ଜମ୍ମୁ ଓ କଶ୍ମୀରରେ ଗିରଫ ହେଲେ ୫ ‘ଲଶ୍କର୍‌-ଏ-ତୈବା’ର ଆତଙ୍କବାଦୀ

ଶ୍ରୀନଗର: ୨ଟି ଆତଙ୍କବାଦୀ ସହଯୋଗୀ ସଙ୍ଗଠନ ଠାବ କରିବା ପରେ ରବିବାର ଦିନ କୁଲ୍‌ଗାମ ପୁଲିସ ଜମ୍ମୁ ଓ କଶ୍ମୀରରେ ୫ଜଣ ‘ହାଇବ୍ରିଡ୍‌’ ଆତଙ୍କବାଦୀଙ୍କୁ ଗିରଫ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ସୂଚନାଯୋଗ୍ୟ, ‘ହାଇବ୍ରିଡ୍‌’ ଆତଙ୍କବାଦୀମାନେ ସ୍ବାଭାବିକ ସାମାଜିକ ଜୀବନଯାପନ କରନ୍ତି ଓ ଆବଶ୍ୟକ ବେଳେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହନ୍ତି। ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ଆଦିଲ୍‌ ହୁସେନ୍‌ ୱାନି, ସୁହୈଲ୍‌ ଅହମଦ୍‌ ଦର୍‌, ଏତ୍‌ମାଦ୍ ଅହମଦ୍‌ ଲାୱେ, ମେହରାଜ ଅହମଦ୍‌ ଲୋନି ଓ ସବ୍‌ଜର୍‌ ଅହମଦ୍‌ ଖାର୍‌। ଆତଙ୍କବାଦୀ ସଂଗଠନ ‘ଲଶ୍କର୍‌-ଏ-ତୈବା’ ସହିତ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ।

ଏହି ଅଭିଯାନରେ ଉଦ୍ଧାର କରାଯାଇଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରେ ଅଛି ୨ଟି ପିସ୍ତଲ୍‌, ୩ଟି ଗ୍ରେନେଡ୍‌ , ଗୋଟିଏ ୟୁବିଜିଏଲ୍‌ ଓ ଅନ୍ୟାନ୍ୟ ଆଗ୍ନେୟାସ୍ତ୍ର।

କ୍ବାଇମୋହ୍‌ ଥାନାରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, ଉତ୍ତର କଶ୍ମୀର ଅଞ୍ଚଳର ବନ୍ଦିପୋରା ଅଞ୍ଚଳରେ ପୁଲିସ ଏକ ଆତଙ୍କବାଦୀ ସହଯୋଗୀ ସଙ୍ଗଠନ ଠାବ କରି ଅସ୍ତ୍ରଶସ୍ତ୍ର ରଖିଥିବା ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିବାର ପ୍ରାୟ ମାସକ ପରେ ଉପରୋକ୍ତ ଘଟଣା ଘଟିଛି।

୨୬ ଆସାମ ରାଇଫଲ୍‌ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ମିଳିତ ଅଭିଯାନ ସମୟରେ ସେ ଦୁହିଁଙ୍କୁ ଗିରଫ କରାଯାଇଥିଲା।

Comments are closed.