ଅଷ୍ଟ୍ରେଲିଆ ଉପକୂଳ ସମୁଦ୍ରରେ ଆମେରିକା ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ୨୦ଜଣ ନୌସେନା ଯବାନଙ୍କୁ ନେଇ ଯାଉଥିବା ଆମେରିକା ସେନାବାହିନୀର ଏକ ହେଲିକପ୍ଟର୍‌ ଆଜି ଉତ୍ତର ଅଷ୍ଟ୍ରେଲିଆର ଡାର୍‌ୱିନ୍‌ ଦ୍ବୀପ ଉପକୂଳ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ‘ସ୍କାଏ ନିଉଜ୍‌ ଅଷ୍ଟ୍ରେଲିଆ’ ରିପୋର୍ଟ କରିଛି। ଭି-୨୨ ଅସ୍‌ପ୍ରେ’ ନାମକ ଆମେରିକାର ଏହି ସେନା ହେଲିକପ୍ଟର୍‌ ସମରାଭ୍ୟାସ ଚାଲିଥିବା ମେଲ୍‌ଭାଇଲ୍‌ ଦ୍ବୀପ ନିକଟରେ ସମୁଦ୍ର ମଧ୍ୟକୁ ଖସିପଡ଼ିଛି। ଏଥିରେ ଆମେରିକା, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଫିଲିପ୍ପିନ୍‌ସ୍‌ ଟିମୋର-ଲେଷ୍ଟ୍‌ର ସେନା କର୍ମଚାରୀମାନେ ଥିଲେ ବୋଲି ‘ସ୍କାଏ ନିଉଜ୍‌’ ରିପୋର୍ଟରେ ଉଲ୍ଲେଖ ଅଛି। ‘ଏକ୍ସର୍‌ସାଇଜ୍‌ ପ୍ରିଡାଟର୍ସ ରନ୍‌ ୨୦୨୩’ ଚାଲିଥିବା ବେଳେ ଉକ୍ତ ହେଲିକପ୍ଟର୍‌ ସକାଳ ପ୍ରାୟ ୧୦ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ସବିଶେଷ ବିବରଣୀ ନ ଦେଇ ଜଣେ ଅଷ୍ଟ୍ରେଲୀୟ ମୁଖପାତ୍ର କହିଛନ୍ତି। ପଠାଇଥିବା ଇ-ମେଲ୍‌ରେ ମୁଖପାତ୍ରଜଣକ ଲେଖିଛନ୍ତି, ପ୍ରାଥମିକ ରିପୋର୍ଟରୁ ସୂଚନା ମିଳୁଛି ଯେ, ଅଷ୍ଟ୍ରେଲିଆ ପ୍ରତିରକ୍ଷା ବଳ ସଦସ୍ୟମାନେ ନୁହନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା କର୍ମଚାରୀମାନେ ଏହି ଦୁର୍ଘଟଣାର ସରବ୍ୟ‌ ହୋଇଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଦିଗରେ ପ୍ରାଧାନ୍ୟ ଦେଇଛୁ। ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବା ପରେ ସେଥିରେ ଥିବା ଯବାନମାନଙ୍କୁ ଖୋଜି ବାହାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ସେମାନଙ୍କ ମଧ୍ୟରୁ କେତେକ ମରିଯାଇଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା ପରେ ସମରାଭ୍ୟାସ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ, ଟିୱି ଦ୍ବୀପରେ ଚାଲିଥିବା ଏହି ସମରାଭ୍ୟାସରେ ଆମେରିକା, ଅଷ୍ଟ୍ରେଲିଆ, ଫିଲିପିନ୍‌ସ୍‌, ଟିମୋର-ଲେଷ୍ଟେ ଓ ଇଣ୍ଡୋନେସିଆର ୨,୫୦୦ରୁ ଊର୍ଦ୍ଧ୍ବ ସୈନିକ ସାମିଲ ହୋଇଛନ୍ତି।

Comments are closed.