ଜ୍ୟୋତିଷିଙ୍କ ବୁଦ୍ଧିରେ ପଡ଼ି ଜିଭ ହରାଇଲେ ସର୍ପଦଂଶନ ସ୍ବପ୍ନ ଦେଖୁଥିବା ବ୍ୟକ୍ତି

ଏରୋଡ୍‌: ବାରମ୍ବାର ସର୍ପ ଦଂଶନ ସ୍ବପ୍ନ ଦେଖୁଥିବା ତାମିଲନାଡୁ ଅନ୍ତର୍ଗତ ଏରୋଡ୍‌ର ଜଣେ କୃଷକ ଜଣେ ଜ୍ୟୋତିଷିଙ୍କ ବୁଦ୍ଧିରେ ପଡ଼ି ଜିଭ ହରାଇଛନ୍ତି।

ସଂଗୃହୀତ ତଥ୍ୟ ଅନୁସାରେ, ଗୋବିଚେଟ୍ଟିପାଲାୟମ୍‌ବାସୀ ୫୪ ବର୍ଷିୟ ରାଜା (ଛଦ୍ମନାମ) ସବୁ ବ‌େଳେ ସାପ କାମୁଡ଼ା ସ୍ବପ୍ନ ଦେଖୁଥିଲେ। ଏଭଳି ଦୁଃସ୍ବପ୍ନର ପ୍ରତିକାର ପାଇଁ ସେ ଜଣେ ଜ୍ୟୋତିଷିଙ୍କୁ ଭେଟିଲେ।

ଜ୍ୟୋତିଷି ରାଜାଙ୍କୁ ପରାମର୍ଶ ଦେଲେ କି, ଦୁଃସ୍ବପ୍ନର ପ୍ରତିକାର ପାଇଁ ସେ ସାପ ଗାତ ଥିବା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରନ୍ତୁ। ତେଣୁ, କୃଷକ ରାଜା ସେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କଲେ। ପୂଜା ଅଧିକ ଫଳପ୍ରଦ ହେବା ପାଇଁ ପୂଜକ ତାଙ୍କୁ ଗୋଟାଏ ବୋଡ଼ାସାପ ସାମ୍ନାରେ ତିନି ଥର ଜିଭ କାଢ଼ି ଦେଖାଇବାକୁ କହିଲେ। ରାଜା ସେମିତି କରୁଥିବା ବେଳେ ନିମିଷକ ମଧ୍ୟରେ ବିଷଧର ସରୀସୃପଟି (ବୋଡ଼ା) ତାଙ୍କ ଜିଭରେ ଦଂଶି ଦେଲା। ସେ ଭୟରେ ତଳେ ପଡ଼ିଗଲେ।

କେ. ସୁରେଶ ନାମରେ ରାଜାଙ୍କର ଜଣେ ସମ୍ପର୍କୀୟ ଏବଂ ତାଙ୍କ ପରିବାର ଲୋକେ ଚିକିତ୍ସା କରାଇବା ନିମନ୍ତେ ତାଙ୍କୁ ଏରୋଡ୍‌ ମଣିୟାନ୍‌ ମେଡିକାଲ୍‌ ସେଣ୍ଟର୍‌କୁ ନେଇଗଲେ। ଡାକ୍ତରଖାନା ନେବା ବାଟରେ ରାଜା ମଧ୍ୟ ଅଚେତ ହୋଇଯାଇଥିଲେ।

ମଣିୟାନ୍‌ ମେଡିକାଲ୍‌ ସେଣ୍ଟର୍‌ର ପରିଚାଳନା ନିର୍ଦେଶକ ଡାକ୍ତର ଏସ୍‌. ସେନ୍ତିଲ୍‌ କୁମାରନ୍‌ କହିଛନ୍ତି ଯେ, ନଭେମ୍ବର ୧୮ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହେବା ବେଳେ ରାଜାଙ୍କ ପାଟିରୁ ଭୀଷଣ ରକ୍ତସ୍ରାବ ହେଉଥିଲା। ସାପ ବିଷଜ୍ବାଳାରେ ତାଙ୍କ ଜିଭର ଟିସ୍ୟୁ ନଷ୍ଟ ହୋଇଯାଇଥିଲା। ତାଙ୍କୁ ବଞ୍ଚାଇବା ଲାଗି ତାଙ୍କ ଜିଭ କାଟିବାକୁ ପଡ଼ିଲା। ଜିଭ କାଟିବା ପରେ ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ ଆମକୁ ୪ ଦିନ ଉଦ୍ୟମ କରିବାକୁ ପଡ଼ିଲା।

Comments are closed.