ନଭେମ୍ବର ୧ରୁ ନୂଆ ନିୟମ! ଜମିଜମା କାର୍ଯ୍ୟରେ ବ୍ୟକ୍ତିଗତ ଉପସ୍ଥିତ ହେବା ଜରୁରୀ ନୁହେଁ,

ଭୁବନେଶ୍ୱର: ଜମିଜମା ସଂକ୍ରାନ୍ତ କାର୍ଯ୍ୟ ପାଇଁ ଏଣିକି ନାଗରିକଙ୍କୁ ଆଉ ତହସିଲ ଦୌଡ଼ିବାକୁ ପଡ଼ିବ ନାହିଁ କିମ୍ବା ବ୍ୟକ୍ତିଗତ ଭାବେ ତହସିଲଦାରଙ୍କ ରାଜସ୍ୱ କୋର୍ଟରେ ହାଜିରା ପକାଇବାକୁ ପଡ଼ିବ ନାହିଁ । ଜମିଜମା ମ୍ୟୁଟେସନ୍ ମାମଲାଠୁ ଆରମ୍ଭ କରି ଜମିର କିସମ ପରିବର୍ତ୍ତନ, ଜମିର ଭାଗ କରାଯିବା, ଜମି ଜବରଦଖଲ ଓ ସରକାରୀ ଜମି ବନ୍ଦୋବସ୍ତ ଆଦି କାର୍ଯ୍ୟରେ ତହସିଲଦାରଙ୍କ ରାଜସ୍ୱ କୋର୍ଟରେ ଆଉ ବ୍ୟକ୍ତିଗତ ହାଜିରା ପକାଇବାକୁ ପଡ଼ିବ ନାହିଁ । ରାଜ୍ୟ ସରକାରଙ୍କ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ ଅନ୍ତର୍ଗତ ନାଗରିକମାନେ ଏଣିକି ଭର୍ଚୁଆଲ ମୋଡରେ ତହସିଲଦାରଙ୍କ ରାଜସ୍ୱ କୋର୍ଟରେ ନିଜର ହାଜିରା ପକାଇ ପାରିବେ ।

ନଭେମ୍ବର ୧ରୁ ଏହି ଭର୍ଚୁଆଲ ମୋଡ୍ ଅବା ଭିଡିଓ କଲ ମାଧ୍ୟମରେ ହାଜିରା ପକାଇବା ବ୍ୟବସ୍ଥା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୦ଟି ତହସିଲରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି । ରାଜସ୍ୱ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ତହସିଲଗୁଡ଼ିକରେ ଥିବା ରାଜସ୍ୱ କୋର୍ଟରେ ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ ହାଜର ହୋଇ ଶୁଣାଣି ପ୍ରକ୍ରିୟାରେ ସାଧାରଣ ଲୋକ ନିଜର ଜମିଜମା ସଂକ୍ରାନ୍ତ କାର୍ଯ୍ୟ ପାଇଁ ସାମିଲ ହୋଇ ପକ୍ଷ ରଖିପାରିବେ । ସରକାରୀ ଅଫିସ୍ ଓ ନାଗରିକଙ୍କ ମଧ୍ୟରେ ବ୍ୟକ୍ତିଗତ ଉପସ୍ଥିତିକୁ ହ୍ରାସ କରିବା ନିମନ୍ତେ ତଥା ନାଗରିକଙ୍କୁ ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରୁ ସରକାରୀ ସୁବିଧା ନେବା ନିମନ୍ତେ ପ୍ରୋତ୍ସାହିତ କରାଇବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶାସନ ବିଭାଗ ପକ୍ଷରୁ ‘ଇ-ପ୍ରଶାସନ’ କାର୍ଯ୍ୟକ୍ଷମ କରାଯାଇଛି ।

କେତେକ ବୈଧାନିକ ଆବଶ୍ୟକତାକୁ ବାଦ୍ ଦେଲେ ଭର୍ଚୁଆଲ ମୋଡରେ ଜଣେ ନାଗରିକ ନିଜର ଜମିଜମା ସଂକ୍ରାନ୍ତ କାର୍ଯ୍ୟକୁ ଭର୍ଚୁଆଲ ମୋଡରେ ସମ୍ପାଦନ କରିପାରିବେ । ରାଜ୍ୟ ସରକାର ୨୦୨୨ ନଭେମ୍ବର ୧ରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୦ଟି ତହସିଲର ରାଜସ୍ୱ କୋର୍ଟରେ ଏହି ଭର୍ଚୁଆଲ ଶୁଣାଣି ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ରାଜସ୍ୱ କୋର୍ଟରେ ଆଉ ଜମିଜମା କାର୍ଯ୍ୟ ନିମନ୍ତେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ପଡ଼ିବ ନାହିଁ ।

ଜମିଜମା ମ୍ୟୁଟେସନ୍ ମାମଲା, ଓଡ଼ିଶା ଭୂସଂସ୍କାର ଆଇନ-୧୯୬୦ ଅନ୍ତର୍ଗତ ଜମିର କିସମ ପରିବର୍ତ୍ତନ ଓ ଜମିର ଭାଗ କରାଯିବା, ଓଡ଼ିଶା ଜମି ଜବରଦଖଲ ପ୍ରତିରୋଧକ ଆଇନ-୧୯୭୨ ଅନ୍ତର୍ଗତ ମାମଲା ଓ ଓଡ଼ିଶା ସରକାରୀ ଭୂବନ୍ଦୋବସ୍ତ ଆଇନ-୧୯୬୨ ଅନ୍ତର୍ଗତ ମାମଲାଗୁଡ଼ିକ ନିମନ୍ତେ ଆଉ ସାଧାରଣ ଲୋକଙ୍କୁ ତହସିଲର ରାଜସ୍ୱ କୋର୍ଟରେ ବ୍ୟକ୍ତିଗତ ଉପସ୍ଥିତ ରହିବାକୁ ପଡ଼ିବ ନାହିଁ । ନାଗରିକମାନେ ଚାହିଁଲେ ଏସବୁ ମାମଲାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜସ୍ୱ କୋର୍ଟରେ ନିଜର ପକ୍ଷ ରଖିପାରିବେ । ତହସିଲ ରାଜସ୍ୱ କୋର୍ଟରେ ବ୍ୟକ୍ତିଗତ ହାଜିରା ପକାଇବା ସାଧାରଣ ଲୋକଙ୍କ ନିମନ୍ତେ ବ୍ୟୟବହୁଳ ଓ ଅତିରିକ୍ତ ବୋଝ ପାଲଟିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡରେ ଏସବୁ ମାମଲାର ଶୁଣାଣି ରାଜସ୍ୱ କୋର୍ଟରେ କରାଇବା ଓ ପକ୍ଷମାନଙ୍କୁ ନିଜର ପକ୍ଷ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରଖିବାର ସୁଯୋଗ ଦେବାକୁ ଅନୁମତି ଦେଇଛନ୍ତି । ଭାରତ ନେଟ୍‌, ଏମଏସ୍ ଟିମ୍ , ଗୁଗଲ ମିଟ୍ ଓ ଜୁମ୍ ପ୍ଲାଟଫର୍ମ ମାଧ୍ୟମରେ ନାଗରିକମାନେ ନିଜର ପକ୍ଷ ରାଜସ୍ୱ କୋର୍ଟର ଶୁଣାଣିରେ ରଖିପାରିବେ । ଅବଶ୍ୟ ରାଜସ୍ୱ କୋର୍ଟରେ ଉଭୟ ବ୍ୟକ୍ତିଗତ ଓ ଭର୍ଚୁଆଲ ମୋଡରେ ଶୁଣାଣି ହୋଇପାରିବ ବୋଲି ରାଜସ୍ୱ ବିଭାଗ କହିଛନ୍ତି ।

Comments are closed.