ଇଣ୍ଡୋନେସିଆ ଭୂମିକମ୍ପ : ୨ ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ଶିଶୁ

ଜାକାର୍ତ୍ତା : କଥାରେ ଅଛି ରଖେ ହରି ମାରେ କିଏ । ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି। ଗତ ସୋମବାରଦିନ ଇଣ୍ଡୋନେସିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ ଶହ ଶହ ମୃତାହତ ହୋଇଥିବାବେଳେ ଗୋଟିଏ ଭଲ ଖବର ମିଳିଛି । ଏକ ୬ ବର୍ଷର ଶିଶୁ ୨ ଦିନ ଧରି ଭୂମିକମ୍ପର ଧ୍ବଂସସ୍ତୁପ ତଳେ ପୋତିହୋଇ ରହିବା ପରେ ତାକୁ ଜୀବନ୍ତ ଉଦ୍ଧାର କରାଯାଇଛି । ତାକୁ ଇଣ୍ଡୋନେସିଆର ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି ।

ଉକ୍ତ ଶିଶୁର ନାଁ ହେଉଛି ଆଜକା ମୌଲାନା ମାଲିକ୍ । ତାକୁ ସିଆନଜୁର ଜିଲ୍ଲାର ନାଗରକ ଗାଁରେ ତାଙ୍କ ଘରର ଧ୍ବଂସସ୍ତୁପ ତଳୁ ଉଦ୍ଧାର କରାଯାଇଛି । କିନ୍ତୁ ଦୁଃଖର କଥା ହେଉଛି ତାକୁ ଯେଉଁଠାରୁ ଉଦ୍ଧାର କରାଯାଇଥିଲା ତାହାକୁ ଦେଖି ଉଦ୍ଧାରକାରୀଙ୍କ ଆଖିରେ ବି ଲୁହ ଆସିଯାଇଥିଲା । ତା ମା’ ଓ ଜେଜେମା’ଙ୍କ ମୃତଦେହ ନିକଟରୁ ତାକୁ ଉଦ୍ଧାର କରାଯାଇଛି । ଶିଶୁକୁ ରକ୍ଷା କରିବା ଅବସ୍ଥାରେ ହିଁ ତା ମା ଓ ଜେଜେମାଙ୍କ ପ୍ରାଣ ଚାଲିଯାଇଥିଲା । ତାକୁ ଏକ ଗଦି ତଳେ ରଖାଯାଇଥିବାରୁ ସେ ବଞ୍ଚିପାରିଥିଲା ।

ଆଜକାର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ତାକୁ ଏକ ସ୍ଥାନୀୟ ହସପିଟାଲରେ ଚିକିତ୍ସା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ସୋମବାରଦିନ ଇଣ୍ଡୋନେସିଆର ପଶ୍ଚିମ ଜାଭା ଦ୍ବୀପରେ ଆସିଥିବା  ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୬୮ରେ ପହଞ୍ଚିଛି । ଆହୁରି ୧୫୧ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି । ଏଣୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

Comments are closed.