ବନୌଷଧି
ଅମରନାଥ ବାରିକ୍
ବନୌଷଧି ଦେଶୀ ଉପଚାର ମନ୍ତ୍ର କହିବେ କବି ଅମର
ଆସ ଆମେ କିଛି ଜାଣିନେବା ତାହା କବିତାରେ ଲେଖା ସାର ।
ଶ୍ୱେତ ଚନ୍ଦନକୁ ଅଦା ମହୁ ସାଥେ ମିଶାଇ ସେବନ କଲେ
ବାନ୍ତି ହେଉଥିଲେ ତୁରନ୍ତ ଥମିବ ଜାଣିଥାଅ ଏହା ଭଲେ ।
ବାସଙ୍ଗ ପତ୍ରର ରସ ଛଟାଙ୍କିଏ ଚିନି ସହିତ ସକାଳେ
ଔଷଧ ପରାଏ ସେବନ କରିଲେ ରକ୍ତବାନ୍ତି ବନ୍ଦ କରେ ।
ଅପମାର୍ଗ ମୂଳ ସାଙ୍ଗରେ ତିନୋଟି ଗୋଲମରିଚ ମିଶାଇ
ବାଟି ପିଉଥିଲେ ମାରାତ୍ମକ ରୋଗ ହଇଜା ଦୂର ହୁଅଇ ।
ନ ହେଲେ ଶିମୂଳୀ ଛେଲି ସହିତରେ କଞ୍ଚା ଗାଈକ୍ଷୀର ନେଇ
ବାଟି ପାନ କଲେ ଝାଡ଼ା ବାନ୍ତି ଯେତେ ନିବାରିତ ହୋଇଥାଇ ।
ଜୁଆଣି ସହିତ ଗୋଟାପାନ ଦୁଇ ଶୀତଳ ଜଳରେ ବାଟି
କରିଲେ ସେବନ ସଙ୍ଗେ ସଙ୍ଗେ ଜାଣ କମେ ତରଳ ଝାଡ଼ାଟି ।
ଦହି ବେସନକୁ ଏକତ୍ର ମିଶାଇ ମୁଣ୍ଡରେ ମାଲିସ କଲେ
ବାଳ ଅଠା ଜଟା ଛାଡିଯାଏ ମଳି କୋମଳ ହୁଅଇ ଭଲେ ।
ମନ୍ଦାର ଫୁଲକୁ ବାଟି ତା’ ସହିତ ନଡ଼ିଆ ତେଲ ଘୋଳିବ
ସେହିଥିରୁ କିଛି ଦିନ ଲଗାଇଲେ ମୁଣ୍ଡରେ ବାଳ ବଢ଼ିବ ।
ନିମ୍ବ ତେଲ ଏକ ମାସ ନସ୍ୟ ଦେଲେ ବାଳ ଶୀଘ୍ର ପାଚିବନି
ଦିଶିବ ସୌନ୍ଦର୍ଯ୍ୟ ଘନ କଳା ହେବ ସହଜରେ ଝଡିବନି ।
କଦଳୀ ଗଛର ଶୁଖିଲା ପତ୍ରକୁ ପୋଡ଼ି ପାଉଁଶ କରିବ
ପାଣିରେ ମିଶାଇ କ୍ଷଣ ଲେପନରେ ଉକୁଣୀ ଶୂନ୍ୟ ହୋଇବ ।
ଦାନ୍ତ ଯଦି କେବେ ପୋକ ଖାଉଥାଏ ନିୟମିତ ଏହା କର
ବେଗୁନିଆ ପତ୍ର କଳରେ ଜାକିବ ପୋକଖିଆ ହେବ ଦୂର ।
ନଡ଼ିଆ ଗଛର ଚେରକୁ ଛେଚିଣ ଜଳରେ ମିଶ୍ରଣ କରି
ଏହାକୁ ପାଟିରେ କୁଳୁକୁଞ୍ଚା କଲେ ଦାନ୍ତହଲା ଥାଏ ରହି ।
ଶୁଣ୍ଠୀର ଚୂର୍ଣ୍ଣକୁ ଦାନ୍ତରେ ଘଷିଣ ଉଷ୍ଣଜଳେ ବାରମ୍ବାର
କୁଳି କରୁଥିଲେ ସମସ୍ତ ପ୍ରକାର ଦାନ୍ତ ପୀଡ଼ା ହୁଏ ଦୂର ।
ବିଶୁଦ୍ଧ ଗରମ ପାଣିରେ କୋଡିଏ ବୁନ୍ଦା ଅଦାରସ ଦେଇ
ପାନ କରୁଥିଲେ ପେଟ ଫମ୍ପା ରୋଗ ଶୀଘ୍ର ଆରୋଗ୍ୟ ହୁଅଇ ।
ତେନ୍ତୁଳି ପତ୍ର ବା କଲରା ପତ୍ରର ରସ ସହିତରେ ଚିନି
ମିଶାଇ ସେବନ କରୁଥିଲେ ଭାଇ ନାଶ ହୋଇଯାଏ କୃମି ।
କଟା ଘାଆ ଯଦି ହୋଇଥାଏ ଦେହେ ଶୁଖାଇବା ପାଇଁ ତାହା
କଲରା ପତ୍ର ଓ ତୁଳସୀ ପତ୍ରକୁ ବାଟି ଲେପ ଦେବ ଏହା ।
ଯଦି ବାଡ଼ିପଟେ ଥାଏ ନିମ୍ବପତ୍ର ରାଶି ଆଉ ଘିଅ ସାଥେ
ପେଷିଣ ପ୍ରଲେପ କରିଲେ ଘାଆରେ ଶୁଖିଯାଇଥାଏ ଆପେ ।
ଅମରପୋଇର ପତ୍ର ବାଟି ନାଭି ଚତୁର୍ପାର୍ଶ୍ଵେ ଲେପ ଦେବ
ପିଲାଙ୍କର ମୂତ୍ର ବନ୍ଦ ହୋଇଥିଲେ ଏହି ଉପାୟ କରିବ ।
ଶୁଦ୍ଧ ହଳଦୀକୁ ଥଣ୍ଡା ପାଣି ସାଥେ ଭଲଭାବେ ପେଷି ନିଅ
ଦୁଇ ତିନି ଥର ନାଭି ମଣ୍ଡଳରେ ଯତନେ ଲଗାଇ ଦିଅ ।
ତୁଳସୀ ପତର ରସ ସହିତରେ ମଧୁ ଚାମଚେ ମିଶାଇ
ପିଆଉଥିଲେ ତ ଶିଶୁ ଗଣଙ୍କୁ ଯେ ସର୍ଦ୍ଦି ଥଣ୍ଡା ଛାଡ଼ିଥାଇ ।
ଗିଲ ଅଗି ଅଳ୍ପ ରାଇ ବେସରରେ ଗୋଳାଇ କରି ଯତନେ
ପୋଡ଼ପିଠା କରି କିଛି ଦିନ ଖାଅ ଅଣ୍ଟାଧରା ଯିବ ଦିନେ ।
ଶ୍ୱେତ ପୁରୁଣୀର ସର୍ବାଙ୍ଗ ଛେଚି ତା’ ରସ ଚକ୍ଷୁରେ ପକାଅ
ଚକ୍ଷୁକୁ ଦିଶିବ ସ୍ୱଚ୍ଛ ନିରିମଳ ପୁରୁଣା ରୋଗ ଦୂରାଅ ।
ଜାଣିଲେ ଜୀବନ ସଂଜୀବନି ସୂତ୍ର ବୈଦ୍ୟରାଜପାୟ ତଥ୍ୟ
ବାଣ୍ଟିଦେଲେ ଜ୍ଞାନ ବିନା ମୂଲ୍ୟ ନେଇ କବି ଶ୍ରୀ ଅମରନାଥ ।
ମନେ ରଖ ବାବୁ ଏହି ବନୌଷଧି ଆସିବ ଦିନେ କାମରେ
ଆପଣାଇ ନିଅ ସହଜ ଉପାୟ ଅଛି ବାଡ଼ି ବଗିଚାରେ ।
💌 କୟାଁ, ମଙ୍ଗଳପୁର, ଯାଜପୁର
🌎 ଓଡ଼ିଶା, ପିନ୍ ନଂ – ୭୫୫୦୧୧
📞 ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)