ହା କୃଷ୍ଣ ବୋଲି ଯାଉ ଜୀବ

ଅର୍ଜୁନୀ ଚରଣ ବେହେରା

ହା କୃଷ୍ଣ ବୋଲି ଯାଉ ଜୀବ
================
ଭଗବାନ୍ ଶ୍ରୀକୃଷ୍ଣ ଜରା ଶବର ଶରାଘାତରେ ପ୍ରାଣ ଛାଡ଼ିଲେ l ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ଗମନ ପରେ ଅର୍ଜୁନ ଶକ୍ତିହୀନ ହୋଇ, ଭଗବାନଙ୍କ ନିର୍ଦ୍ଦେଶରେ ଦ୍ୱାରକା ପୂରନାରୀ ମାନଙ୍କୁ ଘେନି ହସ୍ତିନା ଫେରି ଆସୁ ଥାନ୍ତି ଅଧା ରାସ୍ତାରେ ଭିଲ ମାନେ ଆକ୍ରମଣ କରି, ଗହଣା ଗାଣ୍ଠି ସହିତ, ସମସ୍ତ ରମଣୀ ମାନଙ୍କୁ ହରି ନେଲେ l ଶୂନ୍ୟ ହସ୍ତରେ ଅର୍ଜ୍ଜୁନ ଫେରି ଆସିଲେ ହସ୍ତିନା l
ସେ ଆସି ହସ୍ତିନାରେ ପହଞ୍ଚିଲା ବେଳକୁ ବହୁ ରାତି ହୋଇଯାଇଥିଲା l ସନ୍ତର୍ପଣରେ ନିଜ କୋଠରୀରେ ବସି କେବଳ କୃଷ୍ଣଙ୍କ କଥା ଭାବି ଲୁହଗଡ଼ାଇ ମନେ ମନେ ସେ ଭାବି ହେଉଥାନ୍ତି,ଏପରି ଦାରୁଣ ସମ୍ବାଦ କାହାକୁ କିପରି ଜଣାଇବେ l ଏହା ଆଉ ବେଶିକ୍ଷଣ ଗୋପନ ରହିପାରିଲାନାହିଁ l ଯୁଧିଷ୍ଠିର ଭୀମ ନକୁଳ ଓ ସହଦେବ ଜାଣିଲେ, ଯଦୁବଂଶ ଧ୍ବଂସ ହୋଇଛି l ଶ୍ରୀକୃଷ୍ଣ ଦେହତ୍ୟାଗକରି ସ୍ଵଧାମ ଫେରି ଯାଇଛନ୍ତି l ସମସ୍ତେ ଅତୀତକୁ ରୋମନ୍ଥନ କରି ବିକଳ ହୋଇ କାନ୍ଦିବାରେ ଲାଗିଲେ l ସମସ୍ତେ କହୁଥାନ୍ତି, ଆମକୁ କେତେ କେତେ ବିପଦ ପଡ଼ିନାହିଁ l କିନ୍ତୁ ଆମ ସଖା ଶ୍ରୀକୃଷ୍ଣ ଥିବାରୁ ତାହା ଆମେ ଅବଲୀଳାକ୍ରମେ ପାରି ହୋଇ ଯାଇଛନ୍ତି l ସେ ସବୁ ବେଳେ ଆମ ସାଥିରେ ରହି ଆସିଛନ୍ତି l ସେମାନେ ଏପରି ଭାବୁଭାବୁ ରାତି କ୍ରମେ ପାହି ଆସିଲା l
ନକୁଳ ମୁହଁଖୋଲିଲେ l ସେ କହିଲେ,ଦେଖ, ରାତି ଶେଷ ହୋଇ ଆସିଲାଣି l ଶ୍ରୀକୃଷ୍ଣଙ୍କ ଦେହ ତ୍ୟାଗ ବାର୍ତ୍ତା ପୁଜ୍ୟା ମାଆଙ୍କୁ ଓ ଅନ୍ତଃପୁର ରାଣୀ ମାନଙ୍କୁ ଜଣାଇବାକୁ ପଡ଼ିବ l ବାସୁଦେବ ଦେହତ୍ୟାଗ କରି ସାରିଛନ୍ତି, ଏବେ ଆମକୁ ଭଗବାନଙ୍କୁ ଭରସା କରି ମାଆଙ୍କୁ ଏ ଦାରୁଣସମ୍ବାଦ ଜଣାଇଦେବା l ସମସ୍ତେ ସ୍ଥିର କଲେ ଜ୍ୟେଷ୍ଠଭ୍ରାତା ଯୁଧିଷ୍ଠିର ଏହି ଦୁଃସମ୍ବାଦ ମାଆଙ୍କ ପାଖରେ ପହଞ୍ଚାଇବେ l
ସେଦିନ ଅର୍ଜୁନ ଦ୍ୱାରକାରୁ ଫେରୁଛନ୍ତି ଶୁଣି କୃଷ୍ଣଙ୍କ ଖବର ଜାଣିବା ପାଇଁ କୁନ୍ତୀ ପ୍ରଦୀପ ପ୍ରଜ୍ଵଳନ କରି ଶେଷ ଯାମ ଯାଏ ଅପେକ୍ଷା କରି ବସିଥିଲେ l ରାତି ପାହିଲା l ସିନ୍ଦୁରା ଫାଟିବା ପୂର୍ବରୁ କୁନ୍ତୀ ନିତ୍ୟକର୍ମ ଶେଷକରି ଅର୍ଜ୍ଜୁନଙ୍କ ପଥକୁ ଚାହିଁ ବସିଲେ l ମନେ ମନେ ସେ ଭାବୁଥାନ୍ତି କାହିଁ କାଲି ରାତିରେ ତ ମୋ ପୁତ୍ରମାନେ ମୋ ନିକଟକୁ ଆଶୀର୍ବାଦ ନେବା ପାଇଁ ଆସିଲେ ନାହିଁ l କିପରି ଏକ ଅଜ୍ଞାତଭୟରେ ତାଙ୍କ ଶରୀର କମ୍ପିତ ହେବାକୁ ଲାଗିଲା l
ଏହି ସମୟରେ ଜଣେ ବୃଦ୍ଧା ଦାସୀ ଖବର ଦେଲା, ଯୁଧିଷ୍ଠିରଙ୍କ ସହ ଅର୍ଜୁନ ତାଙ୍କ ନିକଟକୁ ଆସୁଛନ୍ତି l କିଛି ସମୟପରେ ଯୁଧିଷ୍ଠିର ଓ ଅର୍ଜୁନ ଦୁହେଁ ତାଙ୍କ କକ୍ଷରେ ପ୍ରବେଶକରି ନମସ୍କାରକଲେ l କୁନ୍ତୀ ଖୁବ୍ ବ୍ୟଗ୍ର ହୋଇ ତାଙ୍କୁ ଦ୍ୱାରକାର କୁଶଳ ପ୍ରଶ୍ନକଲେ l ସେ କହିଲେ,କୁହ ଆମ କୃଷ୍ଣ କି ଖବର ଦେଇଛନ୍ତି, କେବେ ଆସିବେ କହିଛନ୍ତି l ଦୁଇ ପୁତ୍ରଙ୍କୁ ସେ ଆଉ କହିବାକୁ ସୁଯୋଗ ନଦେଇ ପ୍ରଶ୍ନପରେ ପ୍ରଶ୍ନ ପଚାରି ଚାଲିଲେ l ଅର୍ଜୁନ ପାଖରେ ଠିଆହୋଇ ଖାଲି ଅଶ୍ରୁ ବର୍ଷଣ କରୁଥାନ୍ତି l କୁନ୍ତୀ ତାଙ୍କୁ ଦେଖି ପାଖକୁ ଡାକି କୋହଭର କଣ୍ଠରେ ଧିରେ ମୁଣ୍ଡଆଉଁସି ପଚାରିଲେ, “କୁହ ବାବା କଅଣ ହୋଇଛି” l
ଦୁଇ ହାତରେ ମୁହଁ ଘୋଡ଼ାଇ କାନ୍ଦି କାନ୍ଦି ଯୁଧିଷ୍ଠିର କମ୍ପିତ ସ୍ୱରରେ କହିଲେ, ମାଆ ! ଆମ ବାସୁଦେବ ଆଉ ଇହଧାମରେ ନାହାଁନ୍ତି l ସେ ଆଜକୁ ଦଶଦିନ ହେବ ଦେହ ତ୍ୟାଗ କରି, ସ୍ଵଧାମ ଯାତ୍ରା କରିଛନ୍ତି l ସମସ୍ତ ଯଦୁକୁଳ ଧ୍ଵଂସହେବା ସହ ଦ୍ଵାରକା ନଗରୀ ମଧ୍ୟ ସାଗରରେ ନିମଜ୍ଜିତ ହୋଇଛି l ଶ୍ରୀକୃଷ୍ଣ ଆଉ ନାହାଁନ୍ତି,ଏକଥା କୁନ୍ତୀ ଶୁଣିବା ମାତ୍ରେ ” ହା କୃଷ୍ଣ ” କହି ସଂଜ୍ଞା ହରାଇ ଶଯ୍ୟା ଉପରେ ଟଳି ପଡ଼ିଲେ l କୃଷ୍ଣବିୟୋଗ ଖବର ହସ୍ତିନାରେ ତଡ଼ିତ୍ ବେଗରେ ପ୍ରଚାରିତ ହୋଇଗଲା l ସୁନ୍ଦର ପ୍ରଭାତରେ ହସ୍ତିନା ପୁରରେ ଖେଳି ଗଲା, ଶୋକର ଛାୟା l ସମସ୍ତଙ୍କ ଚକ୍ଷୁରୁ ଧାର ଧାର ଲୁହ ବୋହି ଯାଉଥିଲା l
!!! ଓଁ ଗୋବିନ୍ଦାୟ ନମଃ !!!
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.