ହାଇଦ୍ରାବାଦରୁ ବିଜାପୁରକୁ ଚାଲାଣ ବେଳେ ୨୫ କିଲୋ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଦାନ୍ତେଓ୍ବାଡ଼ା ଜିଲ୍ଲାରେ ପୁଲିସ ଜଣେ ନାବାଳକ ସହ ୪ ମାଓବାଦୀଙ୍କୁ ଗିରଫ କରି ସେମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ଦାନ୍ତେୱାଡ଼ା ବସଷ୍ଟାଣ୍ଡ ନିକଟରେ ମାଓବାଦୀମାନେ ବିଜାପୁରକୁ ବସରେ ଯିବା ପାଇଁ ଅପେକ୍ଷା କରିଥିଲେ। ପୁଲିସ ସେହି ସମୟରେ ପାଟ୍ରୋଲିଂ କରୁଥିବା ବେଳେ ପୁଲିସ ଗାଡ଼ିକୁ ଦେଖି ମାଓବାଦୀମାନେ ଦୌଡ଼ିବାରେ ଲାଗିଥିଲେ। ପୁଲିସ ସେମାନଙ୍କୁ ଅଟକାଇ ପଚରାଉଚୁରା କରିଥିଲେ। ସେମାନଙ୍କ ମଧ୍ୟରେ ସୁବାସ କୁମାର କାଦୀ (୨୧), ମନୋଜ କୁମାର ଓୟାମ (୧୮), ରାମେଶ କୁମାର ଓୟାମ (୧୮) ଓ ଜଣେ ନାବଳକ ନିଜର ପରିଚୟ ଦେଇଥିଲେ। ପୁଲିସ ସେମାନେ ଧରିଥିବା ଟ୍ରଲି ବ୍ୟାଗ ଖୋଲି ଯାଞ୍ଚ କରିଥିଲେ। ସେଥରୁ ୨୫ କିଲୋଗ୍ରାମର ବିସ୍ଫୋରକ ବାହାରିଥିଲା। ଏଥିସହ ପୋଷାକ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଥିବା ବେଳେ ସେମାନଙ୍କ ଠାରୁ ୮୪ ହଜାର ଟଙ୍କା ଓ ବହୁ ମୋବାଇଲ ଫୋନ ଜବତ ହୋଇଥିଲା। ଦାନ୍ତେୱାଡା ପୁଲିସ ପକ୍ଷରୁ ସୂଚନା ମିଳିଛି ଯେ, ବେଚପାଲ ମାଓ କମାଣ୍ଡର ଶଙ୍କର ଏହି ବିସ୍ଫୋରକ ସାମଗ୍ରୀ ଆଣିବାକୁ ଅର୍ଡର ଦେଇଥିଲେ। ଏନେଇ ହାଇଦ୍ରାବାଦରୁ ବିସ୍ଫୋରକ କିଣି ବିଜାପୁରଠାରେ ପହଞ୍ଚାଇବା ପାଇଁ ଯୋଜନା ରହିଥିଲା। ଗିରଫ ମାଓବାଦୀମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Comments are closed.