ହର ପାର୍ବତୀଙ୍କ ଵିଵାହ

ଅର୍ଜୁନୀ ଚରଣ ବେହେରା

ହର ପାର୍ବତୀଙ୍କ ଵିଵାହ
=============
ଦକ୍ଷଯଜ୍ଞରେ ସତୀଙ୍କ ଆତ୍ମାହୁତି ପରେ ମହାଦେବ କୁଆଡ଼େ ଗଲେ ତାଙ୍କର ଆଉ ପତ୍ତା ମିଳିଲା ନାହିଁ l ସ୍ବର୍ଗ ଓ ମର୍ତ୍ତ୍ୟରେ ତାଙ୍କୁ ଖୋଜା ହେଲା କିନ୍ତୁ କେହି କେଉଁଠି ମଧ୍ୟ ତାଙ୍କ ସନ୍ଧାନପାଇଲେନାହିଁ l ସେତେ ବେଳେ ଶିବ ଯାଇ ପାତାଳରେ ଶ୍ରୀ ହଟକେଶ୍ୱରଙ୍କୁ ତପସ୍ୟା କରୁଥଲେ l
ମେରୁ ପର୍ବତଙ୍କ କନ୍ୟା ଥିଲେ ମେନା l ମେରୁକନ୍ୟା ମେନାଙ୍କ ଯଥାକାଳେ ପର୍ବତରାଜ ହିମାଳୟଙ୍କ ସହ ବିବାହ ହେଲା l ତାଙ୍କର ପ୍ରଥମ ସନ୍ତାନଭାବେ ଜନ୍ମ ହେଲେ ମୈନାକ ପର୍ବତ l ଦ୍ୱିତୀୟଗର୍ଭରେ ତାଙ୍କର କନ୍ୟା ଗୋଟିଏ ଜନ୍ମହେଲା l ପର୍ବତରାଜଙ୍କ କନ୍ୟା ହୋଇଥିବା ହେତୁ, ହିମାଳୟ କନ୍ୟା ନାମ ରଖିଲେ ପାର୍ବତୀ l ଦକ୍ଷଯଜ୍ଞରେ ଆତ୍ମାହୁତି ଦେଇଥିବା ସତୀ ହିଁ ହିମାଳୟଙ୍କ ପୁତ୍ରୀ ପାର୍ବତୀ ଥିଲେ l
ପାର୍ବତୀ କ୍ରମେ ବଡ଼ ହୋଇ ଯୌବନରେ ଉପନୀତ ହେଲେ l ପିତା ମାତାଙ୍କର ଚିନ୍ତା ବଢ଼ିଲା ଝିଅ ପାଇଁ ଉପଯୁକ୍ତ ବର ପାତ୍ରଟିଏ ଖୋଜି ବିବାହ କରିଦେବା ପାଇଁ l ସେମାନେ ଚାହୁଁଥିଲେ ଝିଅ ନିଜ ମନୋମତ ବର ନିଜେ ବାଛୁ l ବହୁକାଳ ବିତିଗଲା ପାର୍ବତୀଙ୍କୁ ଆଉ କୌଣସି ବର ମିଳିଲା ନାହିଁ l ବଢ଼ିଲା ଝିଅକୁ କୋଉ ପିତା ମାତା ଘରେ ରଖି ପାପଭାଗୀ ହେବ l ଝିଅ ବିଭାକୁ ନେଇ ହିମାଳୟ ଓ ମାତା ମେନା ଖୁବ୍ ଚିନ୍ତିତ ଥାନ୍ତି ଏହିସମୟରେ ଦିନେ ଦେବର୍ଷି ନାରଦ ଆସି ହିମାଳୟଙ୍କ ଘରେ ପହଞ୍ଚିଲେ l ଦେବର୍ଷି ଝିଅ ପାର୍ବତୀଙ୍କୁ ଦେଖି ହିମାଳୟଙ୍କୁ କହିଲେ, ତୁମ ଝିଅ ପାଇଁ ଉପଯୁକ୍ତ ବର ହେଉଛନ୍ତି, ଶିବ l ପାତାଳରେ ସେ ଏବେ ତପସ୍ୟାରତ l ପାର୍ବତୀ ପାତାଳକୁ ଯାଇ ଶିବଙ୍କ ସେବା କରୁ l
ଏଣେ ଧ୍ୟାନବଳରେ ଶିବ ଜାଣି ପାରିଲେ ଯେ ସତୀ ଯାଇ ପାର୍ବତୀରୂପେ ହିମାଳୟଙ୍କ ଘରେ ଜନ୍ମହୋଇ ସାରିଛନ୍ତି l ହିମାଳୟ ଭାବିଲେ, ମୁଁ ଯାଉଛି ଟିକିଏ ଜ୍ବାଇଁଙ୍କୁ ଦେଖି ଆସେ l ସେ ଯାଇ ଶିବଙ୍କ ପାଖରେ ପହଞ୍ଚିଲେ l ତାଙ୍କ ଜଟାଜୄଟ ବିଭୂତି ଭୂଷିତ କନ୍ଦର୍ପ ପରି ସୁନ୍ଦରଚେହେରା ଦେଖି ହିମାଳୟ ତାଙ୍କୁ ଜ୍ବାଇଁ କରିବେ ବୋଲି ମନସ୍ଥ କଲେ ଓ ଶିବଙ୍କୁ ହିମାଳୟ ଆସିବା ପାଇଁ ନିମନ୍ତ୍ରଣ କଲେ l ନିମନ୍ତ୍ରଣ ରକ୍ଷାକରି ଶିବ ଦିନେ ତାଙ୍କ ଗଣ ମାନଙ୍କ ସହ ଯାଇ ହିମବନ୍ତ ପୂରରେ ପହଁଚିଲେ l ହିମାଳୟ ତାଙ୍କ ସତ୍କାର କରି ପାର୍ବତୀଙ୍କୁ ତାଙ୍କ ସେବାରେ ଲଗାଇ ଦେଲେ l
ଉପଯୁକ୍ତ ସତ୍କାରରେ ଶିବ ତୃପ୍ତହୋଇ ହିମାଳୟଙ୍କୁ କହିଲେ,ତୁମର ପ୍ରାର୍ଥନା କ’ଣ l ହିମବନ୍ତ କହିଲେ, ମୋ ଝିଅ ପାର୍ବତୀ ତୁମକୁ ପତିରୂପେ ପାଇବାପାଇଁ ଅପେକ୍ଷା କରି ରହିଛି l ପ୍ରସ୍ତାବରେ ସମ୍ମତ ହେଲେ ଶିବ l କିନ୍ତୁ ସତୀ ପୂର୍ବେ ଅମାନିଆଁ ହୋଇ ଯଜ୍ଞରେ ଆତ୍ମାହୁତି ଦେଇ ଥିବାରୁ, ସେ ହିମବନ୍ତଙ୍କୁ କହିଲେ, ତୁମେ ପାର୍ବତୀକୁ କୁହ, ସେ ମୋତେ ପାଇବା ପାଇଁ ତପସ୍ୟାକରୁ l ଏହାକହି ଶିବ ଚାଲିଗଲେ ତପସ୍ୟା କରିବାକୁ l ଇଆଡ଼େ ହିମବନ୍ତ ଜେମା ପାର୍ବତୀ ମଧ୍ୟ ଘୋର ତପସ୍ୟାରେ ନିମଗ୍ନ ହେଲେ l
ଏହି ସମୟରେ ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ତାରକାସୁର ନାମରେ ଜଣେ ଦୈତ୍ୟ ସ୍ବର୍ଗ ଆକ୍ରମଣ କରି ଦେବତାମାନଙ୍କୁ ପୀଡ଼ିତ କଲା l ତା’ ଭୟରେ ଦେବଗଣ ଯାଇ ଭଗବାନ୍ ବିଷ୍ଣୁଙ୍କ ଶରଣ ପଶିଲେ l ବିଷ୍ଣୁ କହିଲେ,ତାରକ ବରପାଇଛି ଜଣେ ବ୍ରହ୍ମଚାରୀ ପୁତ୍ର ହିଁ ତାକୁ ନିଧନ କରିପାରିବ l ସେହି ବ୍ରହ୍ମଚାରୀ ହେଉଛନ୍ତି, ଶିବ l ବର୍ତ୍ତମାନ କଠୋର ତପସ୍ୟାରେ ସେ ବସିଛନ୍ତି l ତୁମେମାନେ ତାଙ୍କର ତପସ୍ୟା ଭଙ୍ଗ କର l ସେ ପାର୍ବତୀଙ୍କୁ ବିବାହକରିବେ l ସେମାନଙ୍କ ଔରସରୁ ଯେଉଁ ପୁତ୍ର ଜନ୍ମ ହେବ, ସେହି ତାରକର ନିଧନକାରୀ ହେବ l ବୈକୁଣ୍ଠବିହାରୀଙ୍କ କଥା ଶୁଣି ଦେବତା ମାନେ କାମ ଦେବଙ୍କୁ ପଠାଇଲେ ଶିବଙ୍କ ତପସ୍ୟା ଭଙ୍ଗପାଇଁ l ସେ ଯାଇ ଶିବଙ୍କ ତପସ୍ୟା ତ ଭଙ୍ଗ କଲେ, ମାତ୍ର ତାଙ୍କ ତୃତୀୟ ନୟନ ଜ୍ଵାଳାରେ ଜଳି ଭସ୍ମ ହୋଇଗଲେ l
ଶିବ ଯାଇ ସ୍ବର୍ଗରେ ପହଞ୍ଚି, ପାର୍ବତୀ ତାଙ୍କୁ ପାଇବା ପାଇଁ ତପସ୍ୟା କରୁଛନ୍ତି ବୋଲି କହିଲେ l ଦେବତା ମାନେ ଖୁସି ହୋଇ ତାଙ୍କ ମିଳନ ପାଇଁ ହିମବନ୍ତଙ୍କ ପୁରକୁ ଶିବଙ୍କ ତରଫରୁ ଦେଖା ଭାର ପଠାଇଲେ l ଏତେ ସବୁ କଥା ହୋଇ ଗଲା, ଏଥିରେ ନାରଦଙ୍କୁ କେହି ପଚାରିଲେ ନାହିଁ l ନାରଦ ଭାବିଲେ, ଦେଖ ଶିବ ପାର୍ବତୀଙ୍କ ଘଟସୂତ୍ର ମୁଁ ସ୍ଥାପନ କଲି l ଅଥଚ ଦେବତା ମାନେ ମୋତେ ପଚାରୁ ନାହାଁନ୍ତି l ଏପରି ଭାବି, ସେ ଭାର ନେଉଥିବା, ଭାରୁଆ ମାନଙ୍କୁ ହାତ କରି ଭାର ସାମଗ୍ରୀ ସବୁ ବଦଳାଇ ଦେଲେ l ମିଠା ଖିରି ପୁରି ବଦଳରେ ଭାରରେ ରହିଲା ଘଷି, ବାଲି ପଥର l ଭାର ହିମାଳୟଙ୍କ ପୁରରେ ପହଞ୍ଚି ଗଲା l ଭାରସାମଗ୍ରୀକୁ ଦେଖି ହିମାଳୟ ଚମକି ଉଠିଲେ l ସେ ବ୍ରହ୍ମାଙ୍କୁ ସ୍ମରଣ କରିବାରୁ ବ୍ରହ୍ମା ଧ୍ୟାନ ବଳରେ ଜାଣି ପାରିଲେ ଏହା ସବୁ ନାରଦଙ୍କ କାଣ୍ଡ ବୋଲି l ହିମାଳୟଙ୍କୁ ସେ କହିଲେ, ତୁମେ ବ୍ୟସ୍ତ ହୁଅନାହିଁ l ଶିବ, ତୁମର ଉପଯୁକ୍ତ ଜାମାତା l ପାର୍ବତୀ ନିଶ୍ଚୟ ତାଙ୍କୁ ଲାଭ କରିବେ l ତୁମେ ଧୈର୍ଯ୍ୟ ଧର l
ଏହା ପରେ ଦିନେ ଦେବତା ମାନେ ଯାଇ ହିମବନ୍ତ ପୁରୀରେ ପହଞ୍ଚିଲେ l ସମସ୍ତେ କୁମ୍ଭ ଚବିଶ ଦିନକୁ ହର ପାର୍ବତୀଙ୍କ ଵିଵାହ ହେବ ବୋଲି ସ୍ଥିର କଲେ l ସବୁ ଦେବତାମାନଙ୍କୁ ନିମନ୍ତ୍ରଣ କରାଗଲା l ନାରଦ ତ ରାଗିକି ଥିଲେ l ସେ ଚାହିଁଲେ ୟା ଭିତରେ ଏକ ଗଣ୍ଡଗୋଳ ପୂରେଇ ଦେବି l ମେନା ଦେବୀଙ୍କୁ ଯାଇ ସେ କହିଲେ, ସେ ଅପତ ମଙ୍ଗୁଳିଆ ଶିବଟା ତୁମର କି ଜ୍ବାଇଁ ହେବ l ଘର ତାର ଶ୍ମଶାନ l ପାଉଁଶ ଗୁଡ଼ା ଦେହରେ ବୋଳି ହୋଇ ବୁଲୁଛି l ମାଳ ମାଳ ସାପ ସବୁ ଦେହରେ ଗୁଡେ଼ଇହୋଇଛି l ସର୍ପ ଦଂଶନରେ ଯଦି କନ୍ୟାର ଅକାଳ ମୃତ୍ୟୁ ହେଲା, କିଏ ସେକଥା ବୁଝିବ l ହିମାଳୟ କହିଲେ,ହେ ମୁନିବର ! ଵିଵାହ ତିଥି ତ ଠିକ୍ ହୋଇ ସାରିଛି l କୁହନ୍ତୁ ଏବେ କଅଣ କରିବି ମୁଁ l ଦେବର୍ଷି କହିଲେ, ହଉ ! ଅତି କମରେ କନ୍ୟାକୁ ତ ବଞ୍ଚାଇବାକୁ ହେବ l ମୁଁ ଗୋଟିଏ ଗଦ ଦେଉଛି, ତାକୁ କନ୍ୟା ଧରି ବେଦୀକୁ ଯିବ l
ବିବାହ ଦିନ ଆସିଗଲା l ଆମନ୍ତ୍ରିତ ସମସ୍ତ ଦେବତା ମାନେ ଆସି ପହଞ୍ଚିଗଲେ l ହିମାଳୟପୁର ପ୍ରକମ୍ପିତ ହୋଇଉଠିଲା ବିବିଧ ବାଜଣାରେ l ଶିବ ଆସି ବର ବେଶରେ ପହଞ୍ଚି ଗଲେ l ବିବାହ ବେଦୀରେ କନ୍ୟା ବର ବସିଲେ l ପୁରୋହିତମାନେ ମନ୍ତ୍ର ପାଠ କଲେ ‘ମଙ୍ଗଳମ୍ ଭାଗବାନ ବିଷ୍ଣୁ ! ମଙ୍ଗଳମ୍ ମଧୁସୂଦନ’ l ପାର୍ବତୀ ବାମ ହାତରେ ନାରଦ ଦେଇ ଥିବା ଗଦକୁ ମୁଠେଇ ଧରିଥାନ୍ତି l ଏହି ସମୟରେ ମଳୟ ପବନ ବହିବାକୁ ଲାଗିଲା ଓ ଘଟିଲା ଏକ ବିଚିତ୍ର ଘଟଣା l ଗଦର ଗନ୍ଧ ପାଇ ଶିବଙ୍କ ଦେହରୁ ସାପମାନେ ସବୁ ଖୋଲି ପଳାଇ ଗଲେ l ସାପରେ ବନ୍ଧା ହୋଇଥିବା ଶିବଙ୍କ ବସନ ସବୁ ଖୋଲିଗଲା l ଶିବ ବେଦୀରେ ବସି ଥାନ୍ତି ସମ୍ପୂର୍ଣ୍ଣ ବିବସ୍ତ୍ର ହୋଇ l ଏହି ସମୟରେ ଶାଶୁ ମେନା ସଖୀମାନଙ୍କ ସହ ହସ୍ତରେ ଅର୍ଘ୍ୟଥାଳି ଧରି, ବନ୍ଦାପନା ପାଇଁ ଆସିଲେ l ସେ ଆଉ ବନ୍ଦାଣ କରିବେ କ’ଣ, ଲଜ୍ଜାରେ ମୁହଁ ପୋତି ଦେଲେ l
ଦେବର୍ଷି ପାଖରେ ଠିଆ ହୋଇ, ମୁରୁକି ମୁରୁକି ହସୁ ଥାନ୍ତି l ଲଜ୍ଜିତାଶାଶୁ ମେନା ମହଦେବଙ୍କୁ ଅଭିଶାପ ଦେଲେ, ଆଜିଠାରୁ ସମସ୍ତ ସଂସାର ତୋର ଲିଙ୍ଗକୁ ପୂଜା କରିବ l ମଙ୍ଗୁଳା ଝିଅ କଅଣ ଆଉ ବେଦୀରୁ ଫେରିଯିବ l ହିମାଳୟଙ୍କ ଘରୁ ବସନ ଭୂଷଣ ଆଣି ଶିବଙ୍କୁ ଭୂଷିତ କରା ଯାଇ, କୌଣସି ମତେ ବିବାହ କାର୍ଯ୍ଯ ସମ୍ପୂର୍ଣ୍ଣ ହେଲା l ହିମାଳୟପୁର କମ୍ପି ଉଠିଲା “ହର ପାର୍ବତୀଙ୍କ ଜୟ” ଧ୍ଵନୀରେ l ଦେବତାମାନେ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରି ସ୍ୱ ସ୍ୱ ପୁରକୁ ଗମନ ଗଲେ l ନାରଦ ଉଚ୍ଚସ୍ଵରରେ ବୀଣା ବାଦନ ପୂର୍ବକ ହରିଧ୍ୱନୀ କରି ବ୍ରହ୍ମ ଲୋକ ପ୍ରସ୍ଥାନ କଲେ l
ମହାଦେବ ଉମାଙ୍କୁ ଘେନି କୈଳାସ ପ୍ରସ୍ଥାନ କଲେ l ଦେବକାର୍ଯ୍ୟ ସିଦ୍ଧ ହୋଇଛି ଏଣୁ ସ୍ବର୍ଗ ଦୁନ୍ଦୁଭି ବାଜି ଉଠିଲା ଓ ସ୍ଵର୍ଗରୁ ସୁମନ ବୃଷ୍ଟି ହେବାକୁ ଲାଗିଲା l କିଛିଦିନ ପରେ, ଉମା ଉମାପତିଙ୍କ ଔରସରୁ ଜାତ ହେଲେ ତାରକ ନିଧନକାରୀ କାର୍ତ୍ତିକେୟ l
! ଓଁ ଗୌରୀ ଗୌରୀକାନ୍ତାୟେ ନମଃ !
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.