ସାହିତ୍ୟ ଓ ବନ୍ଧୁତାର ଉତ୍ସବ “କାକର” ଅନୁଷ୍ଠିତ।

ଖୋର୍ଦ୍ଧା : ରିପୋର୍ଟ-ସନାତନ ମହାକୁଡ଼।  ବୋଲଗଡ ବ୍ଲକ୍ ଅନ୍ତର୍ଗତ ଓଡିଶାର ଅନ୍ୟତମ ହିନ୍ଦୁ ମୁସଲମାନ ଭାଇଚାରାର ଗ୍ରାମ ମାଣିକାଗୋଡାରେ ପ୍ରତିଷ୍ଠିତ ମାଣିକ୍ୟ ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ଉତ୍ସବ “କାକର” ଶିକ୍ଷାବିତ୍ ପୁରେନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଭୀମପଡ଼ାସ୍ଥ ଗିଭ୍ ପବ୍ଲିକ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କବି ତଥା ପ୍ରକାଶକ ସରୋଜ ବଳ ମୁଖ୍ୟଅତିଥି ଭାବରେ ଯୋଗଦେଇ ସାହିତ୍ୟ ପ୍ରାଣ ବ୍ୟକ୍ତି ହିଁ ସମାଜରେ ମୈତ୍ରୀ, ବନ୍ଧୁତା ଓ ସଂହତି ପ୍ରତିଷ୍ଠା କରେ ବୋଲି ମତ ବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବରେ ଗାଳ୍ପିକ ସୀମାଞ୍ଚଳ ଦାଶ ଯୋଗଦେଇ କବି ସାହିତ୍ୟିକଙ୍କ ଲେଖାରେ ସମାଜର ପ୍ରତିରୂପ ପ୍ରକାଶ ପାଇବା ଦ୍ୱାରା ଏକ ସାମାଜିକ ବାତାବରଣ ସୃଷ୍ଟି ହୁଏ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବରେ ପ୍ରଫୁଲ୍ଲ କୁମାର ମହାପାତ୍ର, ଶେଖ ଅବଦୁଲ ଖାଲିକ୍, ନିର୍ମଳ ଚନ୍ଦ୍ର ଶୁରଦେଓ, ବିଶ୍ୱନାଥ ମହାପାତ୍ର ଯୋଗଦେଇ ସାହିତ୍ୟ ଆଲୋଚନା କରିଥିଲେ। ସମ୍ପାଦକ ମହମ୍ମଦ୍ ଆଜାଦ୍ ଅତିଥି ପରିଚୟ ଓ ସ୍ୱାଗତ ଅଭିନନ୍ଦନ ଜ୍ଞାପନ କରିଥିଲେ। କବିତା ଆସରରେ ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା, କବି ଡ଼କ୍ଟର ଶୀତୁ ପ୍ରକାଶ ରଥ, ନିଶିପଦ୍ମା ଶୁଭଦର୍ଶିନୀ, ହରପ୍ରିୟା ଦ୍ବିବେଦୀ ପ୍ରମୁଖ ସଂଯୋଜନା କରିଥିଲେ। ଦିବସ ବ୍ୟାପୀ ଉତ୍ସବରେ ଶତାଧିକ କବି କବିତା ପାଠ କରିଥିଲେ।
ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବୟିତ୍ରୀ ବସିରନ୍ ବିବି, ଔପନ୍ୟାସିକ ତଥା ନାଟ୍ୟକାର କମ୍ରେଡ ବିଶ୍ୱନାଥ ମହାପାତ୍ର, ବରିଷ୍ଠ କବୟିତ୍ରୀ ପ୍ରଭାତୀ କୁମାରୀ ରଥ, କବୟିତ୍ରୀ ନୁଜହତ୍ ତରନୁମ୍, ଲୋକକବି ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ମହମଦ୍ ଆଜାଦ୍ ଙ୍କ କବିତା ପୁସ୍ତକ “କଙ୍କି ଓ କଣ୍ଟାବାଡ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ପ୍ରିୟବ୍ରତ ଦାଶ, ପ୍ରମୋଦିନୀ ମହାପାତ୍ର, ଭାରତୀ ସ୍ୱାଇଁ, ପ୍ରଭାସ ଚନ୍ଦ୍ର ଷଡ଼ଙ୍ଗୀ, ସନାତନ ପରିଡା, ପୁଷ୍ପଲତା ଚୌଧୁରୀ, ସୁବାସିନୀ ମହାରଣା, ମନସ୍ବିନୀ ମାନସିଂହ ପ୍ରମୁଖ ଉତ୍ସବକୁ ସଂଯୋଜନା କରିଥିଲେ। ଶିକ୍ଷାବିତ୍ ତଥା ସଂଗଠକ ମନୋଜ କୁମାର ଗୁମାନସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.