ଇମ୍ରାନ୍ ଖାନଙ୍କୁ ପୁଣି ଝଟକା : ୫ ବର୍ଷ ପାଇଁ ରାଜନୈତିକ ପଦବୀ ନିଷେଧ କଲା ପାକ୍ ନିର୍ବାଚନ କମିସନ୍

ଇସଲାମାବାଦ୍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୫ ବର୍ଷ ପର୍ଯ୍ୟନ୍ତ  ନିର୍ବାଚନରେ  ଲଢିପାରିବେନି କିଂବା ରାଜନୈତିକ ପଦବୀରେ ରହିପାରିବେ ନାହିଁ । ବିଦେଶୀ ଉପହାର ଗ୍ରହଣ ମାମଲାରେ ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ଅଯୋଗ୍ୟ ଘୋଷଣା କରିଛନ୍ତି । ଇମ୍ରାନ୍ ଦେଶର ପ୍ରଧାନମନ୍ତ୍ରୀ ଥିା ବେଳେ ବିଦେଶର ରାଷ୍ଟ୍ରମୁଖ୍ୟଙ୍କଠାରୁ  ଗ୍ରହଣ କରିଥିବା ଉପହାର ସହ ଜଡିତ ଅନେକ ତଥ୍ୟ ଲୁଚାଇ ରଖିଥିଲେ । ଏପରିକି ଇମ୍ରାନ ସେଥିରୁ କିଛି ବିକ୍ରି କରିଥିବା ମଧ୍ୟ ଅଭିଯୋଗ ଆସିଥିଲା । ତେବେ ଅଭିଯୋଗ ପାଇବା ପରେ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି । ଗତ ଏପ୍ରିଲରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଇମ୍ରାନ ବିଭିନ୍ନ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି।

ସଂପ୍ରତି ଅକ୍ଟୋବର ୧୭ରେ, ପାକିସ୍ତାନର ଏକ ସ୍ୱତନ୍ତ୍ର ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ  ଇମ୍ରାନ ଖାନ ଓ ତାଙ୍କ ଦଳର କିଛି ନେତାଙ୍କ ବିରୋଧରେ ନିଷିଦ୍ଧ ଅର୍ଥ କାରବାର ମାମଲା ରହିଛି । ଏପରିକି ନିର୍ବାଚନ ଆୟୋଗଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେଥିଲାଗି ତାଙ୍କୁ ଅକ୍ଟୋବର ୩୧ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା ।

ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ଗତ ସପ୍ତାହରେ ଇମ୍ରାନ୍ ଖାନ ଏବଂ ତାଙ୍କ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏଫ୍ଆଇଆର୍ ତଥ୍ୟ ଅନୁଯାୟୀ, ଇମ୍ରାନ ଖାନଙ୍କ ପାର୍ଟି ନାମରେ ପଞ୍ଜୀକୃତ ହୋଇଥିବା ଏକ ବ୍ୟାଙ୍କ ଆକାଉଣ୍ଟକୁ ଉଟ୍ଟନ୍ କ୍ରିକେଟ୍ ଲିମିଟେଡର ମାଲିକ ଆରିଫ୍ ମାସୁଦ୍ ନାକଭି ବେଆଇନ୍ ଭାବେ ଟଙ୍କା ପଠାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ପାକିସ୍ତାନର ସଂସଦ ଏବଂ ରାଜ୍ୟ ବିଧାନସଭାର ୧୧ଟି ଆସନରେ ଉପନିର୍ବାଚନରେ ସର୍ବାଧିକ ସଂଖ୍ୟକ ଆସନ, ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଜିତିଛି । ଅକ୍ଟୋବର ୧୬ରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ମୁଖ୍ୟତଃ ଏହା ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ଏବଂ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମଧ୍ୟରେ ହୋଇଥିଲା । ଯାହାକି ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।

Comments are closed.