ଯୁଗେ ଯୁଗେ ମାଆ କାତ୍ୟାୟନୀ

ଅର୍ଜୁନୀ ଚରଣ ବେହେରା

ତ୍ରେତୟା ଯୁଗର କଥା l ପ୍ରଭୁ ଶ୍ରୀରାମ ଚଉଦବର୍ଷ ବନବାସରେ ଯାଇ ଦଣ୍ଡକବନରେ ବାସ କରୁଥାନ୍ତି l ସେହି ବନ୍ୟ ପ୍ରଦେଶରେ ପ୍ରଭୁ ଦିନେ ବାସ କରିବେ ଜାଣି ବହୁ ମୁନି ଋଷି ଆସି ପୁର୍ବରୁ ସେଠାରେ ବାସ କରୁଥାନ୍ତି l ଋଷିମାନେ କୋଟି କନ୍ଦର୍ପ ଶୋଭା ଜିଣା ଲାବଣ୍ୟ ମୁର୍ତ୍ତି କୋଦଣ୍ଡ ଧାରୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନରେ ବିମୋହିତ ହୋଇ ପଡ଼ିଲେ l ୠଷିମାନେ ବିଚାରକଲେ ଯଦି ବିଧାତା ଆମ୍ଭମାନଙ୍କୁ ନାରୀ କରି ଜନ୍ମ କରିଥାନ୍ତେ ଓ ଏ ଅପୂର୍ବ ପୁରୁଷ, ଆମ୍ଭର ସ୍ବାମୀ ହୋଇଥାନ୍ତେ ଆମେ କେଡେ ସୌଭାଗ୍ୟବତୀ ହୋଇ ନ ଥାନ୍ତେ ସତେ ! କି ଲାଭ ଏହି ବ୍ରହ୍ମ ସାଧନା କରି? ଏଭଳି ସୁନ୍ଦରପୁରୁଷ ପାଇଲେ କୌଣସି ବ୍ରହ୍ମ ପଦର କିବା ଦରକାର l ବ୍ରହ୍ମ ସାଧନ କରୁଥିବା ମୁନୀମାନେ ସ୍ୱୟଂ ବ୍ରହ୍ମଙ୍କୁ ଦେଖି ପ୍ରଲୋଭିତ ନ ହେବେ କିପରି? ସମସ୍ତେ ଏତେ ମାତ୍ରାରେ ମୋହିତ ହୋଇଗଲେ ଯେ ଜଟା ଜୁଟକୁ ବେଣୀ ଭାବରେ ସଜାଇ ଓ ଭିକ୍ଷା ପାତ୍ର ଲାଉତୁମ୍ବା ଗୁଡିକୁ ନିଜ ବକ୍ଷୋଜଭାବେ ସଜାଇ ପ୍ରଭୁ ଶ୍ରୀରାମଙ୍କୁ ପ୍ରେମ ନିବେଦନ କରିବାରେ ଲାଗିଲେ l କବି ସମ୍ରାଟ ତପସ୍ୱୀ ମାନଙ୍କ ସେହି ଭାବକୁ ବର୍ଣ୍ଣନା କରି ଲେଖିଲେ:-
ବିଧାତା ଆମ୍ଭଙ୍କୁ କରନ୍ତେ ନାରୀ l
ବର ହୁଅନ୍ତେ ଏ କୋଦଣ୍ଡଧାରୀ ll
ପ୍ରଭୁ ଶ୍ରୀରାମ ମୁନି ମାନଙ୍କ ବ୍ୟାକୁଳତାକୁ ଉପଲବ୍ଧି କରି ସ୍ୱୀକୃତି ଦେଲେ, ତୁମ୍ଭ ମାନଙ୍କର ଏ ଅଭିଳାଷ ପୂରଣ ହେବ ଦ୍ୱାପରଯୁଗରେ l ସେତେବେଳେ ବ୍ରଜ ପୁରରେ ମୁଁ ଶ୍ରୀକୃଷ୍ଣ ରୂପେ ଅବତୀର୍ଣ୍ଣ ହେବି l ତୁମ୍ଭେ ମାନେ ସବୁ ହେବ ବ୍ରଜାଙ୍ଗନା l ବୃନ୍ଦାବନରେ ରାସ କେଳି ହେବ ଆଉ ତୁମେ ମୋ ସାନ୍ନିଧ୍ୟ ଲାଭକରିବ l ଏ ଜନ୍ମରେ ତ ଏକପତ୍ନୀ ବ୍ରତରେ ଜାନକୀଙ୍କୁ ମୋର ବଲ୍ଲଭୀ କରିସାରିଛି l
ତ୍ରେତୟା ଯାଇ ଦ୍ଵାପର ଯୁଗ ଆସିଲା l କୃଷ୍ଣାବତାର ଧରି ଭଗଵାନ ବ୍ରଜପୁରରେ ଲୀଳାକଲେ l ତ୍ରେତାର
ସେହି ଦଣ୍ଡକବନ ନିବାସୀ ମୁନି ମାନେ ବ୍ରଜପୁରରେ ଗୋପୀ ରୂପରେ ଜନ୍ମହେଲେ l ଭଗବାନ ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟ ଲାଭ ପାଇଁ ସେମାନେ ସର୍ବଦା ବ୍ୟାକୁଳ ରହୁ ଥିଲେ l ଶ୍ରୀକୃଷ୍ଣ ମଧ୍ୟ ତ୍ରେତୟାର ତାଙ୍କ ସେ ପ୍ରତିଜ୍ଞା ପାଳନ ପାଇଁ ଚିତ୍ତାକର୍ଷକ ମୋହନ ବଂଶୀ ନାଦରେ ଗୋପୀମାନଙ୍କ ଚିତ୍ତ ଚୋରିକଲେ l
ଶ୍ରୀମଦ ଭାଗବତ ମହାପୁରାଣ କଥା l ସମସ୍ତ ଗୋପି ମାନେ ଶ୍ରୀକୃଷ୍ଣଙ୍କୁ କିପରି ପତି ଭାବେ ଲାଭ କରିବେ ଏ କଥା ବିଚାରକରି ଯାଇ ଗର୍ଗ ମୁନିଙ୍କୁ ପଚାରିଲେ l ଗର୍ଗମୁନୀ ଗୋପୀକାଙ୍କ ମନୋଭାବ ଜାଣି ଶ୍ରୀକୃଷ୍ଣଙ୍କୁ ସଚେତନ କରାଇ ଦେଲେ l ବ୍ରଜ ନାରୀ ମାନଙ୍କ ଏ ସଂକଳ୍ପ ଶୁଣି, ଗୋପି ବୃନ୍ଦାବତୀ ଦିନେ ଯାଇ ତାଙ୍କ ପାଖରେ ପହଞ୍ଚି କହିଲେ ତୁମେମାନେ ଯଦି କୃଷ୍ଣଙ୍କୁ ପତି ରୂପେ ପାଇବାକୁ ଚାହୁଁଛ ତେବେ ତୁମେ ମାଆ କାତ୍ୟାୟନୀଙ୍କ ପୂଜା କର l ତୁମର ଅଭୀଷ୍ଟ ନିଶ୍ଚୟ ପୂର୍ଣ୍ଣହେବ l ଏମିତି ବୃନ୍ଦାବନରେ ଶରତ ଋତୁ ଯାଇ ହେମନ୍ତଋତୁ ହେଲା l ଗୋପୀମାନେ ବୃନ୍ଦାଙ୍କ ସେହି କଥାକୁ ଘାରିହେଉଥାନ୍ତି l ଵୃନ୍ଦାଙ୍କ କଥା ଅନୁସାରେ ଗୋପିମାନେ ଦିନେ ଯାଇ ଯମୁନାକୂଳରେ ଏକତ୍ରିତ ହୋଇ କାତ୍ୟାୟନୀଙ୍କ ପୂଜା ଆରମ୍ଭ କରି ଦେଲେ l
ସେମାନେ ଯମୁନା କୁଳରେ ମାଆଙ୍କର ଏକ ବାଲୁକା ବିଗ୍ରହ ଗଢ଼ି ଏକମାସକାଳ ନିଷ୍ଠାରେ ବ୍ରତ ରଖିଲେ l ମା’ କାତ୍ୟାୟନୀଙ୍କୁ ପ୍ରାର୍ଥନା କଲେ :-
କାତ୍ୟାୟନୀ ମହାମାୟେ
ମହାଯୋଗୀନ୍ୟଧୀଶ୍ୱରୀ l
ନନ୍ଦଗୋପ ସୂତମ୍ ଦେବ
ପତି ମେଁ କୁରୁତେ ନମଃ ll
ଅତିବଡ଼ିଙ୍କ ଭାଷାରେ ଗୋପିମାନେ ମାଆଙ୍କୁ ପ୍ରାର୍ଥନା କଲେ :-
ହେ କାତ୍ୟାୟନୀ ମହାମାୟୀ l
ପରମ ଯୋଗେଶ୍ୱରୀ ତୁହି ll
ଭୋ ମାତ ଶଙ୍କର ଯୁବତୀ l
ନନ୍ଦ କୁମରେ ଦିଅ ପତି ll
ମାଆ କାତ୍ୟାୟନୀ, ଷୋଳ ଶହସ୍ର ଗୋପ ନାରୀଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟାହୋଇ ତାଙ୍କୁ ଇପସିତ ବରଦାନ କଲେ ଓ ସର୍ଵ ଗୋପଗୋଈ ମାନେ ରାସ କ୍ରୀଡ଼ାରେ ଗୋପୀନାଥଙ୍କ ସାନ୍ନିଧ୍ୟ ଲାଭକଲେ l ତ୍ରେତାର ଆଶା ତାଙ୍କର ଦ୍ୱାପରରେ ପୂରଣ ହେଲା l
ମାଆ ଆଦିଶକ୍ତି କାତ୍ୟାୟନଋଷିଙ୍କ କଠିନ ତପରେ ପ୍ରସନ୍ନହୋଇ ତାଙ୍କ ଘରେ କନ୍ୟାଭାବେ ଜନ୍ମ ନେଇ କାତ୍ୟାୟନୀ ନାମରେ ପରିଚିତହୋଇଥିଲେ l ତାଙ୍କ ଚାରି ଭୂଜରେ ପଦ୍ମ, ଖଣ୍ଡା, ସ୍ବସ୍ତିକ ଓ ଆଶୀର୍ବାଦର ମୁଦ୍ରା l ସେ ସିଂହବାହିନୀ, ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ l ଦ୍ୱାପର ଯୁଗରେ ଗୋପୀ ମାନଂକ ଅଭୀଷ୍ଠ ସିଦ୍ଧକାରିଣୀ ସେହି ମାଆ ଏବେ ମଧ୍ୟ ବୃନ୍ଦାବନରେ ପୁଜାପାଉଛନ୍ତି l ବିଶ୍ୱାସ ରହିଛି ମାଆଙ୍କ ପୂଜନରେ ଅବିବାହିତା କନ୍ୟା ମାନଙ୍କୁ ମନୋବାଞ୍ଛିତ ଉପଯୁକ୍ତ ବରପ୍ରାପ୍ତି ହୋଇଥାଏ l ଏଣୁ ବୃନ୍ଦାବନରେ ମାଆଙ୍କ ପୂଜନ ପାଇଁ ସାରାବର୍ଷ ଗହଳି ଲାଗି ରହିଥାଏ l
ସେହି ଭାଗବତ ମହାପୁରାଣର ଆଖ୍ୟାନ ଅନୁଯାୟୀ ଏକଦା ବିଦର୍ଭ ରାଜକୁମାରୀ ରୁକ୍ମିଣୀ ମାଆଙ୍କୁ ପୂଜା କରି ଭଗବାନ ଶ୍ରୀକୃଷ୍ଣଙ୍କୁ ପତିରୂପେ ପାଇଥିଲେ ଓ ଶିଶୁପାଳ ଅପମାନ ପାଇ ବିବାହ ବେଦୀରୁ ବାହୁଡ଼ି ଯାଇଥିଲା l ରାମାୟଣରେ ବିଦେହ ରାଜ ନନ୍ଦିନୀଙ୍କ ଗୌରୀ ପୂଜନ କଥା ସର୍ଵଜନ ବିଦିତ l ମାଆ ସୀତା ଦେବୀଙ୍କ ପୁଜା କରି, ଶ୍ରୀରାମଙ୍କୁ ସ୍ବାମୀରୂପେ ଲାଭ କରିଥିଲେ l ଗୋସ୍ୱାମୀ ତୁଳସୀଦାସ ଶ୍ରୀରାମଚରିତ ମାନସରେ ଲେଖିଲେ :-
ମଜ୍ଜନୁ କରି ସର ସଖିହ୍ନ୍ନ ସମେତା l
ଗଇ ମୁଦିତମନ ଗୌରୀ ନିକେତା ll
ପୂଜା କୀହ୍ନି ଅଧିକ ଅନୁରାଗା l
ନିଜ ଅନୁରୂପା ଶୁଭଗ ବରୁ ମାଗା ll
ଜୟ ମାଆ କାତ୍ୟାୟନୀ l ଯୁଗେ ଯୁଗେ ମାଆ ତୁ ବର ପ୍ରଦାୟିନୀ, ଅଭୀଷ୍ଠ ସିଦ୍ଧି କାରିଣୀ l
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.