ତୋରେ ଶରଣ ଗଲି ରେ ମୁରଲୀ

ଅର୍ଜୁନୀ ଚରଣ ବେହେରା

ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀଶକ୍ତି ରାସେଶ୍ୱରୀ ଶ୍ରୀରାଧା l ତେଣୁ ଶ୍ରୀକୃଷ୍ଣଙ୍କ ମୋହନ ବଂଶୀ ସର୍ବଦା ରାଧା ରାଧା ବୋଲି ରଟୁଥାଏ l ଶ୍ରୀରାଧା ଅତିଷ୍ଠ ହୋଇ ଦିନେ ଅଭିମାନରେ ବଂଶୀକୁ କହିଥିଲେ,’ତୋରେ ଶରଣ ଗଲିରେ ମୁରଲୀ,ଦିନେ ନଡାକିବୁ ରାଧିକା ବୋଲି’l ତେବେ ସେ ମୁରଲୀର କଣ ଏମିତି ଶକ୍ତି ଥିଲା କି ? କାହିଁକି ସେ ବଂଶୀ ସ୍ଵନରେ ଯମୁନାର ପାଣି ଉଜାଣି ବହୁଥିଲା, ସମସ୍ତ ଜୀବ ଜନ୍ତୁ ସ୍ଥାଣୁ ପାଲଟି ଯାଉଥିଲେ l ଶ୍ରୀକୃଷ୍ଣଙ୍କ ସେହି ମୋହନ ବଂଶୀ ବିଷୟରେ ଏକ ଆଲୋଚନା l
ଶ୍ରୀକୃଷ୍ଣଙ୍କ ବଂଶୀସ୍ଵନ ଅର୍ଥାତ ଭଗବାନଙ୍କ ପ୍ରଣବ ଧ୍ୱନୀ ସମସ୍ତ ସୃଷ୍ଟିରେ ଗୁଞ୍ଜରିତ ହେଉଛି l ସେହି ଧ୍ୱନୀରେ ହିଁ ଏହି ବିଶ୍ୱ ଚଳ ଚଞ୍ଚଳ ହେଉଛି l ସେ ଧ୍ୱନୀ ସବୁ ପ୍ରାଣରେ ସ୍ପନ୍ଦନ, ସମସ୍ତ ଅଭିବ୍ୟକ୍ତିର ସ୍ୱର l ଏଣୁ ଭଗବାନ ଶ୍ରୀ କୃଷ୍ଣଙ୍କ ହସ୍ତରେ ଥିବା ମୋହନବଂଶୀର ତତ୍ତ୍ୱ,ଉତ୍ପତ୍ତି,ଲୀଳା ବିଷୟରେ ଆମ ଶାସ୍ତ୍ର ମାନଙ୍କରେ ଭୁରିଭୁରି ବର୍ଣ୍ଣନା ରହିଛି l
ଶ୍ରୀମଦ ଭାଗବତରେ ବେଣୁ ଗୀତ ଗୋଟିଏ ଅତି ମହନୀୟ ପ୍ରସଙ୍ଗ l ଶ୍ରୀ ବେଦବ୍ୟାସକୃତ ସଂସ୍କୃତ ଭାଗବତର ଦଶମସ୍କନ୍ଧ ଏକ ବିଂଶ ଅଧ୍ୟାୟ ଦୁଇ ନମ୍ବର ଶ୍ଳୋକରେ କୁହାଯାଇଛି :-
କୁସୁମିତ ବନରାଜିଶୁଶ୍ମିଭୃଙ୍ଗମ୍
ଦ୍ଵିଜକୂଲଧୂଷ୍ଟ ସରଃସରିନ୍ମହ୍ୱିଘ୍ରମ୍ l
ମଧୁପତିରବଗାହ୍ୟ ଚାରାୟନ ଗାହାଃ
ସହ ପଶୁପାଳବଳ ଶ୍ଚୁ କୁଜ ବେଣୁମ୍ ll
ଅର୍ଥାତ କୁସୁମିତ ବୃନ୍ଦାବନର ବନ,ପାହାଡ଼,ନଦୀ, ହ୍ରଦ ଭ୍ରମର ଗୁଞ୍ଜନ, ବିହଙ୍ଗ କୁଜନରେ ମୁଖରିତ ହେଉଛି l ମଧୁର ମୂର୍ତ୍ତି ଶ୍ରୀକୃଷ୍ଣ ବଳରାମ ଗୋପ ବାଳକ ପରିବେଷ୍ଟିତ ହୋଇ, ଗୋଧନ ଚରାଇବା ଅବସରରେ ତାଙ୍କ ମଧୁର ବେଣୁ ନାଦ କରିବାକୁ ଲାଗିଲେ l
ଆମ ଓଡ଼ିଆ ଭାଗବତର ଦଶମସ୍କନ୍ଧ ଦ୍ୱାବିଂଶ ଅଧ୍ୟାୟରେ ବେଣୁଗୀତ ଅତୀବ ମନୋଜ୍ଞ ଭାବେ ବର୍ଣ୍ଣିତ ହୋଇଛି l କୃଷ୍ଣଙ୍କ ଅଧରାମୃତ ପାନ କରୁ ଥିବାର ସୌଭାଗ୍ୟ ବଂଶୀ ଲାଭ କରିଥିବାରୁ ଭାଗବତକାର କହିଛନ୍ତି :-
ଦେଖ ଗୋ ମୁରଲୀର ଭାଗ୍ୟ l
ଅମୃତ ଅଧରେ ସଂଯୋଗ ll
ଅନେକ ଜନ୍ମେ ପୁଣ୍ୟ ଦାହି l
କୃଷ୍ଣ ଅଧର ପୁଟେ ଥାଇ ll
ସବୁ ଖାଇଲା ସୁଧାରସ l
ଗୋପୀଙ୍କି ନାହିଁ ଅବଶେଷ ll
ସମସ୍ତେ ଜାଣନ୍ତି ବଂଶୀ ବାଉଁଶରେ ତିଆରି ଏକ ବାଦ୍ୟ ଯନ୍ତ୍ର ଯାହା ଓ଼ଷ୍ଠର ଫୁଙ୍କବାୟୁ ଦ୍ୱାରା ବାଜି ଥାଏ l ବଂଶୀର ସ୍ୱର ଅତୀବ ମଧୁର l ଏ ବଂଶୀ ମୁଖ୍ୟତଃ ଦୁଇ ପ୍ରକାରର l ଗୋଟିଏ ପ୍ରକାରର ବଂଶୀରେ ଗୋଟିଏ ମୁଣ୍ଡରେ ଥିବା ରନ୍ଧ୍ରରେ ଫୁଙ୍କ ଦେବାକୁ ହୁଏ,ଏହାକୁ ରାଧା ବଂଶୀ କୁହା ଯାଏ l ଅନ୍ୟ ବଂଶୀରେ ପାର୍ଶ୍ୱସ୍ଥ ଛିଦ୍ରକୁ ଓ଼ଷ୍ଠ ସ୍ପର୍ଶ କରି ପୁଙ୍କିବାକୁ ହୁଏ, ଏହାକୁ କୃଷ୍ଣ ବଂଶୀ କୁହାଯାଏ l
ପୁରାଣରୁ ଜଣାଯାଏ ମହାଦେବ ଓ ବିଷ୍ଣୁ ଦୁହେଁ ପରସ୍ପରର ଭକ୍ତ l
ତ୍ରେତୟା ଯୁଗର କଥା l ସେତେ ବେଳେ ଶ୍ରୀବିଷ୍ଣୁ ଶ୍ରୀରାମ ଅବତାରରେ ଧରା ଧାମରେ ଲୀଳା କରୁ ଥାନ୍ତି l ଲଙ୍କପତି ରାବଣପୁରୀରୁ ମା’ ଜାନକୀଙ୍କ ଉଦ୍ଧାର କରିବାପାଇଁ ଶ୍ରୀରାମ ସେତୁବନ୍ଧ ପ୍ରତିଷ୍ଠା କରି ସେଠାରେ ଶ୍ରୀରାମେଶ୍ୱରଙ୍କୁ ସ୍ଥାପନାକଲେ l ଶ୍ରୀରାମଙ୍କ ପୂଜାରେ ମହାଦେବ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରି କହିଲେ,”ପ୍ରଭୁ ଯୁଗ ଯୁଗ ଧରି ମୁଁ ଆପଣଙ୍କ ଧ୍ୟାନ କରୁଛି ହେଲେ ଆପଣଙ୍କ ସାନ୍ନିଧ୍ୟ ଟିକେ ଲାଭ କରି ପାରିଲି ନାହିଁ l” ଶ୍ରୀରାମ କହିଲେ, ” ହେ ମହାଦେବ ! ମାନସିକ ସ୍ତରରେ ତ ଆମେ ପରସ୍ପର ବନ୍ଧା ରହିଆସିଛନ୍ତି l ଆମର ତ ଯୁଗଯୁଗ ଧରି ସମ୍ପର୍କ ରହିଅଛି l ଯଦି ଆପଣ ଶାରୀରିକ ସମ୍ପର୍କ ଚାହାଁନ୍ତି ତେବେ ତାହା ତୁମକୁ ପ୍ରାପ୍ତ ହେବ”l ଶିବ କହିଲେ ହେ ପ୍ରଭୋ !ମୁଁ ଯେଉଁ ସାନ୍ନିଧ୍ୟ କଥା କହୁଛି, ତାହା ହେଉଛି ଭାବର ସାନ୍ନିଧ୍ୟ l ଭାବରସ ଆସ୍ଵାଦନ କରିବାର ସାନ୍ନିଧ୍ୟ l ଶ୍ରୀରାମ କହିଲେ ବୁଝି ପାରିଲି l କିନ୍ତୁ ଆପଣଙ୍କର ଏହି ଅଭିଳାଷ ପୂର୍ଣ୍ଣ ହେବ ଦ୍ୱାପର ଯୁଗରେ ଯେତେବେଳେ ମୁଁ କୃଷ୍ଣ ଅବତାର ଗ୍ରହଣ କରିବି ଏବଂ ରାବଣ କଂସ ଭାବରେ ଜନ୍ମ ଗ୍ରହଣ କରିବ l ଆପଣଙ୍କର ଶକ୍ତିକୁ ନେଇ ସୃଷ୍ଟି ହେବ ମୋହନ ବଂଶୀ l ସେହି ବଂଶୀକୁ ମୁଁ ଆସ୍ଵାଦନ କରିବି ଏବଂ ଆପଣଙ୍କର ଶକ୍ତି ସେହି ବଂଶୀରେ ଥାଇ, ମୋତେ ଆସ୍ଵାଦନ କରିବ l ପ୍ରଭୁଙ୍କ କଥା ଅନୁଯାୟୀ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ହସ୍ତରେ ଯେଉଁ ବଂଶୀଟି ବାଜିଲା ତାହା ଶିବ ଶକ୍ତି ନେଇ ତିଆରି ହେଲା l ସେ ବଂଶୀ ସାମାନ୍ୟ ବାଉଁଶ ଖଣ୍ଡେ ନୁହଁ, ଏହା ଅସୀମ ଶକ୍ତିଶାଳୀ ଓ ଐଶ୍ୱର୍ଯ୍ୟ ମୟୀ l ଏ ବଂଶୀରେ କୃଷ୍ଣଙ୍କ ଫୁତ୍କାର ସମ୍ଭାଳିବା ପାଇଁ ସଦାଶିବଙ୍କ ବିନା କିଏ ପୁଣି ସମର୍ଥ ହେବ l ଶିବହିଁ ସମୁଦ୍ର ମନ୍ଥନ ବିଷକୁ କେବଳ ପାନ କରି ସଂସାରକୁ ରକ୍ଷା କରି ପାରନ୍ତି l ଏଣୁ ଭାଗବତ କୁହନ୍ତି :- ଜଳଧି ମନ୍ଥନର ବିଷ l
ରୁଦ୍ରହୁଁ ଆନେ ନାହିଁ ଗ୍ରାସ ll
ସଦାଶିବହିଁ ସୁର ତରଙ୍ଗିଣୀ ମା’ ଗଙ୍ଗାଙ୍କ ପ୍ରବଳ ଧାରା ପାତକୁ ଶିରରେ ବହନ କରିପାରନ୍ତି l ଏଣୁ ସାଧାରଣ କାଠଖଣ୍ଡେ ହୋଇଥିଲେ ସେହି ବଂଶୀ କୃଷ୍ଣଙ୍କ ଫୁତ୍କାର ସମ୍ଭାଳିବାକୁ ସମର୍ଥ ହୋଇଥାନ୍ତା କି ? ମହାଦେବଙ୍କ କଳା ନେଇ ସେଥି ପାଇଁ ସୃଷ୍ଟି ହେଲା ମୋହନବଂଶୀ l ଭଗବାନ ଶିବ କାମାରି l ସେ କାମଦେବଙ୍କ ଶତ୍ରୁ l ଋତୁରାଜ ବସନ୍ତ ଧରା ଆଗମନ କଲେ, ସସାଗରା ଧରା ହୋଇ ପଡ଼େ କାମଦେବ କ୍ରୀଡ଼ାସ୍ଥଳୀ l ବୃକ୍ଷମାନେ ନବପଲ୍ଲଵ ଧାରଣ କରି ଶୋଭିତ ହୁଅନ୍ତି l ମାତ୍ର ଯେହେତୁ ବାଉଁଶ ଶିବଙ୍କ କଳା ଧରି ସୃଷ୍ଟ ଏବଂ ଋତୁ ରାଜ ବସନ୍ତ ଶିବଙ୍କ ଶତ୍ରୁ ଓ କାମଦେବର ଲୀଳାଋତୁ ଏହା ନବପଲ୍ଲଵ ଧାରଣ କରିବା ପରିବର୍ତ୍ତେ ପତ୍ର ଝଡ଼ା ଦେଇ ଥାଏ l
ଶ୍ରୀରାମଙ୍କ କଥା ଅନୁସାରେ ଦ୍ୱାପର ଯୁଗରେ ବାଉଁଶ, ପୂର୍ଣ୍ଣ ଶିବତ୍ୱ ଲାଭକରି କୃଷ୍ଣଙ୍କ ହାତରେ ହୋଇଥିଲା ମୁରଲୀ ବା ମୋହନ ବଂଶୀ l ପ୍ରଭୁ ଶ୍ରୀକୃଷ୍ଣଙ୍କ ବୃନ୍ଦାବନ ଲୀଳାରେ ମୋହନ ବଂଶୀ ହିଁ ମାଧୁର୍ଯ୍ୟପ୍ରେମ ଧର୍ମ ପ୍ରସାର କରିବାରେ ମୁଖ୍ୟ ସହାୟକ ହୋଇଥିଲା l ସେହି ବଂଶୀରେ ବାଉଁଶ ବ୍ୟବହୃତ ହେବ ବୋଲି ଏହା ପୂର୍ଣ୍ଣ ଶିବତ୍ୱ ପ୍ରାପ୍ତ ହୋଇଥିଲା l ଛଅ ଖଣ୍ଡ ବାଉଁଶର କୋକେଇରେ ମୃତ୍ୟୁ ବେଳେ ମଣିଷ ଯେତେବେଳେ ଶୋଇଥାଏ ସେ ମୃତ୍ୟୁଞ୍ଜୟ ସଦାଶିବଙ୍କ କୋଳରେ ହିଁ ଶୁଏ l ଶିବଙ୍କ କୋଳରେ ଶୋଇଲେ ପ୍ରାଣୀର ସାଜୁଯ୍ୟ ମୁକ୍ତି ତ ନିଶ୍ଚିନ୍ତ ହୋଇଥାଏ l ସେଥିପାଇଁ ଯେତେ ବ୍ୟବସ୍ଥା ଥିଲେ ମଧ୍ୟ କୋକେଇ ନିମନ୍ତେ ବାଉଁଶ ନିଶ୍ଚିନ୍ତ ଭାବେ ଲୋଡ଼ା ପଡ଼ିଥାଏ l
ପୌରାଣିକ କଥା ଅନୁଯାୟୀ ଶ୍ରୀକୃଷ୍ଣଙ୍କ ମୋହନ ବଂଶୀ ନାଦ ଶୁଣିଲେ କ୍ରମ ଅନୁସାରେ ଉଚ୍ଚାଟନ, ସ୍ତମ୍ଭନ,ବଶୀକରଣ ଓ ମୋହନ ଏହି ଚାରିଅବସ୍ଥା ଜାତ ହୁଏ l ଏହି ଅନୁସାରେ ଗୋପୀ ମାନଙ୍କର ଶ୍ରେଣୀ ବିଭାଗ କରା ଯାଇଛି ଯଥା, ବଦକନ୍ୟା, ଦେବକନ୍ୟା, ମୁନିକନ୍ୟା ଓ ବ୍ରଜକନ୍ୟା l ଭୂପତି ପଣ୍ଡିତଙ୍କ ପ୍ରେମ ପଞ୍ଚାମୃତରେ ଉଲ୍ଲେଖ ଅଛି :-
ପ୍ରଥମ ବଂଶୀ ଉଚ୍ଚାଟନ l
ପ୍ରକାଶ ବେଦକନ୍ୟା ଗଣ ll
ସ୍ତମ୍ଭନନାଦେ ବଂଶୀ ଶୁଣି l
ଉଦିତ ଦେବତା ନନ୍ଦିନୀ ll
ବଶୀକରଣ ନାଦ ବଂଶୀ l
ତହୁଁ ସମ୍ଭୁତ ମୁନି ଅଂଶୀ ll
ମୋହନନାଦେ ୟେ ମୂରଲୀ l
ତହୁଁ ବିଦିତ ବ୍ରଜବାଳି ll
ଶ୍ରୀମଦ ଭାଗବତ ମହାପୁରାଣ ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣ୍ଣନାରେ ପୂର୍ଣ୍ଣହୋଇଥିଲେ ହେଁ ଶ୍ରୀକୃଷ୍ଣ କେବେ ଓ କାହା ଠାରୁ ଏ ବଂଶୀଟି ପାଇଲେ ଓ ଏହାର ବାଦନ ଶିକ୍ଷା କଲେ ସେ ସମ୍ବନ୍ଧରେ କିଛି ବର୍ଣ୍ଣନା ଦେଖାଯାଏ ନାହିଁ l କିନ୍ତୁ ଅନ୍ୟ ବୈଷ୍ଣବ ସାହିତ୍ୟ ମାନଙ୍କରେ ଏହାର ବର୍ଣ୍ଣନା ଦେଖିବାକୁ ମିଳିଥାଏ ଓ ସେହି ବର୍ଣ୍ଣନା ମାନଙ୍କରୁ ଜଣାଯାଏ ଯେ ସୃଷ୍ଟି ଆଦ୍ୟକାଳରେ ପିତାମହ ବ୍ରହ୍ମା ଦେବତା ମାନଙ୍କୁ ନେଇ ସହସ୍ର ବର୍ଷବ୍ୟାପୀ ଏକ ଯଜ୍ଞ କରିଥିଲେ l ସେହି ଯଜ୍ଞକୁଣ୍ଡରୁ ଏକ ବାଉଁଶଗଛ ସୃଷ୍ଟିହେଲା l ପଚିଶ ପବ ଲମ୍ବ ବିଶିଷ୍ଟ ଏହି ବାଉଁଶରୁ ପ୍ରଥମେ ଦେବତାମାନଙ୍କ ପାଇଁ ଧନୁ ତିଆରି ହେଲା l ଏହି ବାଉଁଶରୁ ନଅପବରେ କୋଦଣ୍ଡଧନୁ,ସାତପବରେ ପିନାକ ଧନୁ,ପାଞ୍ଚପବରେ ସାରଙ୍ଗ ଧନୁ ଓ ତିନି ପବରେ ଗାଣ୍ଡିବ ଧନୁ ନିର୍ମିତ ହେଲା l ଏହା ଯଥା କ୍ରମେ ହେଲା ରାମ,ଶିବ,କୃଷ୍ଣ ଓ ଅର୍ଜୁନଙ୍କ ଧନୁ l ଅବଶିଷ୍ଟ ଏକ ପବରେ ବ୍ରହ୍ମା କୃଷ୍ଣାବତାର ପାଇଁ ମୋହନ ବଂଶୀକୁ ତିଆରି କଲେ l ବୈଷ୍ଣବ ଗ୍ରନ୍ଥ ଗୋବିନ୍ଦ ଲୀଳାମୃତର ବର୍ଣ୍ଣନା ଅନୁସାରେ ରାମ କୃଷ୍ଣ ଦୁଇ ଭାଈ ଗୋଚାରଣ ପାଇଁ ବୃନ୍ଦାବନ ଯିବା ପୂର୍ବରୁ ବଂଶୀବାଦନ କଳାର ପ୍ରଶିକ୍ଷଣ ଗୋବର୍ଦ୍ଧନ ମହାମଲ୍ଲ ମହାଭୋଇ ନାମକ ଜଣେ ଗୋକୁଳର ଗୋପାଳଙ୍କଠାରୁ ଗ୍ରହଣକରିଥିଲେ lବୃନ୍ଦାବନରେ ଗୋରୁ ଚରାଇବାକୁ ହେବ, ତେଣୁକରି ସେ ରାମ କୃଷ୍ଣଙ୍କୁ ପରାମର୍ଶ ଦେବାସହ ଶ୍ରୀକୃଷ୍ଣଙ୍କୁ ଗୋଟିଏ ଶିଙ୍ଗା,ହଳେ କଠଉ,ବାଘ ନଖୀ ମାଳି, ନଅ ପବ ଥିବା ଏକ ଲଉଡ଼ି ଏବଂ ଗୋଟିଏ ବେଣୁ ପ୍ରଦାନ କରିଥିଲେ l
ଶ୍ରୀହରିବଂଶ ଏବଂ ବ୍ରହ୍ମବୈବର୍ତ୍ତ ପୁରାଣ ବର୍ଣ୍ଣନା ଅନୁଯାୟୀ ପ୍ରଳୟ ବେଳରେ ଏ ବେଣୁ ବରୁଣଙ୍କ ନିକଟରେ ଥିଲା l ବୃନ୍ଦାବନରେ ଗୋପୀଙ୍କ ସହ ରାସଲୀଳା ନିମନ୍ତେ ବ୍ରହ୍ମା ଏହାକୁ ବରୁଣଙ୍କଠାରୁ ଅଣାଇ ସମ୍ମୋହକ ଅସ୍ତ୍ରଭାବେ ଶ୍ରୀକୃଷ୍ଣଙ୍କୁ ପ୍ରଦାନ କରିଥିଲେ l ଭକ୍ତକବି ସାଲବେଗ ତାଙ୍କ ବିଭିନ୍ନ ରଚନା ମାନଙ୍କରେ ମୋହନ ବଂଶୀ ବିଷୟରେ ଅତି ସୁନ୍ଦର ବର୍ଣ୍ଣନାମାନ ରଖିଛନ୍ତି l ବ୍ରହ୍ମାଙ୍କଠାରୁ ଶ୍ରୀକୃଷ୍ଣଙ୍କୁ ମୋହନ ମୁରଲୀ ପ୍ରାପ୍ତ ହୋଇଥିଲା ବୋଲି କହି ସେ ଲେଖିଛନ୍ତି :-
ବ୍ରହ୍ମା ଦେଇଥିଲେ ଅପୂର୍ଵ ମୁରଲୀ
ଶୁଭଇ ଅମୃତ ଧ୍ୱନୀ l
ବଂଶୀ ବିନୁ ମୋତେ ଆନ ନ ରୁଚଇ
ନ ଖାଇ ଯେ କ୍ଷୀର ପାଣି ll
ପୁଣି ସେ ମୁରଲୀର ସମ୍ମୋହନ କାରିତାକୁ ଲକ୍ଷ୍ୟ କରି ଗାଇଛନ୍ତି :-
ଜାତି ତାର କଣ୍ଟା ବାଉଁଶ ଖଣ୍ଡ l
ହସ୍ତରେ ଧରିଛି କୁସୁମ କାଣ୍ଡ ll
ଯମୁନାର ପାଣି ବହେ ଉଜାଣି l
ପାଷାଣ ତରଳେ ଶୁଣି ତା ଧୂନି ll
ମୁରଲୀ କେ ଆଣି ଦିଅନ୍ତା ମୋତେ l
ଭସାଇ ଦିଅନ୍ତି ଯମୁନା ସ୍ରୋତେ ll
ରାଇ କିଶୋରୀ ରାଧାରାଣୀ ଶ୍ରୀକୃଷ୍ଣଙ୍କ ବଂଶୀ ସ୍ଵନ ଶୁଣି ପାଗଳିନୀ ପ୍ରାୟ ତାଙ୍କର ସାନ୍ନିଧ୍ୟ ପାଇଁ ଧାଇଁ ଆସୁଥିଲେ l ଏହାକୁ ବର୍ଣ୍ଣନା କରି ଭକ୍ତ ସାଲବେଗ ଲେଖିଲେ :-
କାହ୍ନୁହେ ବଂଶୀ କେ ଦେଲା ତୋତେ l
ରାଧା ରାଧା ବୋଲି ଡାକେ ନିରତେ ll
କୁଳ ଛଡ଼ା ବଂଶୀ କୁଳ ଛଡାଇ l
ବଂଶୀ ସିନା ଦେଲା ପ୍ରୀତି ବଢ଼ାଇ ll
ଲୁଚି ଲୁଚି ଯାଇ ବଂଶୀ ସଙ୍ଗତେ l
ଖୋଜି ଖୋଜି ବଂଶୀ ଡାକଇ ମୋତେ ll
ଗୋପପୁରେ ଗୋପୀ ନାହାଁନ୍ତି କେତେ l
ମୋ ନାମ ଜାଣିଲା ବଂଶୀ କେମନ୍ତେ ll
ଅକଳଙ୍କ ଘରେ କୁଳ ଚନ୍ଦ୍ରମା l
କହେ ସାଲବେଗ ବଂଶୀ ଗାରିମା ll
ଏମିତି ସେ ତାଙ୍କର ବହୁ ଭଜନ/ଜଣାଣରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବଂଶୀ ବିଷୟରେ ସୁନ୍ଦର ପଦାବଳୀ ମାନ ରଖିଛନ୍ତି l
କାର୍ଯ୍ୟ ଭେଦରେ ବଂଶୀକୁ ବିଭିନ୍ନ ଶ୍ରେଣୀ ଭୁକ୍ତ କରା ଯାଇଛି l ଏହାର ବର୍ଣ୍ଣନା ବୈଷ୍ଣବ ସାହିତ୍ୟ ମାନଙ୍କରେ ଦେଖିବାକୁ ମିଳିଥାଏ ଯଥା :-
1. ମୁରଲି – ବତିଶ ଆଙ୍ଗୁଳ ଷଡ଼ ରନ୍ଧ୍ର ବିଶିଷ୍ଟ ଜମ୍ଭୁନଦ ରତ୍ନବନ୍ଧ ଜଡ଼ିତ ବଂଶୀକୁ ମୁରଲୀ କୁହା ଯାଏ l
2. ସୁରଲୀ -ଏହା ବତିଶଅଙ୍ଗୁଳ ଦୈର୍ଘ୍ୟ ଓ ପଞ୍ଚ ରନ୍ଧ୍ର ବିଶିଷ୍ଟ l ଯମୁନା ଘାଟରେ ଶ୍ରୀକୃଷ୍ଣ ଏହି ବଂଶୀ ବାଦନ କରି ଗୋପୀ ମାନଙ୍କୁ ହଇରାଣ କରୁଥିଲେ l
3. ବଂଶୀ – ଏହାର ଦୈର୍ଘ୍ୟ ଷୋଳ ଅଙ୍ଗୁଳ ଓ ଏହା ସପ୍ତସ୍ୱର ଉତ୍ପନ୍ନକାରୀ(ସାରେଗାମାପାଧାନି) ସପ୍ତରନ୍ଧ୍ର ଯୁକ୍ତ l ତିନୋଟିରନ୍ଧ୍ରରେ ଏହାର କଳକ ନଳି l ସ୍ଵନରେ ବଶ କରି ପାରୁ ଥିବାରୁ ତାହାର ନାମ ବଂଶୀ l ତିନିସ୍ୱରରେ ଏ ବଂଶୀ ନାଦ କଲେ ତ୍ରିଭୁବନ ବାସୀ ମଦନ ଜ୍ୱାଳାରେ ଘାରି ହୁଅନ୍ତି l
4. ଖୁରଲୀ – ଏହାର ଦୈର୍ଘ୍ୟ ଆଠ ଆଙ୍ଗୁଳ ଓ ଏହାର ଦଶଟି ମଣ୍ଡଳ ଆକାର ରନ୍ଧ୍ର ଥାଏ l କୃଷ୍ଣ ଗାଈ ଚରାଇ ନେଇ ବୃନ୍ଦାବନ ଯାଉଥିଲା ବେଳେ ଏହି ବଂଶୀ ବଜାଉ ଥିଲେ l
5. ଅଁଳାବେଣୁ :- ଏ ବଂଶୀ ପଞ୍ଚରନ୍ଧ୍ର ଓ ଦୁଇଯନ୍ତ୍ର ଯୁକ୍ତ l ଏହି ବଂଶୀକୁ ଗୋପବାଳକଙ୍କ ସହ କ୍ରୀଡା କୌତୁକ କାଳରେ ଶ୍ରୀକୃଷ୍ଣ ବଜାଉଥିଲେ l
କେତେକ ଶାସ୍ତ୍ରରେ ଆହୁରି ବହୁ ପ୍ରକାର ବେଣୁର ମଧ୍ୟ ବର୍ଣ୍ଣନା ଦେଖିବାକୁ ମିଳେ l ଦ୍ୱାଦଶାଙ୍ଗୁଳ ଓ ଛଅରନ୍ଧ୍ର ଯୁକ୍ତ ବେଣୁକୁ ପରିକାଶ୍ୟ ବେଣୁ, ଦ୍ୱିହସ୍ତ ପରିମିତ ଚାରିରନ୍ଧ୍ର ଯୁକ୍ତ ବେଣୁକୁ ମନୋହାରିଣୀ ମୁରଲୀ ଓ ସପ୍ତଦଶାଙ୍ଗୁଳ ନଅରନ୍ଧ୍ର ଯୁକ୍ତ ବେଣୁକୁ ବଶକାରିଣୀ ବଂଶୀ କୁହାଯାଏ l ବାଂଶରୁ ତିଆରି ବଂଶୀକୁ ଆନନ୍ଦିନୀ,ସ୍ୱର୍ଣ୍ଣନିର୍ମିତ ବଂଶୀ ଆକର୍ଷଣୀ ଓ ମଣିମୟ ବଂଶୀକୁ ସମ୍ମୋହନୀ,ବୋଲି କୁହା ଯାଏ l ଶ୍ରୀକୃଷ୍ଣଙ୍କ ବଂଶୀସ୍ୱନ ଶ୍ରବଣରେ ଗୋପୀ ମାନଙ୍କର ସ୍ତମ୍ବନ, ମୋହନ,ବଶୀ କରଣ ଆଦି ଭାବର ଜାଗ୍ରତ ହେଉଥିଲା l ଏହି ବଂଶୀସ୍ୱନରେ ଭଗବାନ ଶ୍ରୀକୃଷ୍ଣ ସମସ୍ତ ଜଗତକୁ ମୋହିତ କରି ପାରୁଥିଲେ l
ଶ୍ରୀକୃଷ୍ଣଙ୍କ ସେହି ବଂଶୀଧ୍ୱନୀ ସମସ୍ତଙ୍କ ହୃଦୟ କନ୍ଦରରେ ଅନୁରଣିତ ହେଉଛି l ସେହି ଧ୍ୱନୀକୁ ଧ୍ୟାନ କରି ପାରିଲେ ଆମର ଜୀବନ ଧନ୍ୟ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ l ଏଣୁ ଓଡ଼ିଆ ଭାଗବତକାର ଶ୍ରୀ ଜଗନ୍ନାଥ ଦାସ ବେଣୁ ଗୀତ ପ୍ରସଙ୍ଗ ଶେଷରେ କହିଛନ୍ତି :-
ଗୋବିନ୍ଦ ମୁରଲୀର ନାଦ l
ଶୁଣନ୍ତେ ଖଣ୍ଡଇ ଆପଦ ll
ସୁଜନେ ଶୁଣ ବେଣୁଗୀତ l
କହଇ ଦାସ ଜଗନ୍ନାଥ ll
ଏହା ହେଲା ମୋହନ ବଂଶୀର ସୃଷ୍ଟି ଓ ମହିମା l ପ୍ରଭୁ ଲୀଳା ମୟଙ୍କ ବଂଶୀ, ବାଙ୍କ ଅଧର, ବାଙ୍କ ଚୂଡ଼ା,ନଟବର ତ୍ରିଭଙ୍ଗୀଠାଣି,ଛନ୍ଦା ପାଦଦୁଇରେ ସର୍ବଦା ଧ୍ୟାନ ଲାଗି ରହୁ ଏହାହିଁ କାମନା l
ବସୁଦେବସୂତଂ ଦେବଂ କଂସ ଚାଣୁର ମର୍ଦ୍ଧନମ୍ l ଦେବକୀପରମାନନ୍ଦଂ କୃଷ୍ନଂ ବନ୍ଦେ ଜଗଦ୍ଗୁରୁମ୍ ll
ଓଁ ନମଃ ଭଗବତେ ବାସୁଦେବାୟଃ
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.