ଜୋର୍ କରି ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ କାଗଜରେ ଦସ୍ତଖତ କରାଉଥିବାର ଅଭିଯୋଗ

ମାଳିପଦର ଫେକ୍ ଏନକାଉଣ୍ଟର ଘଟଣା

ମାଲକାନଗିରି: କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅନ୍ତର୍ଗତ ମାଳିପଦରଠାରେ ହୋଇଥିବା ପୁଲିସର ଫେକ୍ ଏନକାଉଣ୍ଟର ଘଟଣାରେ ପୁଲିସର ଦାଦାଗିରି ସାମ୍ନାକୁ ଆସିଛି। କୁହାଯାଉଛି ଯେ, ମୃତକ ଧନ କମାର ଜଣେ ମାଓବାଦୀ ନ ଥିଲେ ବି ପୁଲିସ ଜବରଦସ୍ତ ତାଙ୍କୁ ନକ୍ସଲ କହି ପରିବାର ଲୋକଙ୍କୁ କାଗଜରେ ଦସ୍ତଖତ କରାଉଥିବାର ଅଭିଯୋଗ ହୋଇଛି। ଏବେ ବି ଘଟଣାସ୍ଥଳରେ ଉତ୍ତେଜନା  ଲାଗି ରହିଛି। ଶତାଧିକ ମହିଳା ଓ ପୁୁରୁଷ ସଶସ୍ତ୍ର ଆନ୍ଦୋଳନ କରିବାକୁ ଯିବା ପୂର୍ବରୁ ଗ୍ରାମର ମୁଖିଆଙ୍କ ସମେତ ଅନ୍ୟ ଧାରଣାରତ ଲୋକଙ୍କୁ ପୁଲିସ ବଳପୂର୍ବକ ଉଠାଇନେଇଛି।

ମାଥିଲି ବ୍ଲକର ଧନ କମାରଙ୍କ ମୃତ୍ୟୁକୁ ନେଇ ଗତକାଲି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯିବା ସହ କ୍ଷତିପୂରଣ ଦାବି କରିଥିଲେ। ତେବେ ଆଜି ଆନ୍ଦୋଳନ ଜୋରଦାର ହେବା ନେଇ ଚର୍ଚ୍ଚା ହେବାରୁ ପୁଲିସ ସମସ୍ତଙ୍କୁ ଉଠାଇ ନେଇଥିବା ଜଣାପଡିଛି। ଆଜି ମଧ୍ୟ ଆନ୍ଦୋଳନ ଚାଲିଛି। ମହିଳାମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି।

ସୂଚନା ମୁତାବକ ଗତ ୧୦ ତାରିଖ ଦିନ ୨ଜଣ ବ୍ୟକ୍ତି ବୈପାରିଗୁଡା ମାଲିଗୁଡ଼ା ଜଙ୍ଗଲରେ କାଉଡ଼ି ଯୋଗେ ଗଞ୍ଜେଇ ନେଇ ଯାଉଥିବା ବେଳେ, ସେହି ସମୟରେ କୋରାପୁଟ ଜିଲ୍ଲା ପୁଲିସ ତଥା ଏସଓଜି ଓ ଡିଭିଏଫ ଯବାନ ଗଂଜେଇ ଚାଲାଣକାରୀଙ୍କ ଉପରେ ଗୁଳିଚାଳନା କରିଥିଲେ। ତେବେ ପୁଲିସ ଗୁଳିରେ ମାଲକାନଗିରି ଭେଜାଗୁଡା ପଞ୍ଚାୟତର ସର୍ଗିଗୁଡା ଗ୍ରାମର ୪୧ ବର୍ଷୀୟ ଧନ କମାର ନାମକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ, ଅନ୍ୟ ଜଣେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନୁଆଗୁଡା ଗାଁର ଜୟ କୁମାର ନାଗ ବୋଲି ଜଣାପଡିଥିଲା। ଏହି ଘଟଣାରେ ନିରୀହ ଲୋକଙ୍କୁ ନକ୍ସଲ ସଜାଇ ପୁଲିସ ଏନକାଉଣ୍ଟର କରି ମାରିଥିବା ଅଭିଯୋଗ ଆଣିଥିଲେ ଗ୍ରାମବାସୀ ଓ ପରିବାର ଲୋକ। ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇଥିଲା। ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଧନ କମାର ଗରିବ ଶ୍ରେଣୀର ହୋଇଥିବାରୁ ତାର ପରିବାରକୁ ୩୦ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦାବି ସହିତ ଶବକୁ ଖୁବଶୀଘ୍ର ହସ୍ତାନ୍ତର ପାଇଁ ଦାବି କରି ରବିବାର ଦିନ ଜୟପୁର-ମାଲକାନଗିରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ।

Comments are closed.