ମାଥିଲି ଆଇ.ଟି.ଆଇ.ରେ ଇଭି ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ଶିଳ୍ପ ମନ୍ତ୍ରୀ

0

ମାଲକାନଗିରି: ମାଲକାନଗିରି ମାଥିଲି ସରକାରୀ ଆଇ.ଟି.ଆଇ.ରେ ୪.୮ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ହେବାକୁ ଥିବା ‘ଇଲେକ୍ଟ୍ରିକ୍ ଭେହିକିଲ୍ ଟେକ୍ନୋଲୋଜି’ର ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ।

ଏହାସହ ଅନୁଷ୍ଠାନର ଶିକ୍ଷାଦାନ ଓ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମାନ୍ୟବର ମନ୍ତ୍ରୀ ସେଠାରେ ଇଞ୍ଜିନିୟରିଂ ଡ୍ରଇଂ ଲ୍ୟାବ୍, ଅନଲାଇନ୍ କ୍ଲାସରୁମ୍ ଏବଂ ସମ୍ମିଳନୀ କକ୍ଷର ଉଦ୍ଘାଟନ କରିଛନ୍ତି। ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇ.ଟି.ଆଇ. ମାଥିଲି, ଆଇ.ଟି.ଆଇ. ମାଲକାନଗିରି ଏବଂ ମାଲକାନଗିରି ସରକାରୀ ପଲିଟେକ୍ନିକର କାର୍ଯ୍ୟକଳାପ ଏବଂ ତାଲିମ୍ ସୁବିଧା ନେଇ ଆଲୋଚନା କରାଯାଇଥିଲା।

ପ୍ରତ୍ୟେକ ଅନୁଷ୍ଠାନର ଅଧ୍ୟକ୍ଷମାନେ ସେମାନଙ୍କର ଶୈକ୍ଷିକ ଓ ତାଲିମ୍ ସମ୍ବନ୍ଧୀୟ ବିବରଣୀ ଉପସ୍ଥାପନ କରିଥିଲେ। ଏଥିସହ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଶିଳ୍ପ କାର୍ଯ୍ୟକଳାପ ସଂପର୍କରେ ସମୀକ୍ଷା କରିଥିଲେ।

ଏହି ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜିଏମ୍, ମାଲକାନଗିରି DIPA ଟିମ୍ ଏବଂ ଇଡ୍କୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ଦକ୍ଷତା ବିକାଶ ଏବଂ ଶିଳ୍ପ ଇକୋସିଷ୍ଟମକୁ ଆହୁରି ସୁଦୃଢ କରିବା ଦିଗରେ କାମ କରିବା ପାଇଁ ମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.