ଗୁରୁଦେବ ନମଃ

ଆଶୁତୋଷ ନାୟକ

0

ଏ ସୃଷ୍ଟିର ଆରମ୍ଭରୁ ଏବଂ ଚାରି ଯୁଗରେ ଗୁରୁଙ୍କ ମହିମା ଅବର୍ଣ୍ଣନୀୟ | ଆମ ସମାଜରେ ସର୍ବଶେଷ୍ଟ୍ର ଆସନ ଅଳଙ୍କୃତ କରିଛନ୍ତି | ସେଥିପାଇଁ ଯୁଗେ ଯୁଗେ ଗୁରୁ ବନ୍ଦନୀୟ | ଏକବିଂଶ ଶତାବ୍ଦୀର ମନୁଷ୍ୟ ଯେପରି ବିଶୃଙ୍ଖଳିତ, ଅମାନବୀୟ, ଅନୈତିକ ଆଚରଣ ପ୍ରଦର୍ଶନ କରୁଛି ଧୀରେ ଧୀରେ ମନୁଷ୍ୟ ହିଂସ୍ର ପଶୁଙ୍କ ପରି ହତ୍ୟା, ଗଣଧର୍ଷଣ, ଧର୍ଷଣ, ବ୍ୟଭିଚାର, ପରି ଜଘନ୍ୟ ଅପରାଧ କରୁଛି ଏବଂ ତା ମଧ୍ୟରେ ନୈତିକ ମୂଲ୍ୟବୋଧର ଅବକ୍ଷୟ ଘଟୁଛି ଏହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଦୁଃଖଦାୟକ | ଆମ ସମାଜକୁ ଶୃଙ୍ଖଳିତ ଏବଂ ମନୁଷ୍ୟ ଆଚରଣ ଓ ସ୍ୱଭାବର ପରିବର୍ତ୍ତନ ଆଣିବାକୁ ହେଲେ ଆଦର୍ଶ ଗୁରୁଙ୍କୁ ନୀତି, ଆଦର୍ଶରେ ତାଙ୍କ ମାର୍ଗଦର୍ଶନରେ ଆମକୁ ଚାଲିବାକୁ ପଡିବ ଅନ୍ୟଥା ଆମର ଜୀବନ ଘୋର ଅନ୍ଧକାର ମଧ୍ୟକୁ ଢେଲି ହୋଇଯିବ |

ସ୍ୱାମୀବିବେକାନନ୍ଦ ପରି ମହାପୁରୁଷ ଯୁଗଜନ୍ମା ଯେତେବେଳେ ଇଶ୍ୱରଙ୍କ ସାନିଧ୍ୟ ପାଇବା ପାଇଁ ଅନେକ ସ୍ଥାନ କୁ ଗମନ କରିଥିଲେ ତାଙ୍କ ମନରେ ଭଗବାନଙ୍କୁ ନେଇ ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଥିଲା ହେଲେ କେହି ଭି ତାଙ୍କୁ ସନ୍ତୋଷଜନକ ଉତ୍ତର ଦେବାକୁ ସକ୍ଷମ ହୋଇନଥିଲେ | ଶେଷରେ ସ୍ୱାମୀ ବିବେକାନନ୍ଦ ଆଦର୍ଶ ଗୁରୁ ରାମକୃଷ୍ଣ ପରମହଂସଙ୍କ ସାନିଧ୍ୟ ପାଇଲେ ଏବଂ ତାଙ୍କର ମାର୍ଗଦର୍ଶନ, ଆଶୀର୍ବାଦ, କୃପାରୁ ତାଙ୍କର ଦିବ୍ୟଜ୍ଞାନର ଉଦୟ ହେଲା ଏବଂ ତାଙ୍କ ମନରେ ଥିବା ଅସମାହିତ ପ୍ରଶ୍ନକୁ ଉତ୍ତର ପାଇବାକୁ ସକ୍ଷମ ହେଲେ |

ଇତିହାସର ପୃଷ୍ଠାକୁ ଆଲୋଚନା ପର୍ଯ୍ୟାଲୋଚନା କଲେ ଏହା ସ୍ରଷ୍ଟ ଭାବେ ପ୍ରତୀୟମାନ ହୁଏଯେ ଆଦର୍ଶ ଗୁରୁଙ୍କ ଆଶୀର୍ବାଦ ବିନା ମନୁଷ୍ୟ ସଫଳତାର ଶୀର୍ଷରେ ପହଞ୍ଚିବା ଅସମ୍ଭବ | ମନୁଷ୍ୟର ଜୀବନକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ କରିବାରେ ଆଦର୍ଶ ଗୁରୁଙ୍କ ଭୂମିକା ଅବର୍ଣ୍ଣନୀୟ | ମହାନ ସ୍ୱାଧୀନତା ସଂଗ୍ରାମୀ ଜାତିର ପିତା ମହାତ୍ମାଗାନ୍ଧୀ, ମହାପୁରୁଷ ଦିବ୍ୟପୁରୁଷ ତଥା ବିଦ୍ୱାନୀ ସନ୍ଥ ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ଆରମ୍ଭକରି କ୍ରିକେଟର ଭଗବାନ କୁହାଯାଉଥିବା ଭାରତରତ୍ନ ଉପାଧି ହାସଲ କରିଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ପ୍ରଯ୍ୟନ୍ତ ଏପରି ଅନେକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ସୁପ୍ରତିଷ୍ଠିତ କରିପାରିଛନ୍ତି | ସେମାନଙ୍କ ସଫଳତା ପଛରେ ରହିଛି ତାଙ୍କ ଗୁରୁଙ୍କର ପ୍ରମୁଖ ଭୂମିକା | ଏହାକୁ କେହିକେବେ ଅସ୍ବୀକାର କରିପାରିବେ ନାହିଁ |

ଅର୍ଜୁନଙ୍କ ରଥର ସାରଥୀ ସାଜି ଭଗବାନ ଶ୍ରୀକୃଷ୍ଣ ସାରା ମାନବ ସମାଜକୁ ଏହି ବାର୍ତ୍ତା ଦେଇଛନ୍ତି ଯେ ଆଦର୍ଶ ଗୁରୁଙ୍କ ବିନା ଜୀବନରେ ସଫଳତା ପାଇବା ଅସମ୍ଭବ |ଗୁରୁଙ୍କ ଆଶୀର୍ବାଦ ରହିଲେ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିବ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ | ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଶିଷ୍ୟ ଭାବରେ ବିବେଚନା କରିଥିବାରୁ ତାଙ୍କୁ ନିଜର ଦିବ୍ୟଦୃଷ୍ଟି ପ୍ରଦାନ କରିଥିଲେ |

ଏହି ଦିବ୍ୟଦୃଷ୍ଟି ବଳରେ ଅର୍ଜୁନ ଭଗବାନଙ୍କ ବିରଳ ବିଶ୍ୱରୂପ ଦେଖିବାକୁ ସମର୍ଥ ହୋଇଥିଲେ | ଭଗବାନ ଶ୍ରୀକୃଷ୍ଣଙ୍କ ଅପାର କରୁଣା ଆଶୀର୍ବାଦ ବଳରେ ମହାଭାରତ ଯୁଦ୍ଧରେ ବିଜୟ ଲାଭ କରିବାକୁ ପଞ୍ଚ ପାଣ୍ଡବ ସମର୍ଥ ହୋଇଥିଲେ ଏବଂ ବିଧର୍ମୀ ମହାପରାକ୍ରମଶାଳୀ କୌରବସେନାଙ୍କ ବଂଶ ନିପାତ କରିଥିଲେ |

ମନୁଷ୍ୟକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକରେ ପରିଚାଳିତ କରିବା ପାଇଁ ଆଦର୍ଶ ଗୁରୁଙ୍କ ସାନିଧ୍ୟ୍ୟ ପାଇବା ଅତ୍ୟନ୍ତ ଆବଶ୍ୟକ | ଆଦର୍ଶ ଗୁରୁ ହେଉଛନ୍ତି ଆମର ପଥ ପ୍ରଦର୍ଶକ, ମାର୍ଗଦର୍ଶକ, ବନ୍ଧୁ, ସଖା | ତାଙ୍କ ଉପଦେଶ, ନୀତି, ଆଦେଶ ମାନିବା ଆମର କର୍ତ୍ତବ୍ୟ, ଆମେ ତାଙ୍କର ଆଜ୍ଞାଧୀନ |ସେଥିପାଇଁ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ନିଜର ମୁଖ ନିଃସୃତ ବାଣୀ ଭଗବତ ଗୀତାରେ ଅର୍ଜୁନଙ୍କୁ କହିଛନ୍ତି

“ଗୁରୁ ନଧରି ଅର୍ଜୁନ

କାହୁଁ ପାଇବୁ ସଦଜ୍ଞାନ “|

ଏକବିଂଶ ଶତାବ୍ଦୀର ମନୁଷ୍ୟ ଆଦର୍ଶ ଗୁରୁଙ୍କ ଠାରୁ ଦୂରେଇ ଯାଇ ଅସତ୍ୟ, ଛଳନା, ହିଂସା, କପଟତା, ଅଧର୍ମର ସାହାରା ନେଉଛି ଏବଂ ଧୀରେ ଧୀରେ ତାମନରୁ ମାନବିକତା, ସ୍ନେହ, ପ୍ରେମ, ଦୟା, କ୍ଷମା, କରୁଣା ଲୋପ ପାଉଛି |ସେଥିପାଇଁ ନିଜର ରକ୍ତ ସମ୍ପକୀୟ ଜନ୍ମଦାତା ପିତା ଏବଂ ଜନ୍ମଦାତ୍ରୀ ମାତାଙ୍କୁ ମଧ୍ୟ୍ୟ ଆଜିର ସ୍ୱାର୍ଥପର ଅହଂକାରୀ ମନୁଷ୍ୟ ଅକଥନୀୟ ଅତ୍ୟାଚାର କରୁଛି | ଅନେକ ସମୟରେ ସେ ନିରୀହ ପିତାମାତାଙ୍କୁ ହତ୍ୟା କରୁଛି, ସାମାନ୍ୟ ଟଙ୍କା, ଜମିବାଡ଼ି ପାଇଁ ନିଜର ରକ୍ତ ସମ୍ପର୍କୀୟଙ୍କୁ ହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହିଁ | ନୈତିକ ମୂଲ୍ୟବୋଧ ଅଭାବ , ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ, ବିଶୃଙ୍ଖଳିତ ଅସାମାଜିକ ବ୍ୟକ୍ତିଙ୍କ ପରୋଚନା ରେ ପଡି ମନୁଷ୍ୟର ଜୀବନ କଳୁଷିତ ହେବାର ଲାଗିଛି | ସେଥିପାଇଁ ଅନେକାଂଶରେ ଆମ ଶିକ୍ଷା ବ୍ୟବସ୍ଥା ଦାୟୀ |

ନୈତିକ ମୂଲ୍ୟବୋଧର ଶିକ୍ଷା ଏବେ ଅତ୍ୟନ୍ତ ଆବଶ୍ୟକ ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ | ଆଦର୍ଶ ଗୁରୁଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିଜ ଜୀବନରେ ଏହାକୁ ଉପଯୋଗ କରିପାରିଲେ ଆମ ଜୀବନ ଶୃଙ୍ଖଳିତ, ସୁନ୍ଦର ଏବଂ ଶାନ୍ତିପୂର୍ଣ୍ଣ ହୋଇପାରିବ ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ |

ବିଦ୍ୟା କେବେ ପୁଳା ପୁଳା ଟଙ୍କା ଏବଂ ବାଟି ବାଟି ସମ୍ପତ୍ତି ଅର୍ଜନ କରିବାକୁ ଶିକ୍ଷା ଦିଏ ନାହିଁ | ମନ ଭିତରେ ଅହଂ ଭାବନା ଆସିଲେ ଆମର ଶିକ୍ଷା ମୂଲ୍ୟହୀନ |ଉଦାରବାଦୀ, ନିର୍ଭିକ, ସରଳ,ନମ୍ର, ବ୍ୟକ୍ତି ହି ପକୃତ ଆଦର୍ଶ ଶିକ୍ଷକ ପଦବାଚ୍ୟ | ପ୍ରକୃତି ର ଜୀବଜନ୍ତୁ, କୀଟପତଙ୍ଗ ଠାରୁ ଆରମ୍ଭ କରି ଉଦ୍ଭିଦ ପ୍ରଯ୍ୟନ୍ତ ଆମକୁ ବହୁତ କିଛି ଶିକ୍ଷା ମିଳେ | ବିନମ୍ରତା ସହନଶିଳତା ଆମକୁ ଉଦ୍ଭିଦ ଠାରୁ ଶିକ୍ଷା ମିଳିଥାଏ | ପରିଶ୍ରମ,ନିଷ୍ଠା, ଉଦ୍ୟମ ଆମକୁ ମହୁମାଛି ଶିକ୍ଷା ଦେଇଥାଏ | ଜନ୍ଦା, ପିମ୍ପୁଡି ଙ୍କ ପରି ଛୋଟ କୀଟପତଙ୍ଗ ମାନଙ୍କ ଠାରୁ ଶୃଙ୍ଖଳିତ ଜୀବନ ଶୈଳୀ ର ଶିକ୍ଷା ମିଳିଥାଏ | ସବୁଠାରୁ ବିଶ୍ଵସ୍ତ ପ୍ରାଣୀ କୁକୁର ଠାରୁ ଆମକୁ ବିଶ୍ୱସ୍ତତା ଶିକ୍ଷା ମିଳିଥାଏ | ଦୁବ ଘାସ କୁ ଲୋକମାନେ ପାଦରେ ଦଳି ଦିଅନ୍ତି, କିନ୍ତୁ ଦୁବ ଘାସ ଛୋଟ ହେଲେ ବି ଈଶ୍ୱର କାର୍ଯ୍ୟ ରେ ଲାଗି ଥାଏ | ଦୁବ ଘାସ ଠାରୁ ଆମକୁ ସହନଶୀଳତା ର ଶିକ୍ଷା ମିଳେ | ଉଚ୍ଚ ପର୍ବତ ମାଳା ଆମକୁ ବହୁତ କିଛି ଶିକ୍ଷା ଦିଏ | ମନୁଷ୍ୟ ଜୀବନ ରେ ଘଟୁଥିବା ଦୁଃଖ, କଷ୍ଟ, ବାଧା, ବିଘ୍ନ , ଘାତ ପ୍ରତିଘାତ କୁ କିପରି ସାହସ ର ସହିତ ମୁକାବିଲା କରିବାକୁ ହୁଏ ତାହା ପର୍ବତ ଠାରୁ ଶିକ୍ଷା ମିଳେ | ବିଶାଳ ସାଗର ମନୁଷ୍ୟ କୁ ସ୍ଥିତପ୍ରଜ୍ଞ ହେବା ପାଇଁ ଶିକ୍ଷା ଦିଏ | ଉଭୟ ସୁଖ ଓ ଦୁଃଖ ରେ ନିର୍ବିକାର ଅର୍ଥାତ ମନୁଷ୍ୟ ର ଆଚରଣ ଓ କାର୍ଯ୍ୟ ରେ କୌଣସି ପରିବର୍ତନ ହେବା ଉଚିତ ନୁହଁ | ସେଥିପାଇଁ ଏ ବିଶ୍ୱବ୍ରହ୍ମାଣ୍ଡ ରେ ମନୁଷ୍ୟ ଈଶ୍ୱର ଙ୍କର ସୁନ୍ଦର ସୃଷ୍ଟି ପ୍ରକୃତି ରୁ ଶିକ୍ଷା ଗ୍ରହଣ କରି ନିଜର ଆଚରଣ କୁ ପରିମାର୍ଜିତ କରିବା ଉଚିତ |

ଆଶୁତୋଷ ନାୟକ

ଗୋପାଳପୁର,, ବାଲେଶ୍ୱର,,

ମୋବାଇଲ- ୭୦୨୦୬୧୧୩୦୦

 

Leave A Reply

Your email address will not be published.