ଲଜ୍ଜିତ ହେଲେ ଦେବର୍ଷି
==============
ଦିନେ ବୈକୁଣ୍ଠରେ ଭଗବାନ ବିଷ୍ଣୁ, ମାଆ ଲକ୍ଷ୍ମୀଙ୍କ ସହିତ ବସିଥାନ୍ତି l ଏହି ସମୟରେ ହରିଧ୍ୱନୀ କରି ଦେବର୍ଷି ନାରଦ ଆସି ପହଞ୍ଚି ଗଲେ l ଖୁବ୍ ପ୍ରସନ୍ନ ଦେଖା ଯାଉଥିବା ନାରଦଙ୍କୁ ଦେଖି ଭଗବାନ ବିଷ୍ଣୁ ପଚାରିଲେ, ହେ ଦେବର୍ଷି ! ଏ ଅସମୟରେ ତୁମର ବୈକୁଣ୍ଠ ଆସିବାହେଲା କିପରି? କଥା କ’ଣ ତୁମେ ଖୁବ୍ ପ୍ରସନ୍ନ ଦେଖା ଯାଉଛ ଯେ !
ନାରଦ କହିଲେ, ମୁଁ ଏବେ ବହୁ ତୀର୍ଥ ଭ୍ରମଣ କରି ଆସିଲି l ଆପଣଙ୍କର ବହୁ ଭକ୍ତଙ୍କୁ ଦେଖି ଆସିଲି l କିନ୍ତୁ କେଉଁଠିହେଲେ ଆପଣଙ୍କର ମୋ ପରି ଜଣେ ଭକ୍ତକୁ ଦେଖିଲି ନାହିଁ l ମୁଁ ଆପଣଙ୍କର ଶ୍ରେଷ୍ଠ ଭକ୍ତ ଏକଥା ଆପଣ ନିଶ୍ଚୟ ସ୍ବୀକାରକରିବେ l ଭଗଵାନ ବିଷ୍ଣୁ ଦେଖିଲେ ଦେବର୍ଷିଙ୍କର ଟିକିଏ ଅହଙ୍କାର ବଢ଼ି ଯାଇଛି l ଏହାକୁ ଖର୍ବ କରିବାକୁ ହେବ l ହସି ହସି ଭଗଵାନ କହିଲେ, ଦେବର୍ଷି ! ତୁମେ ମୋର ଜଣେ ବଡ଼ଭକ୍ତ ନିଶ୍ଚୟ, ଏହା ମୁଁ ସ୍ଵୀକାର କରୁଛି l ତୁମେ ଆଉ ଥରେ ଯାଇ ମର୍ତ୍ତ୍ୟରେ ବୁଲି ଦେଖି ଆସ ଆଉ କିଏ ତୁମ ପରି ଭକ୍ତ ଅଛନ୍ତି କି ନାହିଁ l ନାରାୟଣ ! ନାରାୟଣ କହି ନାରଦ ଚାଲିଲେ ମର୍ତ୍ତ୍ୟକୁ l
ମର୍ତ୍ତ୍ୟରେ ଦେବର୍ଷି ନାରଦ ବୁଲୁ ବୁଲୁ ଗୋଟିଏ ବଟ ବୃକ୍ଷ ଛାୟାରେ ଜଟାକୃଟ ଧାରୀ ଜଣେ ସନ୍ନ୍ୟାସୀଙ୍କୁ ନାରାୟଣ ନାରାୟଣ ଜପ କରୁଥିବାର ଦେଖିଲେ l କିନ୍ତୁ ସନ୍ନ୍ୟାସୀ ହାତରେ ଧରିଥାନ୍ତି, ଗୋଟିଏ ଖଣ୍ଡା l ତପସ୍ୱୀଙ୍କ ହାତରେ ଖଣ୍ଡା ! ଏହା ଦେଖି ଦେବର୍ଷିଙ୍କ ବିସ୍ମୟର ସୀମା ରହିଲାନାହିଁ l ସେ ଭାବିଲେ, ଇଏ କେଉଁ ଭଳି ସନ୍ନ୍ୟାସୀ l
ନାରଦ ମନରେ ସାହସ ବାନ୍ଧି ତାଙ୍କ ନିକଟକୁ ଯାଇ ପଚାରିଲେ, ହେ ମହାତ୍ମା ! ଆପଣ କିଏ? ଏଠାରେ କାହିଁକି ବସିଛନ୍ତି l ସାଧୁ କହିଲେ, ମୁଁ ଏଠି ତପସ୍ୟା କରୁଛି l ନାରାୟଣଙ୍କ ଦର୍ଶନପାଇଁ ତାଙ୍କ ନାମ ଜପ କରୁଛି l ନାରଦ କହିଲେ, ଆପଣ ପ୍ରଭୁଙ୍କର ନିଶ୍ଚୟ ଜଣେ ବଡ଼ଭକ୍ତ l ଆପଣ ପରମେଶ୍ବରଙ୍କ ନାମ ଜପ କରୁଛନ୍ତି ଅଥଚ ହାତରେ ଖଣ୍ଡାଟିଏ ଧରିଛନ୍ତି l ଏହା ଆପଣଙ୍କୁ ଶୋଭା ପାଉନାହିଁ l ଆପଣ କାହିଁକି ଏହି ଖଡ୍ଗ ଧାରଣ କରିଛନ୍ତି l ସାଧୁ କହିଲେ, ଚାରିଜଣଙ୍କୁ ମାରିବାପାଇଁ ମୁଁ ଏହି ଖଡ୍ଗ ଧରିଛି l ଚମକି ପଡ଼ିଲେ ଦେବର୍ଷି l ଆଶ୍ଚର୍ଯ୍ୟହୋଇ ସେ ପଚାରିଲେ, ତେବେ ସେ ଚାରିଜଣ କିଏ ମୋତେ ଦୟାକରି କୁହନ୍ତୁ l
ସାଧୁ କହିଲେ,ମୋର ପ୍ରଥମ ଶତ୍ରୁ ଦ୍ରୌପଦୀ l ସିଏ ପ୍ରଭୁଙ୍କୁ ମୋର ବସାଇ ଉଠାଇ ଦେଉ ନାହିଁ l ତାଙ୍କୁ ସେ ଏପରି ବାନ୍ଧି ରଖିଛି ଯେ ପ୍ରଭୁ ଭୋଜନରୁ ଉଠି ଆସି ତାକୁ କୋଟିଏ ବସ୍ତ୍ର ବଢ଼ାଇଦେଲେ l ଦ୍ୱିତୀୟ ଶତ୍ରୁ ମୋର ପ୍ରଲ୍ଲାଦ l ସେ ମୋ ପ୍ରଭୁଙ୍କୁ ସବୁବେଳେ ହଇରାଣକଲା l ବାପ ହିରଣ୍ୟକଶିପୁ ତାକୁ କେତେ କେତେ କଷ୍ଟ ଦେଲା l ହେଲେ ମୋ ପ୍ରଭୁ ସବୁ କଷ୍ଟ ସହି ତାକୁ ରକ୍ଷାକଲେ l ଶେଷକୁ ମୋ ପ୍ରଭୁଙ୍କୁ ଖମ୍ବ ଭିତରୁ ବାହାରିବାକୁ ପଡ଼ିଲା l ମୋର ତୃତୀୟ ଶତ୍ରୁ ହେଉଛି ମୀରା l “ମେରେ ତୋ ଗିରିଧର ନାଗର ” ଗାଇଗାଇ ସିଏ ତ ମୋ ପ୍ରଭୁଙ୍କୁ ଗୋଟାପଣେ ବାନ୍ଧି ରଖିଛି l ପ୍ରଭୁ ମୋ ପାଖକୁ ଆସିବେ ତାଠାରୁ ଛାଡ଼ ପାଇଲେ ତ? ଲୋକ କହୁଛନ୍ତି ସିଏ କାଳେ ରାଧା l ତା ସହିତ କେଳି କରୁଥିବା ଦେଖି ଲୋକେ ପ୍ରଭୁଙ୍କ ନିଆଁରେ କେତେ ଅପବାଦ ଦେଲେ l ମୋର ଚତୁର୍ଥ ଶତ୍ରୁ ହେଇଛି ନାରଦ l ସିଏ ବୀଣା ଖଣ୍ଡିଏ ବଜାଇ ଚୋଉଦ ବ୍ରହ୍ମାଣ୍ଡ ବୁଲୁଛି l ଦୁନିଆଁ ଯାକର ସମସ୍ୟା କଳି ଆଣି ପ୍ରଭୁଙ୍କ ମଥାରେ ମଥେଇ ଦଉଛି l ତାରି କଥାରେ ପ୍ରଭୁତ ଥେଇଥେଇ ନାଚୁଛନ୍ତି l ଆଉ ମୋ ପାଖକୁ ଆସିବା ପାଇଁ ବେଳ କାହିଁ l ସିଏ ପୁରାପୁରି ପ୍ରଭୁଙ୍କ ମୁଣ୍ଡଟାକୁ ଖରାପ କରି ସାରିଲାଣି l
ତାଙ୍କ ନାଁ ଶୁଣି ” ଆରେ ବାପରେ” କହି ନାରଦ ଦି ପାଦ ପଛକୁ ଘୁଞ୍ଚିଗଲେ ଓ ମନେ ମନେ ଭାବିବାକୁ ଲାଗିଲେ, ଇଏ ଦିନ ରାତି ପ୍ରଭୁଙ୍କ ଚିନ୍ତନରେ ଅଛି l ପ୍ରଭୁଙ୍କୁ କେତେ ଭଲ ପାଉଛି l ଇଏ ନିଶ୍ଚୟ ପ୍ରଭୁଙ୍କ ଜଣେ ଶ୍ରେଷ୍ଠ ଭକ୍ତ l ଏହି ଶିକ୍ଷା ଦେବାପାଇଁ ବୋଧ ହୁଏ ପ୍ରଭୁ ମୋତେ ମର୍ତ୍ତ୍ୟକୁ ପଠାଇ ଥିଲେ l ଏତିକି ବେଳେ ସେଠାରେ ଆବିର୍ଭୁତ ହେଲେ ପ୍ରଭୁ ବୈକୁଣ୍ଠ ବିହାରୀ l ନାରଦ ଭକ୍ତି ଭରେ ପ୍ରଭୁଙ୍କୁ ପ୍ରଣାମ କରି କହିଲେ,ହେ ପ୍ରଭୋ ! ଆଉ ମୋତେ ଲଜ୍ଜିତ କରନ୍ତୁ ନାହିଁ ! ଆଉ ମୋତେ ଲଜ୍ଜିତ କରନ୍ତୁ ନାହିଁ l
!!! ଓଁ ନମଃ ନାରାୟଣାୟଃ !!!
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971
Comments are closed.