ଆମ ପ୍ରାଣୀଜଗତର ଏକ ଅଦ୍ଭୁତ ଗୁଣସଂପନ୍ନ ପତଙ୍ଗ ହେଉଛି ମହୁମାଛି। ଏହାଦ୍ୱାରା ସଂଗୃହୀତ ମହୁ ଇତିହାସହୀନ କାଳରୁ ଆମଦ୍ୱାରା ବ୍ୟବହୃତ ହୋଇ ଆସୁଛି। ଠାକୁରଙ୍କ ପୂଜାରେ ବ୍ୟବହୃତ ପଞ୍ଚାମୃତ ହେଉ, କିମ୍ବା ଆମ ଖାଦ୍ୟକୁ ସ୍ୱାଦିଷ୍ଠ କରିବାପାଇଁ ହେଉ, ମହୁ ସବୁବେଳେ ଲୋଡ଼ା ହୋଇଥାଏ। କୁହାଯାଏ, ମହୁ ଏକ ସଂପୂର୍ଣ୍ଣ ଖାଦ୍ୟ। କାରଣ, ଏଥିରେ ପ୍ରଚୁର ପରିମାଣରେ ଶକ୍ତି ଯୋଗାଉଥିବା ଦ୍ରାକ୍ଷାଶର୍କରା ଓ ଫଳଶର୍କରା ପରି ଶ୍ୱେତସାର ଜାତୀୟ ଉପାଦାନ ସହିତ, ପୁଷ୍ଟିସାର, ଜୀବସାର ଓ ଧାତୁସାର ଆଦି ସ୍ୱାସ୍ଥ୍ୟକର ଉପାଦାନ ରହିଥାଏ।
ସମଗ୍ର ବିଶ୍ୱରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପ୍ରକାରର ମହୁ ଉପଲବ୍ଧ ହୋଇଥାଏ। ତେବେ ଆମ ଦେଶରେ ସ୍ୱାସ୍ଥ୍ୟପାଇଁ ବିଶେଷ ଉପକାରୀ ଆଠ ପ୍ରକାରର ମହୁର ବର୍ଣ୍ଣନା ଆୟୁର୍ବେଦ ଗ୍ରନ୍ଥମାନଙ୍କରେ ରହିଛି। ସେହିସବୁ ମହୁ ହେଉଛି- ପୌତ୍ତିକ, ଭ୍ରାମର, କ୍ଷୌଦ୍ର, ମାକ୍ଷିକ, ଛାତ୍ର, ଆର୍ଘ୍ୟ, ଔଦ୍ଦାଳକ ଓ ଦାଳ। ଏହିସବୁ ମହୁ ବର୍ଣ୍ଣ, ସ୍ୱାଦ ଓ ହିତକାରୀ ଉପାଦାନ ଦୃଷ୍ଟିରୁ ଭିନ୍ନଭିନ୍ନ।
ତେବେ ସବୁ ମହୁ ହୃଦୟ ଓ ଚକ୍ଷୁପାଇଁ ହିତକାରୀ। ଏହା ମଧ୍ୟ ବର୍ଣ୍ଣବୃଦ୍ଧିକର, କ୍ଷୁଧା ଓ କାମଶକ୍ତି ବର୍ଦ୍ଧକ ଏବଂ କଣ୍ଠସ୍ୱର ପାଇଁ ଉତ୍ତମ। ନିୟମିତ ମହୁ ସେବନ ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିବା ସହିତ ଶରୀରର ସୁକୁମାରତା ବଜାୟ ରହିଥାଏ। ମହୁ ମଧ୍ୟ ସାଧାରଣତଃ ହିକ୍କା, କାଶ, ଶ୍ୱାସ, ତରଳଝାଡ଼ା, ଚର୍ମରୋଗ, ରକ୍ତସ୍ରାବ, ଅସ୍ଥିଭଗ୍ନ, କ୍ଷତ, ବମନ ଏବଂ ମୂତ୍ରବହ ସଂସ୍ଥାନଗତ ରୋଗ ଆଦିରେ ହିତକାରୀ। ଏହା ବୁଦ୍ଧି ଓ ବଳକୁ ବଢ଼ାଇବା ସହିତ ପିତ୍ତ ଓ କଫ ଦୋଷ ପ୍ରଶମନ କରିଥାଏ।
ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ଦିନକୁ ଚା ଚାମଚରେ ସର୍ବାଧିକ ୪ରୁ ୫ ଚାମଚ ମହୁ ଖାଇପାରିବେ। ମହୁକୁ ମଧ୍ୟ ଅତ୍ୟଧିକ ଗରମ ପରିବେଶରେ କିମ୍ବା ଗରମ କରି, ଅଥବା ଅତ୍ୟଧିକ ଗରମ ଖାଦ୍ୟ ବା ପାନୀୟ ସହିତ ଖାଇବା ଉଚିତ ନୁହେଁ। ସେହିପରି, ସମମାତ୍ରାରେ ମହୁ ଓ ଘିଅ ଏବଂ ମହୁ ଓ ରାଶିତେଲ ଖାଇବା ମଧ୍ୟ ଉଚିତ ନୁହେଁ। ମଧୁମେହ ରୋଗୀ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ମହୁ ସେବନ କରିପାରିବେ।
Comments are closed.