ଜୟ ମା’ ଅପରାଜିତା

ଅର୍ଜୁନୀ ଚରଣ ବେହେରା

ଜୟ ମାଆ ଦୁର୍ଗେ ଦୁର୍ଗତିନାଶିନୀ
ଜୟ ମା’ ବିଶ୍ୱବନ୍ଦିତା l
ଦୁର୍ଗତି କାଳରେ ତୁହି ଏକା ସାହା
ଜୟ ମା’ ଅପରାଜିତା ll
କଉଣପ କୂଳେ ଧରା ଭାରି ହେଲା
ଆକୁଳେ ଡାକିଲା ମହୀ l
ଦିବ୍ୟ ଧାମ ଛାଡ଼ି ଓହ୍ଲାଇ ଆସିଲୁ
ମାଆଲୋ କରୁଣାମୟୀ ll
ଦେବ ଯକ୍ଷ ନର ଗନ୍ଧର୍ବ କିନ୍ନର
ସର୍ବେ ହୋଇ ଏକ ମୁଖ l
ଅନଳୁ ସମ୍ଭୁତା ହେଲୁ ଆବିର୍ଭୁତା
ହରିଲୁ ତାହାଙ୍କ ଦୁଃଖ ll
ସର୍ବ ଦେବେ ମିଳି କଲେ ନିଉଛାଳି
ଅରପିଲେ ସର୍ବ ଶକ୍ତି l
ସର୍ବ ଶକ୍ତିମୟୀ ମାଆଲୋ କଲ୍ୟାଣୀ
ଚରଣେ ମୋହର ଭକ୍ତି ll
ମାଆ ଦଶଭୁଜା ଦେବ କଲେ ପୂଜା
ଦିବ୍ୟ ଅସ୍ତ୍ର ଦେଲେ ହସ୍ତେ l
ମାଆ ରଣଚଣ୍ଡୀ, ଅମ୍ବିକା, ଚାମୁଣ୍ଡି
ନାରାୟଣୀ ନମସ୍ତୁତେ ll
ରକ୍ତବୀର୍ଯ୍ୟ, ଧୂମ୍ର ଲୋଚନ ବଧିଲୁ
ମାଆଲୋ ତୁହି ଧୁମ୍ରାକ୍ଷି l
ରାକ୍ଷସେ ପ୍ରବଳ ତୋହର କବଳୁ
ଆଉ କେ ପାରିବ ରଖି ll
ଦୁରୁଦଣ୍ଡ ଚଣ୍ଡ, ମୁଣ୍ଡ ମା ନାଶିଲୁ
ନାଶିଲୁ ଦୈତ୍ୟ ମହିଷା l
ମା’ ସିଂହବାହିନୀ ଦୈତ୍ୟ ବିନାଶିନୀ
ଚାରୁହାସୀ ଦିବ୍ୟ ଭୁଷା ll
ମାଆ ଦୟାମୟୀ ଦୟା ରଖିଥିବୁ
ଦୟିନୀ ତୋର ଚରଣେ l
ତୋ ଦିବ୍ୟ ଧରାରେ ଆଉ ନଆସିବେ
ମହିଷା ପରିକା ଜଣେ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.