ସ୍ଥାନହି ଶାଶ୍ୱତମ୍ !!!
ପଦ୍ମ ପୁରାଣରେ ମାଆ ବିନ୍ଧ୍ୟ ବାସିନୀଙ୍କୁ ”ବିନ୍ଧ୍ୟେ ବିନ୍ଧ୍ୟାଧିବାସିନୀ”ବୋଲି ସମ୍ବୋଧନ କରାଯାଇଛିl
ଶ୍ରୀମଦ ଭାଗବତରେ ବର୍ଣ୍ଣନା ରହିଛି ସୃଷ୍ଟି କର୍ତ୍ତା ବ୍ରହ୍ମା ଆଦି ମାନବ ରୂପରେ ସ୍ୱାୟଂଭୁବ ମନୁ ଓ ଶତରୁପାଙ୍କୁ ନିଜ ମାନସ ପଟରୁ ସୃଷ୍ଟି କଲେ l ବିବାହ ଉପରାନ୍ତେ ସ୍ୱାୟମ୍ଭୁବ ମନୁ ନିଜ ହାତରେ ଗୋଟିଏ ଦେବୀ ମୂର୍ତ୍ତି ତିଆରିକରି ଏକଶହ ବର୍ଷ ଧରି ଦେବୀଙ୍କୁ ତପସ୍ୟା କଲେ l ତାଙ୍କ କଠୋର ତପସ୍ୟାରେ ସନ୍ତୁଷ୍ଟା ମାଆ ଭଗବତୀ ତାଙ୍କୁ ବଂଶ ବୃଦ୍ଧି,ନିଷ୍କଣ୍ଟକ ରାଜ୍ୟ ଭୋଗ ଓ ପରମପଦ ପ୍ରାପ୍ତି ପାଇଁ ଆଶୀର୍ବାଦ ଦେଇ ବିନ୍ଧ୍ୟାଚଳକୁ ଚାଲି ଯାଇ ଥିଲେ l ଏଥିରୁ ସ୍ପଷ୍ଟ ହୁଏ,ସୃଷ୍ଟି ପ୍ରାରମ୍ଭରୁ ମାଆଙ୍କ ଆସ୍ଥାନ ବିନ୍ଧ୍ୟାଚଳରେ ରହିଛି l ତାଙ୍କରି ଆଶିଷ ବଳରେ ହିଁ ସୃଷ୍ଟି ବିସ୍ତାର ଲାଭ କରିଛି l
ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦୁର୍ଗା ସପ୍ତଶତିରେ କୁହା ଯାଇଛି ଦେବତା ମାନଙ୍କ ଅନୁରୋଧ କ୍ରମେ ମାଆ ତାଙ୍କୁ ଆଶ୍ୱାସନା ଦେଇ କହୁଛନ୍ତି,” ଆହେ ଦେଵଗଣ ! ବୈବସ୍ଵତ ମନ୍ଵନ୍ତର ଅଠାଇଶ ତମ ଯୁଗରେ ଶୁମ୍ଭ ନିଶୁମ୍ଭ ନାମକ ଦୁଇଟି ମହାଦୈତ୍ୟ ଉତ୍ପନ୍ନ ହେବେ l ସେତେବେଳେ ଗୋପ ପୁରରେ ମୁଁ ନନ୍ଦରାଣୀ ଯଶୋଦାଙ୍କ ଗର୍ଭରେ ଜନ୍ମ ହୋଇ ବିନ୍ଧ୍ୟ ପର୍ବତରେ ଯାଇ ରହିବି l ଏହି ସମୟରେ ମୁଁ ଏହି ଦୈତ୍ୟ ଦ୍ବୟଙ୍କୁ ବିନାଶ କରିବି l
ଶିବପୁରାଣରେ ମା’ ବିନ୍ଧ୍ୟବାସିନୀଙ୍କୁ ମା’ ସତୀଙ୍କ ରୂପ ବୋଲି ଚିତ୍ରିତ କରା ଯାଇଛି l କିନ୍ତୁ ଶ୍ରୀମଦ ଭାଗବତରେ ତାଙ୍କୁ ନନ୍ଦ ଯଶୋଦା ସୂତା କୃଷ୍ଣଙ୍କ ଅନୁଜା ବୋଲି ଚିତ୍ରିତ କରାଯାଇଛି l ଏସବୁ କଥା ମାଆଙ୍କର ପ୍ରାଚୀନତାର ପ୍ରମାଣ ପ୍ରଦାନ କରେ l ପୌରାଣିକ ଓ ବୈଦିକ ଏହି ପୀଠରେ ମାଆଙ୍କର ବୈଦିକ ତଥା ବାମାଚାର ବିଧି ପୂଜା ହୋଇଥାଏ l
ଶାସ୍ତ୍ରର ଉଲ୍ଲେଖରୁ ଜାଣିବାକୁମିଳିଥାଏ ଯେ ମାଆ ଆଦ୍ୟାଶକ୍ତି କେଉଁଠି ହେଲେ ପୂର୍ଣ୍ଣରୂପରେ ପ୍ରକାଶ ହୋଇନାହାଁନ୍ତି l ଅନ୍ୟ ସବୁ ଶକ୍ତି ପୀଠରେ ମା’ଙ୍କ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତୀକରୂପେ ପୂଜିତ ହୁଏ l କିନ୍ତୁ ବିନ୍ଧ୍ୟାଚଳରେ ସେ ପୂର୍ଣ୍ଣ ରୂପରେ ପ୍ରକାଶିତ l ପୂର୍ବ କାଳରେ ବିନ୍ଧ୍ୟାଚଳ ଘଞ୍ଚ ଅରଣ୍ୟରେ ପୂର୍ଣ୍ଣ ଥିଲା l ଏଠାରେ ନିବାସୀ ମାଆଙ୍କର ତେଣୁ ଅନ୍ୟ ନାମ ବନଦୁର୍ଗା l ଏହି କାରଣରୁ ଜ୍ୟେଷ୍ଠ ମାସର ଶୁକ୍ଳ ଷଷ୍ଠୀ ତିଥିରେ ମାଆଙ୍କର ପାବନ ମହାପୁଜା ଅରଣ୍ୟ ଷଷ୍ଠୀ ଭାବେ ବିଖ୍ୟାତ ହୋଇଛି l ମାଆ ଯେ ଯଶୋଦା ଗୃହରେ ଜନ୍ମିତା ଆଦ୍ୟାଶକ୍ତି ଏହା ତାଙ୍କର ଧ୍ୟାନମନ୍ତ୍ରରୁ ଜଣାଯାଏ l ତାଙ୍କ ଧ୍ୟାନ ମନ୍ତ୍ର ହେଲା :-
ନନ୍ଦଗୋପ ଗୃହେ ଜାତା
ଯଶୋଦା ଗର୍ଭସମ୍ଭବାଃ l
ତତସ୍ତୋ ନାଶ ୟଶ୍ୟାମୀ
ବିନ୍ଧ୍ୟାଚଳ ନିବାସିନିଃ ll
ଶ୍ରୀ ବିନ୍ଧ୍ୟବାସିନୀ ମାତାସ୍ତୋତ୍ରରୁ ଜଣାଯାଇ ଥାଏ ସେ ଆଦ୍ୟାଶକ୍ତି ଓ ଶକ୍ତି ସ୍ୱରୂପା :-
ନିଶୁମ୍ଭ ଶୁମ୍ଭ ମର୍ଦ୍ଦିନୀ ପ୍ରଚଣ୍ଡ ମୁଣ୍ଡ ଖଣ୍ଡନିମ୍ l
ବନେ ରଣେ ପ୍ରକାଶିନିଂ
ଭଜାମୀ ବିନ୍ଧ୍ୟବାସିନୀମ୍ ll
ତ୍ରିଶୂଳମୁଣ୍ଡ ଧାରିଣୀମ୍,ଧରାବିଧାତ ହାରିଣୀମ୍ l
ଗୃହେ ଗୃହେ ନିବାସିନିଂ
ଭଜାମୀ ବିନ୍ଧ୍ୟବାସିନୀମ୍ ll
ଦରିଦ୍ରଦୁଃଖ ହାରିଣୀମ୍ ସନ୍ତା ବିଭୁତିକାରିଣୀମ୍ l
ବିଯୋଗ ଶୋକ ହାରିଣୀମ୍
ଭଜାମୀ ବିନ୍ଧ୍ୟବାସିନୀମ୍ ll
ଲସତ୍ସୁଲୋଲଲୋଚନିଂ,ଲତାସଦେ ବରପ୍ରଦାମ୍ l
କପାଳ ଶୂଳଧାରିଣୀମ୍
ଭଜାମୀ ବିନ୍ଧ୍ୟବାସିନୀମ୍ ll
କରେ ମୁଦାଗଦାଧରିଂ ଶିବା ଶିବ ପ୍ରଦାୟୀନିମ୍ l
ବରାଂ ବରାନନେ ଶୁଭାଂ
ଭଜାମୀ ବିନ୍ଧ୍ୟବାସିନୀମ୍ ll
ଋଷିନ୍ଦ୍ରୟାମିନିମ୍ ପ୍ରଦା ତ୍ରିଧା ସ୍ୱରୂପ ଧାରିଣୀମ୍ l
ଜଳେ ସ୍ଥଳେ ନିବାସିନୀମ୍
ଭଜାମୀ ବିନ୍ଧ୍ୟବାସିନୀମ୍ ll
ବିଶିଷ୍ଟ ସୃଷ୍ଟିକାରିଣୀମ୍ ବିଶାଳରୂପ ଧାରିଣୀମ୍ l
ନମଃ ନୃମୁଣ୍ଡ ମାଳିନୀମ୍
ଭଜାମୀ ବିନ୍ଧ୍ୟବାସିନୀମ୍ ll
ଶ୍ରୀମଦ ଭାଗବତ ମହାପୁରାଣ ମତରେ ଯେତେ ବେଳେ ମାଆ ଯୋଗମାୟାଙ୍କ କୃଷ୍ଣବଳରାମ ଜନ୍ମ ଲୀଳାର କାର୍ଯ୍ୟ ସରି ଗଲା, ଦେଵ ଗଣ ମାଆଙ୍କୁ ସ୍ତୁତି କରି କହିଲେ,”ହେ ଦେବୀ ଏବେ ଆପଣଙ୍କ କାର୍ଯ୍ୟ ସମାପ୍ତ ହୋଇଛି,ଆପଣ ସ୍ୱସ୍ଥାନରେ ଯାଇ ଅବସ୍ଥାନ କରନ୍ତୁ l” ସେତେବେଳେ ଦେବୀ କହି ଥିଲେ,”ନାଁ ମୁଁ ଏହି ପୃଥିବୀରେ ହିଁ ଭିନ୍ନଭିନ୍ନ ରୂପ ଧରି ରହିବି,ଯେଉଁ ଭକ୍ତ ମୋତେ ଯେଉଁ ରୂପରେ ଧ୍ୟାନ କରିବ ମୁଁ ସେହି ରୂପରେ ଦର୍ଶନ ଦେବି l ମୋର ପ୍ରଥମ ନିବାସ ସ୍ଥାନ ହେବ ବିନ୍ଧ୍ୟାଦ୍ରୀ l” ଦେବଗଣ ମାଆଙ୍କ ଠାରୁ ଏହା ଶୁଣି ବିନ୍ଧ୍ୟ ପର୍ବତ ଉପରେ ଏକ ଶକ୍ତିପୀଠ ନିର୍ମାଣ କଲେ ଓ ମାଆ ଯୋଗମାୟାଙ୍କୁ ସ୍ଥାପନା କଲେ l
ମାର୍କଣ୍ଡେୟ ପୁରାଣର ଦୁର୍ଗା ସପ୍ତଶତୀ ଅନୁଯାୟୀ ବ୍ରହ୍ମା,ବିଷ୍ଣୁ, ମହେଶ୍ୱର ମା’ ଯୋଗମାୟାଙ୍କୁ ମାତୃ ରୂପରେ ଉପାସନା କରିଥାନ୍ତି ଯଦ୍ୱାରା ତ୍ରିଦେବ ଏ ସୃଷ୍ଟି ସର୍ଜନା,ପାଳନ ତଥା ସଂହାର ପାଇଁ ସମର୍ଥ ହୋଇଥାନ୍ତି l
ମାଆ ଯୋଗମାୟା ଭଗବାନ ଶ୍ରୀକୃଷ୍ଣଙ୍କ ଭଉଣୀ ଭାବେ ନନ୍ଦ ଗୃହରେ ଯଶୋଦାଙ୍କ ଗର୍ଭରୁ ସମ୍ଭୁତା ହୋଇଥିଲେ l ତାଙ୍କର ନାମ ପରେ ହୋଇ ଥିଲା ଏକାନଂସା l ଏକାନଂସା ଶ୍ରୀକୃଷ୍ଣଙ୍କୁ ଜୀବନ ଭରି ସହାୟତା କରିଥିଲେ l ସେ ଶ୍ରୀକୃଷ୍ଣଙ୍କ ସାଥିରେ ଯୋଗଵିଦ୍ୟା ଏବଂ ମହାବିଦ୍ୟା ଭାବେ ରହି କଂସ ଚାଣୁର,ମୁଷ୍ଟିକ ଆଦି ମହାମହା ବଳଶାଳୀ ଅସୁର ମାନଙ୍କୁ ସଂହାର କରିଥିଲେ l ଶ୍ରୀମଦ ଭାଗବତ ମହାପୁରାଣ ଅନୁଯାୟୀ ମାଆଙ୍କର ବିଭିନ୍ନ ନାମ ରହିଛି ଯଥା :-
ଭକତେ ହୋଇବୁ ପ୍ରସନ୍ନ l
ଅନେକ ହେବ ତୋର ନାମ ll
ଜୟା, ବିଜୟା, ଭଦ୍ରକାଳୀ l
ମଙ୍ଗଳା, ଚଂଡିକା, କଂକାଳୀ ll
କନ୍ୟକା, କୃଷ୍ଣା ଯେ ମାଧବୀ l
ଇଶାନୀ, ଶାରଦା, ବୈଷ୍ଣବୀ ll
ଦୁର୍ଗା, ଅମ୍ବିକା, ନାରାୟଣୀ l
ଏକୁ ଅନେକ ନାମ ଭଣି ll
ଚମତ୍କାରୀ କ୍ଷେତ୍ର ମାଆ ବିନ୍ଧ୍ୟବାସିନୀଙ୍କ ପୀଠକୁ ବର୍ଷ ସାରା ଭକ୍ତଙ୍କ ସୁଅ ଛୁଟି ଥାଏ l ଶାରଦୀୟ ଦୁର୍ଗା ପୂଜା ତଥା ଚୈତ୍ର ନବ ରାତ୍ରରେ ମାଆଙ୍କର ସ୍ୱତନ୍ତ୍ର ପୂଜାଵିଧି ଅନୁଷ୍ଠିତ ହୋଇଥାଏ l ମାଆଙ୍କ ନିକଟରେ ପ୍ରମୁଖ ତୀର୍ଥ ସ୍ଥଳୀ ପ୍ରୟାଗ ଓ କାଶୀ ଅବସ୍ଥିତ l ଏଠାରେ ପହଞ୍ଚିବା ପାଇଁ ଭାରତର ସମସ୍ତ ସ୍ଥାନରୁ ଉତ୍ତମ ଯୋଗା ଯୋଗ ରହିଛି l ମା’ଙ୍କ ପୀଠର ଅନତି ଦୂରରେ ଅଛି କାଳିଖୋଲ ପାହାଡ଼ ଉପରେ ମା’ମହାକାଳୀଙ୍କ ମନ୍ଦିର l ତିନି କିଲୋମିଟର ଦୂରରେ ଅଷ୍ଟଭୁଜା ପାହାଡ଼ ଉପରେ ରହିଛି ମହାଦେବୀ ଅଷ୍ଟଭୁଜାଙ୍କ ମନ୍ଦିର l ଶ୍ରଦ୍ଧାଳୁ ମାନେ ମାଆ ବିନ୍ଧ୍ୟ ବାସିନୀଙ୍କ ଦର୍ଶନ ସହିତ ଏ ଦୁଇ ପୀଠକୁ ଦର୍ଶନ କରିବାକୁ ଭୁଲି ନଥାନ୍ତି l ମା’ ବିନ୍ଧ୍ୟ ବାସିନୀଙ୍କ ପୀଠ ଭାରତର ପ୍ରମୁଖ 51 ଟି ଶକ୍ତିପୀଠ ମଧ୍ୟରେ ଗଣ୍ୟ ନ ହେଉ ଥିଲେ ହେଁ ଆଦ୍ୟଶକ୍ତିପୀଠ,ମହାମାୟା ଶକ୍ତିପୀଠ ହିସାବେ ଏହା 108 ଶକ୍ତି ପୀଠ ମଧ୍ୟରେ ନିଶ୍ଚିନ୍ତ ଭାବେ ଗଣ୍ୟ ହୁଏ l
ମହାମାୟା, ଯୋଗମାୟା ମାଆ ବିନ୍ଧ୍ୟବାସିନୀଙ୍କ ମହିମା ଅପାର l ତାଙ୍କ କରୁଣା କଟାକ୍ଷ ପଡ଼ିଲେ ମନୁଷ୍ୟର ସର୍ବ ପାପ ତାପ ନିମିଷକେ ଉଭେଇ ଯାଇଥାଏ l ନିତ୍ୟ ପ୍ରତ୍ୟ ଧ୍ୟେୟ ମାଆଙ୍କ ଥରେ ମାତ୍ର ଦୁର୍ଲଭ ଦର୍ଶନ ପ୍ରତ୍ୟେକ ମନୁଷ୍ୟର କାମ୍ୟ ହେବା ଉଚିତ l
!!! ଜୟ ମା’ ବିନ୍ଧ୍ୟବାସିନୀ !!!
ସର୍ବ ମଙ୍ଗଲ ମାଙ୍ଗଲ୍ୟେ
ଶିବେ ସର୍ବାର୍ଥ ସାଧିକେ l
ଶରଣ୍ୟେ ତ୍ର୍ୟମ୍ବକ ଗୌରୀ
ନାରାୟଣୀ ନମସ୍ତୁତେ ll
🙏🙏🙏
ଅର୍ଜୁନୀ
————–

ମୋ -7693091971

Comments are closed.