ଦକ୍ଷିଣ, ଉତ୍ତର ଘୁମୁସର ବନଖଣ୍ଡରେ ଗଜରାଜଙ୍କ ଜୀବନ ବିପଦରେ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲାର ବୃହତ୍ ବନଖଣ୍ଡ ଦକ୍ଷିଣ ଓ ଉତ୍ତର ଘୁମୁସର ବନଖଣ୍ଡରେ ଗଜରାଜଙ୍କ ଜୀବନ ବିପଦରେ। ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳର ପାଙ୍ଗିଡ଼ି ପଞ୍ଚାୟତ ବେଲପଡ଼ା ଗ୍ରାମ ନିକଟରେ ଶିକାରୀର ବିଦ୍ୟୁତ୍ ଫାଶରେ ପଡ଼ି ଏକ ଛୁଆ ଅଣ୍ଡିରାହାତୀର ମୃତ୍ୟୁ ହୋଇଛି। ତାର ଶୁଣ୍ଢର ଅଧାଭାଗ କଟିଯାଇଥିବା ବେଳେ ରକ୍ତାକ୍ତ ଶବ ଧାନକ୍ଷେତ ଭିତରୁ ଠାବ ହୋଇଥିଲା।

ରବିବାର ଦିନ ଗ୍ରାମବାସୀ ଶବକୁ ଦେଖି ବନ ବିଭାଗକୁ ସୂଚନା ଦେବା ପରେ ଦକ୍ଷିଣ ଘୁମୁସର ଡିଏଫ୍‌ଓ ଦିଲ୍ଲୀପ ରାଉତ, ଏସିଏଫ୍ ପ୍ରଭାକର ନାୟକ ଓ ବୁଗୁଡ଼ା ରେଞ୍ଜର୍ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ସଦଳବଳେ ପହଞ୍ଚି ଅନୁଧ୍ୟାନ କରିଥିଲେ। ମୃତ ହାତୀଛୁଆର ବୟସ ପ୍ରାୟ ୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବିଦ୍ୟୁତ୍ ଫାଶରେ ହିଁ ପଡ଼ି ହାତୀଟିର ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି। କିନ୍ତୁ ଶବ ବ୍ୟବଚ୍ଛେଦ ପରେ କାରଣ ସ୍ପଷ୍ଟ ହେବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ଫଳରେ ଘଟଣାକୁ ‌ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି।

ବର୍ତ୍ତମାନ ବୁଗୁଡ଼ା ବନାଞ୍ଚଳରେ ମାଣିତରାରେ ହାତୀପଲଙ୍କ ଗତିବିଧି ଜାରି ରହିଛି। ହାତୀଛୁଆଟି ପଲରୁ ଅଲଗା ହୋଇ ବେଲପଡ଼ାକୁ ଚାଲି ଆସିଥିଲା। କ୍ଷେତରେ ପଶି ଧାନ ଖାଇବାକୁ ଚେଷ୍ଟା କରୁଥିବା ସମୟରେ, ବାର୍‌ହା ସମେତ ଅନ୍ୟ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ଉଚ୍ଚକ୍ଷମତା ସଂପନ୍ନ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ତେବେ ବନ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ବୁଗୁଡ଼ା ବନାଞ୍ଚଳରେ ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଯିବା ଘଟଣା କିଛି ନୂଆ ନୁହେଁ। ଏହାପୂର୍ବରୁ ଗତବର୍ଷ ବାର୍‌ହା ଫାଶରେ ପଡ଼ି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା। ସେହିପରି ବାଘୁଆ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥି‌ଲେ। ଗୌଡ଼ିଆବରୋଦା ପଞ୍ଚାୟତ ଗାନ୍ଧୀନଗର ଗ୍ରାମରେ ମଧ୍ୟ ଜଣେ ମହିଳା ବିଦ୍ୟୁତ୍ ତାର ଆଘାତରେ ଆସି ପ୍ରାଣ ହରାଇଥିଲେ। ଏଭଳି ଭାବେ ବନ୍ୟଜନ୍ତୁଙ୍କୁ ଶିକାର ପାଇଁ ତାର ବିଛାଯାଉଥିବା ବେଳେ ଏହା ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ହେଲେ ବନ ବିଭାଗ ସବୁ ଜାଣି ବି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ହାତୀପଲ ଧାନ ଖାଇବାକୁ କ୍ଷେତମୁହାଁ ହେଉଛନ୍ତି। ଫଳରେ ଏଭଳି ପରିସ୍ଥିତିରେ ହାତୀଙ୍କ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ବନ ବିଭାଗ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି।

Comments are closed.