ବୁର୍ଲା:ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଜଳର ସଠିକ୍ ପୂର୍ବାନୁମାନ ଓ ବନ୍ୟା ପରିଚାଳନାକୁ ଅଧିକ ଫଳପ୍ରଦ କରିବା ପାଇଁ ଓଡ଼ିଶା ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଛତିଶଗଡ଼ର ସାରାଡିହି ବ୍ୟାରେଜ୍ଠାରେ ଅତ୍ୟାଧୁନିକ ନନ୍-କଣ୍ଟାକ୍ଟ ଟାଇପ୍ ଡିସଚାର୍ଜ ମେଜରମେଣ୍ଟ ସିଷ୍ଟମ ସ୍ଥାପନ କରାଯିବ। ଏଥିପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ପ୍ରାୟ ୬୭ ଲକ୍ଷ ୫୨ ହଜାର ୬୪୫ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦେଇଛି।
ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ସାରାଡିହିରୁ ହୀରାକୁଦ ଜଳଭଣ୍ଡାରକୁ ପାଣି ପହଞ୍ଚିବାକୁ ପ୍ରାୟ ୧୨ ଘଣ୍ଟା ସମୟ ଲାଗୁଥିବାରୁ ଏହି ସ୍ଥାନ ବନ୍ୟା ପୂର୍ବାନୁମାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସାରାଡିହି ବ୍ୟାରେଜ୍ ନିର୍ମାଣ ପରେ ପୂର୍ବରୁ ଥିବା ଗେଜ୍ ସାଇଟ୍ ବୁଡ଼ି ଅଞ୍ଚଳକୁ ଚାଲିଯିବାରୁ ଜଳ ପ୍ରବାହର ସଠିକ୍ ଆକଳନ କରିବାରେ ସମସ୍ୟା ସୃଷ୍ଟି ହେଉଥିଲା।
ଏହି ସମସ୍ୟାର ସମାଧାନ ପାଇଁ ସାରାଡିହି ବ୍ୟାରେଜ୍ରେ ରିଅଲ୍-ଟାଇମ୍ ଜଳ ପ୍ରବାହ ମାପିବାକୁ ଅତ୍ୟାଧୁନିକ ବ୍ୟବସ୍ଥା ସ୍ଥାପନ କରାଯିବ। ଏହାଦ୍ୱାରା ହୀରାକୁଦକୁ ଆସୁଥିବା ଜଳର ସଠିକ୍ ପୂର୍ବାନୁମାନ କରାଯିବା ସହ ବନ୍ୟା ନିୟନ୍ତ୍ରଣ ଏବଂ ଜଳଭଣ୍ଡାର ପରିଚାଳନା ଆହୁରି ସୁଦୃଢ଼ ହେବ। ସେହିପରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମନ୍ୱିତ ଜଳ ପରିଚାଳନାରେ ମଧ୍ୟ ଏହା ସହାୟକ ହେବ।
ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୁର୍ଲା ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀ ଛତିଶଗଡ଼ ଜଳସମ୍ପଦ ବିଭାଗକୁ ଆବଶ୍ୟକୀୟ ଅନାପତ୍ତି ପ୍ରମାଣପତ୍ର (ଏନ୍ଓସି) ଶୀଘ୍ର ପ୍ରଦାନ କରିବାକୁ ପୁନର୍ବାର ଅନୁରୋଧ କରିଛନ୍ତି।