ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର

ଅର୍ଜୁନୀ ଚରଣ ବେହେରା

ଭାରତ ବର୍ଷରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀକୃଷ୍ଣ ମନ୍ଦିର ମାନଙ୍କ ମଧ୍ୟରେ କେରଳର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର ଅନ୍ୟତମ l ସେଠାରେ ଭଗବାନ ଶ୍ରୀକୃଷ୍ଣ ଚତୁର୍ଭୁଜ ନାରାୟଣ ରୂପରେ ବିରାଜିତ l କେରଳି ଭାଷାରେ ସେ ଏଠାରେ ଗୁରୁବାୟୁରାପ୍ପାନ୍ ଭାବେ ପରିଚିତ l ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପୀଠ ଭୂବୈକୁଣ୍ଠ ଭାବେ ବିଦିତ l ଏଠାରେ ଥିବା ଭଗବାନ କୃଷ୍ଣଙ୍କ ବିଗ୍ରହର ଗଠନ ଠିକ କଂସର କାରାଗୃହରେ ଜନ୍ମ କାଳରେ ପ୍ରଭୁ ପିତା ବସୁଦେବ ଓ ମା’ଦେବକୀଙ୍କୁ ଦେଖାଇଥିବା ରୂପ ସଦୃଶ l ଶ୍ରୀମଦ ଭାଗବତରେ ଏହା ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି l ପ୍ରଭୁଙ୍କ ନୀଳଜୀମୂତଦେହ କାନ୍ତି ବଳୟମଣି ପ୍ରାୟ ଝଟକୁ ଥିଲା l କଟିରେ ପୀତ ବସନ,ସୁନାସୂତା l ସୁବର୍ଣ୍ଣ ପଇତାର ଉତ୍ତରୀ l ପ୍ରଭୁ କିରୀଟ କୁଣ୍ଡଳ ଧାରଣ କରିଥିଲେ,ପାଦରେ ନୁପୁର ରୁଣୁଝୁଣୁ ବାଜୁଥିଲା l ସେ ଚାରି ଭୂଜରେ ଶଙ୍ଖ,ଚକ୍ର, ଗଦା,ପଦ୍ମ ଧାରଣ କରିଥିଲେ l ବକ୍ଷ ଦେଶରେ ଶ୍ରୀବତ୍ସ ଚିହ୍ନ ଶୋଭା ପାଉଥିଲା,ଏଭଳି ଏକ ଅପୂର୍ଵ ରୂପରେ ଭଗବାନ ବସୁଦେବ-ଦେବକୀଙ୍କୁ ଦର୍ଶନ ଦେଇଥିଲେ l
ଅପୂର୍ବ ରୂପେ ଯୋଗେଶ୍ୱର l
ଦେବ ମାନବେ ଅଗୋଚର ll
ପୌରାଣିକ କିମ୍ବଦନ୍ତୀରୁ ଜଣା ଯାଏ ଯେ ଏକଦା ଦେବଗୁରୁ ବୃହସ୍ପତିଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ବାୟୁରେ ଭାସି ବୁଲୁଥିବା କମନୀୟ ବିଗ୍ରହ ପ୍ରାପ୍ତ ହୋଇ ଥିଲା l ବୃହସ୍ପତି ସେହି ବିଗ୍ରହଙ୍କୁ ବାୟୁଙ୍କ ସହାୟତାରେ ନେଇ, ଗୁରୁବାୟୁର ମନ୍ଦିର ଠାରେ ସ୍ଥାପନ କରିଥିଲେ l ଗୁରୁ ଓ ବାୟୁ ଦେବଙ୍କ ଦ୍ୱାରା ସ୍ଥାପିତ ହୋଇ ଥିବା ବିଗ୍ରହ କ୍ରମେ ଲୋକମୁଖରେ ପରିଚିତ ହେଲେ ଗୁରୁବାୟୁରାପ୍ପାନ୍ ଏବଂ ସ୍ଥାନଟି ପରିଚିତ ହୋଇ ଥିଲା ଗୁରୁବାୟୁର ବୋଲି l ଏହା ମଧ୍ୟ କୁହାଯାଏ କି ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂଳ ମନ୍ଦିରକୁ ବୃହସ୍ପତି ସ୍ଥାପନ କରିଥିଲେ l
କେତେକ ପୌରାଣିକ ମତ ଅନୁସାରେ ଯଦୁବଂଶ ଧ୍ବଂସ କାଳରେ ଯେତେବେଳେ ଦ୍ଵାରକା ସମୁଦ୍ରରେ ନିମଜ୍ଜିତହେଲା ଓ ଭଗବାନ ଶ୍ରୀକୃଷ୍ଣ ମର୍ତ୍ତ୍ୟଲୀଳା ଶେଷ କରି ସ୍ଵଧାମ ପ୍ରତ୍ୟାବର୍ତ୍ତନ କଲେ କେତେକ ଯାଦବ ଶ୍ରୀକୃଷ୍ଣଙ୍କ ବିଗ୍ରହ ଗୋଟିଏ ଗୋଟିଏ ଧରି ଦକ୍ଷିଣ ଭାରତକୁ ପଳାଇଯାଇ ସେଠାରେ କୃଷ୍ଣଙ୍କ ମୂର୍ତ୍ତି ରଖି ମନ୍ଦିରମାନ ସ୍ଥାପନ କରିଥିଲେ l ସେହି ମନ୍ଦିର ମାନଙ୍କ ଭିତରେ ଥିଲା ଗୁରୁବାୟୁର l ଏଣୁ କୁହାଯାଏ ଗୁରୁବାୟୁର ମନ୍ଦିର ପାଞ୍ଚ ହଜାର ବର୍ଷ ପୁରୁଣା ବୋଲି l
ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ ଯେ ମହାରାଜ ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟ ପିତୃ ହନ୍ତା ତକ୍ଷକର ବଂଶ ନାଶ ଅର୍ଥେ ମହର୍ଷି ଉତ୍ତଙ୍କଙ୍କ ପରାମର୍ଶରେ ସର୍ପ ଯଜ୍ଞ କଲେ l ଆସ୍ତିକଙ୍କ ଉପଦେଶରେ ସର୍ପ ମାନଙ୍କର ଏହି ମହା ବିନାଶ ବନ୍ଦ ହୋଇ ତକ୍ଷକ ରକ୍ଷା ପାଇଗଲେ l ମାତ୍ର ସେତେ ବେଳକୁ କୋଟି କୋଟି ସର୍ପ ଯଜ୍ଞାଗ୍ନିରେ ଭଷ୍ମ ହୋଇ ସାରିଥିଲେ l ସର୍ପ ମାନଙ୍କ ନାଶ ଜନିତ ଅପରାଧରୁ ଜନ୍ମେଜୟ ଭୟଙ୍କର କୁଷ୍ଠ ବ୍ୟାଧିରେ ପୀଡ଼ିତ ହେଲେ l ଅତ୍ରୀ ଋଷିଙ୍କ ପୁତ୍ର ଅତ୍ରେୟ ଦିନେ ଆସି ତାଙ୍କୁ କହିଲେ, ତୁମେ ଏ ବ୍ୟାଧିରୁ ମୁକ୍ତିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣପଶ l ମହର୍ଷି ଅତ୍ରେୟଙ୍କ ଉପଦେଶ ଗ୍ରହଣ ପୂର୍ବକ ମହାରାଜା ଜନ୍ମେଜୟ ଗୁରୁଵାୟୁର ଠାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦଶ ମାସ ଧରି ପୂଜା କଲେ ଓ କୁଷ୍ଠ ବ୍ୟାଧିରୁ ଆରୋଗ୍ୟ ଲାଭ କଲେ l ପରେ ସେ ଏଠାରେ ଭଗବାନ କୃଷ୍ଣଙ୍କ ଏକ ଭବ୍ୟମନ୍ଦିର ନିର୍ମାଣ କଲେ l ଏସବୁ କିମ୍ବଦନ୍ତୀ ଓ ଆଖ୍ୟାୟିକା ଗୁରୁବାୟୁର ମନ୍ଦିରର ପ୍ରାଚୀନତାକୁ ସୂଚାଏ l
ଗୁରୁବାୟୁର ମନ୍ଦିରର ଉଲ୍ଲେଖ ତାମିଲ, କେରଳୀ ଏବଂ କାନାଡ଼ା ସାହିତ୍ୟ ମାନଙ୍କରେ ଦେଖାଯାଏ l
ଚତୁର୍ଦ୍ଦଷ ଶତାବ୍ଦୀରେ ରଚିତ ଶ୍ରୀନାରାୟଣୀୟମ୍ ସଂସ୍କୃତ ଗ୍ରନ୍ଥରେ ଗୁରୁଵାୟୁର ମନ୍ଦିର ସମ୍ବନ୍ଧରେ ବହୁ ବର୍ଣ୍ଣନା ରହିଛି l
ବହୁ ଦାନରେ ପୁଷ୍ଟ ଧନଶାଳୀ ଗୁରୁବାୟୁର ମନ୍ଦିର ଅନେକବାର ଲୁଣ୍ଠନକାରୀଙ୍କ ଆକ୍ରମଣର ଶିକାର ହୋଇଛି l ଦୀନାମାର ମାନେ ୧୭୧୬ ଖ୍ରୀଷ୍ଟାବ୍ଦରେ ମନ୍ଦିର ଲୁଣ୍ଠନ କରି ଏହାର ପଶ୍ଚିମ ଗୋପୁରମକୁ ପୋଡ଼ି ଦେଇଥିଲେ l ପୁଣି ସେମାନେ ୧୭୫୫ ରେ ମନ୍ଦିର ଲୁଣ୍ଠନ କରି, ଏଠାରେ ଗୋଟିଏ ମନ୍ଦିରକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ l ପୁରୋହିତ ମାନେ ଭୟରେ ମନ୍ଦିରଛାଡ଼ି ପଳାଇ ଯାଇଥିଲେ l
ମହୀଶୂରର ସୁଲତାନ ହାଇଦର ଅଲ୍ଲୀ ମନ୍ଦିରକୁ ଆକ୍ରମଣ କରି୧୭୬୬ ରେ ଦଶ ହଜାର ସ୍ବର୍ଣ୍ଣମୁଦ୍ରା ଦାବି କରିଥିଲେ ଓ ଏହାକୁ ପାଇ ଆକ୍ରମଣ ବନ୍ଦ କରିଥିଲେ l
ପୁଣି 1789 ଖ୍ରୀଷ୍ଟାବ୍ଦରେ ଟିପୁସୁଲତାନ ମନ୍ଦିରକୁ ଆକ୍ରମଣ କରି କେତୋଟି ଛୋଟ ମନ୍ଦିରକୁ ଭାଙ୍ଗି ପକାଇ ଥିଲେ l ପ୍ରବଳ ବର୍ଷା ହେବାରୁ ସେ ମୁଖ୍ୟ ମନ୍ଦିରକୁ ଭାଙ୍ଗି ନପାରି ପଳାୟନ କଲେ l ପରେ ୧୭୯୨ ରେ ସେ ଶ୍ରୀରଙ୍ଗପତ୍ତନମ୍ ଯୁଦ୍ଧରେ ବ୍ରିଟିଶ ମାନଙ୍କ ଠାରୁ ପରାଜିତ ହୋଇ ତାଙ୍କର ସାମ୍ରାଜ୍ୟ ହରାଇଥିଲେ l ଟିପୁ ସୁଲତାନଙ୍କ ଭୟରେ ମୁଖ୍ୟ ବିଗ୍ରହଙ୍କୁ ଗୋପ୍ୟ କରି ଦିଆ ଯାଇଥିଲା l ଟିପୁଙ୍କ ପତନ ପରେ ସେପ୍ଟେମ୍ବର ୧୭,୧୭୯୨  ରେ ପୁନଃ ପ୍ରଭୁ ମନ୍ଦିରରେ ସଂସ୍ଥାପିତ ହୋଇଥିଲେ l
ମନ୍ଦିରର ଉତ୍ତର ଭାଗରେ ଅବସ୍ଥିତ ପୁଷ୍କରିଣୀକୁ ରୁଦ୍ରତୀର୍ଥ କୁହାଯାଏ l କଥିତହୁଏ ଯେ, ଭଗବାନ ଶଙ୍କର ଏହି ପୁଷ୍କରିଣୀରେ ଏକ ହଜାର ବର୍ଷଧରି ସ୍ନାନ ତର୍ପଣ କରିଥିଲେ l ପ୍ରଭୁଙ୍କ ଏହି ପୀଠରେ ବହୁ ପ୍ରଖ୍ୟାତ ଭକ୍ତ ଗଣ ସାଧନା କରି ଯାଇଛନ୍ତି l ସେମାନଙ୍କ ମଧ୍ୟରେ ଅଛନ୍ତି, ଶ୍ରୀନାରାୟଣୀୟମ୍ ଗ୍ରନ୍ଥର ରଚୟିତା ନାରାୟଣ ଭଟ୍ଟତ୍ରି, ଶ୍ରୀ ପୁନ୍ଥମ୍ ନାମ୍ବୁଦ୍ରୀ,ବିଶ୍ୱମଙ୍ଗଳମ୍ ସ୍ୱାମୀ ଆଦି ସନ୍ଥ ମାନେ l ମନ୍ଦିର ପ୍ରବେଶ ନିମନ୍ତେ ଏକ ସ୍ୱତନ୍ତ୍ରବସ୍ତ୍ର ଧାରଣ କରିବାକୁ ପଡ଼ିଥାଏ l ଗୁରୁବାୟୁର ମନ୍ଦିର ପୋଷା ହାତୀ ମାନଙ୍କ ପାଇଁ ବିଶ୍ୱ ବିଖ୍ୟାତ l ଏହି ହାତୀ ମାନଙ୍କୁ ମନ୍ଦିରକୁ ଭକ୍ତ ମାନେ ଦାନ ଦେଇଥାନ୍ତି l ଏଠାରେ ଥିବା ହସ୍ତୀ ମାନଙ୍କୁ ଜୀବନ୍ତ ଭଗବାନ ଜ୍ଞାନ କରାଯାଏ l
ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ପଦ୍ଧତି ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ନିର୍ଦ୍ଧାରିତ l ନାମ୍ବୁଦ୍ରୀପଦ ବ୍ରାହ୍ମଣ ମାନେ ଏଠାରେ ପୂଜକ l ମନ୍ଦିରର ରୀତି ସରକାରୀ ଟ୍ରଷ୍ଟବୋର୍ଡ ଦ୍ୱାରା ପରିଚାଳିତ ହୋଇ ଆସୁଛି l ଏଠାରେ ବର୍ଷ ସାରା ବିଭିନ୍ନ ପର୍ବ ଲାଗି ରହିଥାଏ l କୁମ୍ଭ ଉତ୍ସବ,କୃଷ୍ଣଜନ୍ମାଷ୍ଟମୀ ଏଠାରେ ବହୁ ଆଡମ୍ବରରେ ପାଳିତ ହୋଇ ଥାଏ l ବୃଶ୍ଚିକ ଏକାଦଶୀ ଗୁରୁଵାୟୁର ଏକାଦଶୀଭାବେ ପାଳିତ ହୋଇଥାଏ l
ଦକ୍ଷିଣଭାରତର ଏହି ପ୍ରସିଦ୍ଧ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିର ପର୍ଯ୍ୟଟକ ତଥା ଭକ୍ତ ମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ l ବର୍ଷସାରା ଏଠାରେ ଭକ୍ତ ମାନଙ୍କର ଭିଡ଼ ଲାଗି ରହିଥାଏ l
“ଓଁ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ
ହେ ନାରାୟଣ ହେ ବାସୁଦେବ l”

ଅର୍ଜୁନୀ
ମୋ -7693091971

Comments are closed.