କୋଶଳ କୁମାରୀ କୌଶଲ୍ୟା

ଅର୍ଜୁନୀ ଚରଣ ବେହେରା

କୋଶଳ କୁମାରୀ କୌଶଲ୍ୟା
=================
ଅଯୋଧ୍ୟାପତି ମହାରାଜ ଦଶରଥଙ୍କର ଥିଲେ ସାତ ଶହ ପଚାଶ ରାଣୀ l ସେମାନଙ୍କ ଭିତରେ ତିନିଜଣ ପାଟରାଣୀ ଥିଲେ କୌଶଲ୍ୟା କୈକେଈ ଓ ସୁମିତ୍ରା l ବହୁଦିନଧରି ଦଶରଥଙ୍କର କୌଣସି ସନ୍ତାନ ସନ୍ତତି ହେଉ ନଥିଲେ l ଶେଷରେ ରୁଷ୍ୟଶୃଙ୍ଗ ମୁନିଙ୍କ ଯଜ୍ଞ ଚରୁ ଭକ୍ଷଣ କରି, ତିନି ପାଟ ମହିଷିଙ୍କ ଗର୍ଭରୁ ବିଷ୍ଣୁ କଳାଧରି ଜନ୍ମହେଲେ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ଭରତ ଓ ଶତୃଘ୍ନ l କୌଶଲ୍ୟା ହେଲେ, ଶ୍ରୀରାମ ଜନନୀ l ଶ୍ରୀ ରାମଚରିତ ମାନସ ଅନୁସାରେ ପୂର୍ବେ ଦଶରଥ ଓ କୌଶଲ୍ୟା, ମନୁ ଶତରୁପା ରୂପେ ତପସ୍ୟା କରି ବିଷ୍ଣୁଙ୍କୁ ପୁତ୍ର ରୂପେ ପାଇବା ପାଇଁ ଭଗବାନଙ୍କ ବର ପ୍ରାପ୍ତ ହୋଇ ଥିଲେ l
ରାମାୟଣ ବର୍ଣ୍ଣନା ଅନୁସାରେ ଇନ୍ଦ୍ରଙ୍କ ପରି ପ୍ରତାପୀ ରାଜା ଦଶରଥ ପୁତ୍ର ପ୍ରାୟ ପ୍ରଜା ପାଳୁଥିଲେ l ଏହି କାର୍ଯ୍ୟରେ ତାଙ୍କର ମୁଖ୍ୟସହାୟିକା ଥିଲେ ବୁଦ୍ଧିମତି ପତିପ୍ରାଣା, ରାଣୀ କୌଶଲ୍ୟା l ମନ ପ୍ରାଣରେ ରାଜା ଦଶରଥଙ୍କ ପ୍ରତି ସେ ଥିଲେ, ପୂର୍ଣ୍ଣ ସମର୍ପିତା l ଅନ୍ୟ ରାଣୀମାନଙ୍କୁ ସେ ନିଜ ଭଗ୍ନୀବତ ଦେଖୁଥିଲେ l
ଜନନୀ ଭାବେ, ସେ ପୁତ୍ର ସ୍ନେହରେ ହିଁ ବଞ୍ଚିଥିଲେ l
ନିଜ ପୁତ୍ରପ୍ରାୟ ସେ ସମସ୍ତ ପୁତ୍ରଙ୍କୁ ଅତିଶୟ ସ୍ନେହ କରୁଥଲେ l ଅତିସରଳ କୌଶଲ୍ୟାଙ୍କ ମନକୁ ଯାହା ଆସୁଥିଲା ତାହା ସେ ସ୍ପଷ୍ଟଭାବେ ବ୍ୟକ୍ତ କରୁଥିଲେ l ତାଙ୍କ ଜୀବନରେ ଦୁଃଖ ଆସିଗଲା ଯେତେବେଳେ ସେ ଜାଣିଲେ, ରାମ ବନକୁ ଯିବେ l ଦୁଃଖରେ ସେ ଭାଙ୍ଗିପଡ଼ିଲେ l ସପତ୍ନୀର ଚକ୍ରାନ୍ତ ସଫଳ ହୋଇଛି ମନେ କରି, ସେ ଉଭୟ କୈକେୟୀ ଓ ଦଶରଥଙ୍କ ଉପରେ କ୍ରୁଦ୍ଧ ହେଲେ l ରାମଙ୍କ ବନକୁ ଯିବାପରେ ମହାରାଜ ଦଶରଥ ଆସିଲେ, ରାଣୀ କୌଶଲ୍ୟାଙ୍କ ପାଖକୁ ସାନ୍ତ୍ଵନାପାଇବା ଆଶାରେ l କିନ୍ତୁ ସେ ତାଙ୍କ ତୀବ୍ର ବାକ୍ୟ ବାଣରେ ବିଦ୍ଧ ହେଲେ l
ଭରତ ମାମୁଁ ଘରୁ ଫେରିଆସି ମାଆ କୌଶଲ୍ୟାଙ୍କୁ ଭେଟିବାକୁ ଗଲେ l ତାଙ୍କୁ ଦେଖି ସେ କହିଲେ, ତୁ ଯାହା ଚାହୁଁଥିଲୁ ତାହା ହିଁ ହେଲା l ଏବେ ନିଷ୍କଣ୍ଟକ ରାଜ୍ୟ ତୁ ଭୋଗ କର l କିନ୍ତୁ ଶେଷରେ, ଭରତଙ୍କ ହୃଦୟର ଦୁଃଖ ଏବଂ ବେଦନା ଅନୁଭବ କରିପାରି ସେ ତାଙ୍କୁ କୋଳାଗ୍ରତ କରି କହିଲେ, ରାଜା ଭାବେ ତୁ ଏବେ କର୍ତ୍ତବ୍ୟ ପାଳନ କର l
ରାମ ବନ ବାସକୁ ବାହାରିଲେ l ବ୍ୟଥିତ ପ୍ରାଣରେ ମାତା କୌଶଲ୍ୟା ତାଙ୍କୁ ଯେତେବେଳେ ଭେଟିଲେ ରାମ ତାଙ୍କ ପାଦଛୁଇଁ ପ୍ରଣାମ କରି କହିଲେ, ମାଆ ତୁମେ କାହିଁକି ବ୍ୟସ୍ତହେଉଛ, ମୋର ଏହାତ ପରମ ସୌଭାଗ୍ୟ l ମୁଁ ଜନକ ଜନନୀଙ୍କ ବାକ୍ୟ ପାଳିବାକୁ ଯାଉଛି l ହର୍ଷଚିତ୍ତରେ ମୋତେ ବିଦାୟଦିଅ ମାଆ l ଚଉଦ ବର୍ଷ କାଲିଭଳି କଟିଯିବ l ବର୍ତ୍ତମାନ ତୁମର ଦାୟିତ୍ୱ ବଢ଼ିଗଲା, ତୁମେ ପୂଜ୍ୟ ପିତାଙ୍କ ଯତ୍ନନିଅ l କୌଶଲ୍ୟା ରାମଙ୍କସହ ସୀତା ଓ ଲକ୍ଷ୍ମଣ ଯାଉଛନ୍ତି ଜାଣି ଶାନ୍ତ ହେଲେ l ସୀତାଙ୍କୁ ସେ ପତିଧର୍ମ ପାଳନ ଉପଦେଶ ପ୍ରଦାନ କରି ଶାନ୍ତ ହେଲେ l ମାତ୍ର ତାଙ୍କ ଦୁର୍ଭାଗ୍ୟକୁ ପୁତ୍ରର ବନଗମନପରେ ତାଙ୍କୁ ବୈଧବ୍ୟ ଭୋଗିବାକୁ ପଡ଼ିଲା l
କୌଶଲ୍ୟା କେବଳ ପୁତ୍ର ମାନଙ୍କ ପ୍ରତି ସ୍ନେହଶୀଳା ନଥିଲେ l ମହାରାଜ ଦଶରଥଙ୍କ ପାଟରାଣୀ ଭାବେ ସେ ଅଯୋଧ୍ୟାର ସମସ୍ତ ପ୍ରଜାମାନଙ୍କୁ ନିଜ ପୁତ୍ରବତ ଦେଖୁଥିଲେ l ଦୀର୍ଘ ଚୋଉଦବର୍ଷର ବନବାସ ସାରି ଶ୍ରୀରାମ ଯେତେବେଳେ ଅଯୋଧ୍ୟା ଫେରି ଆସିଲେ ମା’ କୌଶଲ୍ୟାଙ୍କ ସନ୍ତାପିତ ପ୍ରାଣ କୋହରେ ଫାଟି ପଡ଼ିଲା l ଶ୍ରୀରାମ ରାଜା ହେଲେ l ମାତାଙ୍କ ଆଶିଷ ଲାଭ କରି ସେ ସୁଖରେ ପ୍ରଜା ପାଳିଲେ l
କୌଶଲ୍ୟାଙ୍କ ପିତା ମାତା ଓ ପରିବାର ବିଷୟରେ ବାଲ୍ମୀକି ରାମାୟଣରେ ବିଶେଷ କିଛି ତଥ୍ୟ ନାହିଁ l କିନ୍ତୁ ଅନ୍ୟ କେତେକ ରାମାୟଣରୁ ଜଣାପଡ଼େ ସେ ଥିଲେ କୋଶକ ରାଜ କୁମାରୀ l ତାଙ୍କ ପିତା ଥିଲେ ଦକ୍ଷିଣକୋଶଳର ରାଜା,ସୁକୌଶଳ ଏବଂ ମାତାଙ୍କ ନାମ ଥିଲା ଅମ୍ରିତପ୍ରଭା l ଏକଥା ପ୍ରମାଣକରି ତାଙ୍କ ଜନ୍ମ ସ୍ଥାନରେ ଆଜି ବି ରହିଛି କୌଶଲ୍ୟା ମନ୍ଦିର l ରାଜ କୁମାରୀ କୌଶଲ୍ୟାଙ୍କୁ ଵିଵାହ ଦେଇ, ରାଜା ସୁକୌଶଳ, ଦକ୍ଷିଣ କୋଶଳକୁ ଯୌତୁକ ସୂତ୍ରରେ ଦଶରଥଙ୍କୁ ପ୍ରଦାନ କରିଥିଲେ l ଦଶରଥଙ୍କ ରାଜ୍ୟ ସହ ତାହା ସଂଯୁକ୍ତ ହୋଇ ବୃହତ୍ କୋଶଳ ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା l
ଆନନ୍ଦରାମାୟଣରେ କୌଶଲ୍ୟାଙ୍କ ବିଷୟରେ ଏକ ରୋଚକ ଉପାଖ୍ୟାନ ଦେଖାଯାଏ l ସେହି ଆଖ୍ୟାନ ଅନୁଯାୟୀ, ଯେତେ ବେଳେ ରାବଣ ଜାଣି ପାରିଲା, ଦଶରଥଙ୍କ ଔରସରୁ ଜନ୍ମିତ ସନ୍ତାନ ହାତରେ ତାର ମୃତ୍ୟୁ ହେବ, ସେ ବେଦପତି ବ୍ରହ୍ମାଙ୍କୁ ଉଗ୍ର ତପସ୍ୟା ଆରମ୍ଭ କରିଦେଲା l ତା’ ତପସ୍ୟାର ସନ୍ତୁଷ୍ଟ ହୋଇ ଦିନେ ବ୍ରହ୍ମା ଉପସ୍ଥିତ ହୋଇ, ତାକୁ ବର ଯାଚିଲେ l ରାବଣ ବ୍ରହ୍ମାଙ୍କୁ ଏକ ଅଦ୍ଭୁତ ବର ମାଗିଲା l ରାବଣ କହିଲା, ହେ ବ୍ରହ୍ମଦେବ ! ମୋତେ ଏହି ବର ଦିଅନ୍ତୁ ଯେ ଦଶରଥଙ୍କ ବୀର୍ଯ୍ୟରୁ ଯେପରି କୌଣସି ସନ୍ତାନ ସମ୍ଭବ ନହୁଅନ୍ତି l ବ୍ରହ୍ମା ତାକୁ “ତଥାସ୍ତୁ” କହି ଚାଲି ଗଲେ l ରାବଣର କିନ୍ତୁ ବିଶ୍ୱାସ ହେଲା ନାହିଁ l
ଇତ୍ୟବସରେ ରାବଣ ଶୁଣିବାକୁ ପାଇଲା ପାଞ୍ଚଦିନ ପରେ କୋଶଳ ରାଜକୁମାରୀ କୌଶଲ୍ୟାଙ୍କ ବିବାହ ଦଶରଥଙ୍କ ସହ ହେଉଛି, ସେ ଯାଇ କୌଶଲ୍ୟାଙ୍କୁ ହରଣ କରିଆଣିଲା ଓ ତାଙ୍କୁ ଏକ ମଞ୍ଜୁଷାରେ ରଖି ସମୁଦ୍ରକୁ ଫିଙ୍ଗିଦେଇ ଏକ ତିମି ମାଛକୁ ଜଗିରହିବା ପାଇଁ କହିଲା l ଏକଥା ବ୍ରହ୍ମା ଜାଣି ପାରିଲେ l ବ୍ରହ୍ମା ରାବଣର ରୂପକୁ ଧରି ଦିନେ ଯାଇ ତିମିକୁ କହିଲେ, ମୁଁ ଦେଇଥିବା ମଞ୍ଜୁଷାଟି ଫେରାଇଦେ l ତିମି ତାଙ୍କୁ ମଞ୍ଜୁଷାଟି ଫେରାଇଦେଲା l ଏହି ସମୟରେ ରାଜା ଦଶରଥ ମୃଗୟା କରୁଥାନ୍ତି l ସାଙ୍ଗରେ ଥିଲେ ମନ୍ତ୍ରୀ ସୁମନ୍ତ୍ର l ରାବଣ ବାଣ ମାରି ତାଙ୍କୁ ସଂଜ୍ଞାହୀନ କରି ନେଇ ଗୋଟିଏ ଅଜଣା ଦ୍ଵୀପରେ ଛାଡ଼ିଦେଲା l କିଛି ସମୟ ପରେ ସେମାନେ ସଂଜ୍ଞାପାଇ ଫେରି ଆସିବା ପାଇଁ ପଥ ଖୋଜୁଥାନ୍ତି, ଏହି ସମୟରେ ବ୍ରହ୍ମା ତାଙ୍କ ସମ୍ମୁଖରେ ମଞ୍ଜୁଷାଟିକୁ ପକାଇ ଦେଲେ l
ମନ୍ତ୍ରୀ ସୁମନ୍ତ୍ର ସମୁଦ୍ରରେ ଭାସି ଯାଉଥିବା ମଞ୍ଜୁଷାକୁ ଉଠାଇ ଆଣି ଦେଖନ୍ତି ତ, ତା’ ଭିତରେ ଏକ ଦିବ୍ୟ ସୁନ୍ଦରୀ ଲଳନା ଶୋଇଛି l ସୁମନ୍ତ୍ର ତାଙ୍କ ପରିଚୟ ମାଗିବାରୁ ସେହି ସୁନ୍ଦରୀ ରମଣୀଟି ତାର ପରିଚୟ ଦେଇ କହିଲା,ମୁଁ ଦକ୍ଷିଣ କୋଶଳର ରାଜକୁମାରୀ କୌଶଲ୍ୟା, ଏଠିକୁ କେମିତି ଆସିଲି ମୋତେ ଜଣା ନାହିଁ l କୌଶଲ୍ୟାଙ୍କ ରୂପରେ ଦଶରଥ ବିମୋହିତ ହୋଇ ପଡ଼ିଲେ l ସୁମନ୍ତ୍ରଙ୍କ ଆୟୋଜନରେ ଗନ୍ଧର୍ବ ରୀତିରେ ରାଜା ଦଶରଥ କୌଶଲ୍ୟାଙ୍କୁ ସେଠାରେ ଵିଵାହ କରି ଅଯୋଧ୍ୟା ଘେନି ଆସିଲେ l
ଏଣେ ଦକ୍ଷିଣକୋଶଳରେ କୌଶଲ୍ୟା କେଉଁଆଡ଼େ ଗଲେ ବୋଲି ଚହଳ ପଡ଼ିଥାଏ l ମହାମନ୍ତ୍ରୀ ସୁମନ୍ତ୍ର ସେଠାକୁ ଯାଇ ରାଜା ସୁକୌଶଳଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି କହିଲେ, ମହାରାଜ ! ଏବେ କୋଶଳ ରାଜକୁମାରୀ, ଅଯୋଧ୍ୟାରେ ମହାରାଜ ଦଶରଥଙ୍କ ପାଟ ରାଣୀ l ଦକ୍ଷିଣ କୋଶଳ ନରେଶ ଏହା ଜାଣି ବହୁତ ଖୁସି ହେଲେ l ପୁତ୍ରହୀନ ରାଜା ସୁକୌଶଳ ତାଙ୍କ ସମସ୍ତ ରାଜ୍ଯ ଜାମାତା ଦଶରଥଙ୍କୁ ଯୌତୁକ ଆକାରରେ ସମର୍ପି ଦେଲେ l
ପାଞ୍ଚଦିନପରେ ରାବଣ ଯାଇ ତିମିକୁ ସେ ମଞ୍ଜୁଷାଟି ମାଗିବାରୁ ତିମିଙ୍ଗଳ କହିଲା, ମୁଁ ତ ଆପଣଙ୍କୁ ତାହା ଫେରାଇ ଦେଇଛି l ଏହି ସମୟରେ ବ୍ରହ୍ମା ସେଇଠି ପହଞ୍ଚି ରାବଣକୁ ସବୁକଥା କହି କହିଲେ,ରେ ମୁଢ଼ ! ତୁ ମୋ ବରକୁ ମିଥ୍ୟା ମନେ କଲୁ l ବର୍ତ୍ତମାନ ଜାଣ କୌଶଲ୍ୟା ଯାଇ ଦଶରଥଙ୍କ ରାଣୀ ହେଲେଣି l
ଶ୍ରୀରାମ ଜନନୀ ମହାରାଣୀ କୌଶଲ୍ୟା ମହାକାବ୍ୟ ରାମାୟଣର ଏକ ମହନୀୟ ଚରିତ୍ର l ଏକାଧାରାରେ ସେ ଥିଲେ ପତିବ୍ରତା, ସନ୍ତାନ ବତ୍ସଳା, ପ୍ରଜା ବତ୍ସଳା ଓ ରାଜା ଦଶରଥଙ୍କ ସୁ ଉପଦେଷ୍ଟା l
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.