ବିଧାନସଭାରେ ପୁଣି ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ସାଢ଼େ ୧୧ଟା ବେଳେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥର ପୁଣି ଚାଷୀ ସମସ୍ୟା ନେଇ ପୁଣି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ସୂଚନାଯୋ‌ଗ୍ୟ, ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଆଜି ଗୃହ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଶାସକ ଦଳ ପକ୍ଷରୁ ଏମଏସପି ବୃଦ୍ଧି ଦାବି ହୋଇଥିଲା। ଅପରପକ୍ଷରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରସଙ୍ଗ ଉଠାଇଥିଲେ। ଏହାଫଳରେ ଗୃହରେ ପ୍ରବଳ ହଟ୍ଟଗୋଳ ସୃ‌ଷ୍ଟି ହୋଇଥିଲା। ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଗୃହ ବାହାରେ ଧାରଣା ଦେଇଥିଲେ।

ସୂଚନାଯୋଗ୍ୟ, ବିଧାନସଭାର ଶୀତ ଅଧିବେଶନ ୨୪ ତାରିଖରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬ ଜଣ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସେମାନେ ହେଲେ ଚଳିତ ବିଧାନସଭାର ସଦସ୍ୟ ଥିବା ବିଜୟ ରଞ୍ଜନ ସିଂହ ବରିହା ଓ ବିଷ୍ଣୁ ଚରଣ ସେଠୀ, ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକ, କପିଳ ନାରାୟଣ ତିୱାରୀ, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀ।

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ଶାସକ ଦଳ ଓ ପୁଲିସର ଭୂମିକା ନେଇ ଗତକାଲି ବିରୋଧୀ ଗୃହରେ କମ୍ପିଥିଲେ। ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳରେ ଗୃହ ପଡ଼ୁଥିଲା, ଉଠୁଥିଲା। ଏହାରି ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୧୬ ହଜାର ୮୦୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ଚିଠା ବଜେଟ୍ ଗୃହରେ ଆଗତ କରିଥିଲେ। ଶ୍ରୀ ଅମାତ ଯେଉଁ ଅତିରିକ୍ତ ବଜେଟ୍ ଆଜି ଗୃହ ସାମ୍ନାରେ ରଖିଛନ୍ତି, ତାହା ଚଳିତ ବର୍ଷ ମୂଳ ବଜେଟ୍‌ର ୮.୪%। ୨୦୨୨-୨୩ ବର୍ଷରେ ରାଜ୍ୟ ସରକାର ୨ଲକ୍ଷ କୋଟିର ବଜେଟ୍ ଉପସ୍ଥାପନ କରିଥିଲେ।

Comments are closed.