ହରିନାମ ମହିମା

ଅର୍ଜୁନୀ ଚରଣ ବେହେରା

ଅନେକଦିନ ତଳର କଥା l କାନ୍ୟକୁବ୍ଜ ନଗରରେ ଅଜାମିଳ ନାମରେ ଜଣେ ବେଦବିଦ ବ୍ରାହ୍ମଣ ବାସ କରୁଥିଲେ l ସେ ଥିଲେ ଆଜନ୍ମ ବ୍ରହ୍ମଚାରୀ, ଶାସ୍ତ୍ର ଜ୍ଞାନୀ,ସତ୍ୟନିଷ୍ଠ,ବିନୟୀ ଏବଂ ନିର୍ମଳ ହୃଦୟର ଅଧିକାରୀ l ସେ ସର୍ବଦା ପିତାମାତା,ଗୁରୁଜନ ଓ ବୃଦ୍ଧ ମାନଙ୍କର ସେବା କରୁ ଥିଲେ l ଏକଦା ସେ ପିତ୍ରାଦେଶରେ ଜଙ୍ଗଲକୁ ଯାଇ ଫଳମୂଳ ସଂଗ୍ରହ କରି ଫେରୁଥିଲେ l ପଥରେ ତାଙ୍କର ଭେଟହେଲା ଜଣେ ଶୁଦ୍ର ସହିତ l ଶୁଦ୍ର ଜଣକ ମଦ୍ୟପାନ କରି ଜଣେ ଗଣିକାସହ ପ୍ରେମାଳାପ କରୁଥିଲେ l ଏହା ଦେଖି ବ୍ରାହ୍ମଣ ଅଜାମିଳଙ୍କ ମନରେ କାମ ବାସନା ଜାଗି ଉଠିଲା l ସେ ନିଜକୁ ନିୟନ୍ତ୍ରଣ କରିନପାରି ସେହି ଗଣିକା ପ୍ରତି ଆଶକ୍ତ ହୋଇ ପଡ଼ିଲେ l
ସେ ବେଶ୍ୟାଶକ୍ତ ହୋଇ କ୍ରମେ ନିଜ ଧର୍ମକୁ ଭୁଲି ଗଲେ l ବେଶ୍ୟାକୁ ଖୁସି ରଖିବାପାଇଁ ସେ ପ୍ରଚୁର ଅର୍ଥବ୍ୟୟରେ ମହାର୍ଘ ବସ୍ତ୍ର ଏବଂ ଅଳଙ୍କାରମାନ ତାକୁ ଯୋଗାଇଲେ l ଏଇମିତି ସେ ନିଜର ତଥା ସମସ୍ତ ପୈତୃକସମ୍ପତ୍ତି ସେହି ବେଶ୍ୟାଟି ପଛରେ ସାରି ଦେଲେ l ପୁତ୍ରର ଏପରି ଅଧୋଗତି ଦେଖି ତାଙ୍କ ପିତା ଦୁଃଖରେ ପ୍ରାଣତ୍ୟାଗ କଲେ l ତାଙ୍କ ମୃତ୍ୟୁ ପରେ ସେ ବେଶ୍ୟା ମୋହରେ ପଡ଼ି ନିଜର ପତିବ୍ରତା ସୁନ୍ଦରୀ ସ୍ତ୍ରୀଙ୍କୁ ମଧ୍ୟ ପରିତ୍ୟାଗ କଲେ l
ଏହିପରି ଚରିତ୍ର ସ୍ଖଳନରୁ ଅଜାମିଳର ସତ୍ ସଙ୍ଗ ନଷ୍ଟ ହୋଇଗଲା, ତାଙ୍କର ସମସ୍ତ ଶାସ୍ତ୍ରଜ୍ଞାନ ମଧ୍ୟ ନଷ୍ଟ ହୋଇ ଗଲା l କ୍ରମେ ଶାସ୍ତ୍ର ଜ୍ଞାନୀ ଅଜାମିଳ ବ୍ରାହ୍ମଣ ମତିଭ୍ରଷ୍ଟ, ଜ୍ଞାନଭ୍ରଷ୍ଟ ପତିତରେ ପରିଣତ ହୋଇ ଗଲେ l ପୁଣି ଧନର ଅଭାବ ହେବାରୁ ସେ ବାଟୋଇ ମାନଙ୍କୁ ଲୁଣ୍ଠନ କରି ଗୋଟିଏ ଡକାଇତ ଭାବେ ପରିଚିତ ହେଲେ l ଏହି ପରି ପରିବାରର ଭରଣ ପୋଷଣ ପାଇଁ ସେ ନାନା ଦୁଷ୍କର୍ମରେ ଲିପ୍ତ ହୋଇ ରହିଲେ l ଭାଗବତରେ କୁହା ଯାଇଛି :-
ହୀନ ସଙ୍ଗତେ ହୀନ ଗତି l
ହସି କହନ୍ତି ଯଦୁପତି ll
ଅଜାମିଳଙ୍କର ଦଶଗୋଟି ପୁତ୍ର ଥିଲେ l ସାନପୁଅ ନାମ ନାରାୟଣ ଯାହାକୁ ସେ ସବୁଠୁଁ ଅଧିକ ଭଲ ପାଉଥିଲେ l ଅତି ସ୍ନେହରୁ ସର୍ବଦା ଅଜାମିଳ ପୁଅ ନାମ ନାରାୟଣ, ନାରାୟଣ ଡାକୁଥିଲେ l ଏମିତି ଅଠା ଅଶୀ ବର୍ଷ ବୟସ ତାଙ୍କୁ ହୋଇ ଗଲା ଏବଂ ତାଙ୍କର ମୃତ୍ୟୁସମୟ ଆସି ପହଞ୍ଚିଗଲା l ଅଭ୍ୟାସ ବଶତଃ ସେ ମୃତ୍ୟୁ ଶଯ୍ୟାରେ ପଡ଼ି ସେହି ପୁତ୍ରର ନାମ ଡାକୁଥିଲେ l ତାଙ୍କର ମୃତ୍ୟୁସମୟ ହେବାରୁ ତିନି ଜଣ ଯମ ଦୂତ ଆସି ପହଞ୍ଚିଲେ ତାଙ୍କୁ ଯମ ପୁର ଘେନିଯିବା ପାଇଁ l ଯମଦୂତ ମାନଙ୍କ ବିଶାଳ କାୟ ଶରୀର ଓ ବିକଟାଳ ରୂପ ଦେଖି ଅଜାମିଳ ବ୍ୟାକୁଳ ହୋଇ ପଡ଼ିଲେ l ଯମଦୂତ ମାନେ ତାଙ୍କୁ ଘେରି ଯାଇଥାନ୍ତି l ସାନପୁଅ ନାରାୟଣ ପାଖରେ ଖେଳୁ ଥିବାର ଦେଖି ସେ ବଡ଼ପାଟିରେ ନାରାୟଣ ନାରାୟଣ କହି ଡାକ ପକାଇଲେ l
ଇନ୍ଦ୍ରିୟ ଆକୁଳେ ତକ୍ଷଣ l
ଡାକିଲା ପୁତ୍ର ନାରାୟଣ ll
ଏହି ସମୟରେ ବିଷ୍ଣୁ ଦୂତ ମାନେ ଶୁଣିଲେ କେହି ଜଣେ ତାଙ୍କ ପ୍ରଭୁଙ୍କ ନାମନେଇ ଡାକ ପକାଉଛି l ସେମାନେ ଶୀଘ୍ର ଶୀଘ୍ର ଯାଇ ଅଜାମିଳ ନିକଟରେ ପହଞ୍ଚିଲେ l ସେମାନଙ୍କ ହସ୍ତରେ ଶଙ୍ଖ,ଚକ୍ର,ଗଦା ପଦ୍ମ ଶୋଭା ପାଉଥାଏ l ମୁଖରୁ ବେଦ ଉଚ୍ଚାରିତ ହେଉଥାଏ l ଯମଦୂତମାନେ ଅଜାମିଳଙ୍କ ପ୍ରାଣକୁ ଟାଣୁ ଥାନ୍ତି,ବିଷ୍ଣୁଦୂତ ମାନେ ବାଧା ଦେଲେ l ଯମ ଦୂତ ମାନେ କହିଲେ, ଆମ କାମରେ ବାଧା ସୃଷ୍ଟି କରୁଛ ତୁମେ ଗୁଡ଼ା କିଏ l ତୁମ ମାନଙ୍କର କଅଣ ଯମଙ୍କୁ ଭୟ ନାହିଁ l ଶୀଘ୍ର ଏଠାରୁ ପଳାଇ ଯାଅ l ଏହା ଶୁଣି ବିଷ୍ଣୁଦୂତ କହିଲେ,ଆଚ୍ଛା ! ଯଦି ତୁମେ ଯମଙ୍କ ଆଜ୍ଞାକାରୀ ତେବେ ଆମକୁ ଧର୍ମର ତତ୍ତ୍ୱ ଓ ଲକ୍ଷଣ କ’ଣ ବତାଅ, ଦଣ୍ଡ କିପରି ଦିଆ ଯାଏ, ଦଣ୍ଡ ପାଇବାର ଯୋଗ୍ୟ କିଏ,ତାହା ମଧ୍ୟ ବତାଇ ଦିଅ l ଯମଦୂତ ମାନେ କହିଲେ, ବେଦ ହେଉଛି ଭଗବାନଙ୍କ ସ୍ୱରୂପ l ତହିଁରେ ଯେଉଁ ସବୁ କର୍ମକୁ ଭଲବୋଲି କୁହାଯାଇଛି ତାହାକୁ ଧର୍ମ କୁହାଯିବ l ମଣିଷ ଯାହା କର୍ମ କରେ ସେସବୁର ଦ୍ରଷ୍ଟାହେଲେ ସୂର୍ଯ୍ୟ, ଚନ୍ଦ୍ର,ଅଗ୍ନି, ଆକାଶ,ଜଳ,ବାୟୁ,ମେଦିନୀ l ସେହିମାନଙ୍କ ଦ୍ୱାରା ଅଧର୍ମ ଧରାପଡ଼ିଯାଏ ଓ ଦଣ୍ଡ ପାଇବାର ପାତ୍ର ମଧ୍ୟ ନିର୍ଣ୍ଣୟ ହୋଇଯାଏ,ମନୁଷ୍ୟ ତାହାର କର୍ମାନୁସାରେ ଦଣ୍ଡ ପାଇଥାଏ,ଏ ବ୍ରାହ୍ମଣ ଅଜାମିଳ ଗୋଟିଏ ମହାପାପୀ l ସେ କାମନାବଶ ହୋଇ ନିଜର ପତ୍ନୀକୁ ତ୍ୟାଗ କରିଛି l ତାକୁ ଦଣ୍ଡ ଦେବା ପାଇଁ ଆମେ ଧରି ଯମ ରାଜାଙ୍କ ନିକଟକୁ ନେଇଯିବୁ l
ଏହାଶୁଣି ଦେବଦୂତମାନେ କହିଲେ,ହେ ଯମଦୂତ ଗଣ ! ଏହି ବ୍ରାହ୍ମଣ କିନ୍ତୁ ତାହାର ସମସ୍ତ ପାପର ପ୍ରାୟଶ୍ଚିତ କରି ପବିତ୍ର ହୋଇ ସାରିଛନ୍ତି l ଏହାଙ୍କୁ ତୁମେ ନେଇ ପାରିବ ନାହିଁ l ଅଜାଣତରେ ହେଉ ପଛେ, ସେ ନାରାୟଣ ନାମକୁ ବାରମ୍ବାର ସ୍ମରଣ କରିଛନ୍ତି l ନାରାୟଣ ନାମ ଉଚ୍ଚାରଣରେ ଜୀବର ସମସ୍ତ ପାପ ଖଣ୍ଡନ ହୋଇଯାଏ l ଏହିପରି କହି ଦେବଦୂତମାନେ ଅଜାମିଳକୁ ଯମଦୂତଙ୍କ ପାଶରୁ ମୁକୁଳାଇ ଦେଲେ l ଅଜାମିଳ ପୁଣି ଜୀବନ ପାଇ ଜାଗ୍ରତ ହୋଇ ଉଠିଲେ l ଏଥର ତାଙ୍କର ମୋହ ତୁଟିଯାଇ ଶୁଭବୁଦ୍ଧି ଜାଗି ଉଠିଲା l ସେ ବୈରାଗି ହୋଇ ସର୍ବସ୍ବ ତ୍ୟାଗ କରି ହରିଦ୍ୱାର ଚାଲି ଯାଇ ସେହିଠାରେ ଭଗବାନ ବିଷ୍ଣୁଙ୍କ ଚରଣ କମଳରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ, କଠୋର ତପ ସାଧନା କରି ଜୀବନ ବିତାଇଲେ l
ହରିଦ୍ୱାରରେ କଠୋର ତପସ୍ୟାରେ ତାଙ୍କର ବହୁ ବର୍ଷ ବିତିଗଲା l ଅନ୍ତଃକାଳରେ ଭଗବାନ ବିଷ୍ଣୁଙ୍କ ପ୍ରେରିତ ଦିବ୍ୟ ବିମାନରେ ବସି ସେ ସ୍ୱର୍ଗ ପୁରକୁ ଯାତ୍ରା କଲେ ଏବଂ ଭଗବାନଙ୍କ ପରମ ପଦରେ ଲୀନ ହେଲେ l ଏହା ଥିଲା ମୋକ୍ଷ ଦାୟୀ ସେହି ନାରାୟଣଙ୍କ ନାମ ସ୍ମରଣର ଫଳମାତ୍ର l ଶ୍ରୀମଦ ଭାଗବତର ଏହି ଉପାଖ୍ୟାନକୁ ଲକ୍ଷ୍ୟ କରି ଭକ୍ତ କବି ଗୌରଚରଣ ଅଧିକାରୀ ଲେଖିଛନ୍ତି :-
ଅଜାମିଳ ନାମେ ସେ ମହାପାପୀ
⁠⁠⁠ ତରିଗଲା ପୁତ୍ର ନାମକୁ ଜପି,
ନାତେକ ମାଇଲା ଶ୍ରୀବତ୍ସ ବ୍ରାହ୍ମଣ
⁠⁠⁠ହୃଦେ ବ‌ହିଅଛ ତାହାକୁ l
ଦୁଃଖ ନାଶନ ଗରୁଡ଼ାସନ ହରି
ଦୁଃଖ ଜଣାଇବି କାହାକୁ ll
ଶ୍ରୀମଦ ଭାଗବତର ଷଷ୍ଠ ସ୍କନ୍ଧ ପ୍ରଥମରୁ ତୃତୀୟ ଅଧ୍ୟାୟ ମଧ୍ୟରେ ଏହି ଉପାଖ୍ୟାନ ଅତି ଭାବାତ୍ମକ ଭାବେ ବର୍ଣ୍ଣିତ ହୋଇଛି l ଉପାଖ୍ୟାନର ଶେଷରେ ଅତିବଡ଼ି ଅତି ସଂକ୍ଷେପରେ ଏହାର ତତ୍ତ୍ୱ ବୁଝାଇ କହିଛନ୍ତି :-
ଦେଖ ବ୍ରାହ୍ମଣ ପାପୀ ଥିଲା l
ଅନ୍ତେ କୃଷ୍ଣଙ୍କୁ ସୁମରିଲା ll
ଦେଖି ନିକଟେ ତା ମରଣ l
ପୁତ୍ରର ନାମ ନାରାୟଣ l
ନାମକୁ ଆକୁଳେ ଉଚ୍ଚାରି l
ଭଵସାଗରୁ ହେଲା ପାରି ll
🙏🙏🙏
ଅର୍ଜୁନୀ
————–
ମୋ -7693091971

Comments are closed.