ଘରେ ଶୋଇଥିବା ବେଳେ ଲଗାଇ ଦେଲେ ନିଆଁ: ଦମ୍ପତି ଗୁରୁତର

ଉଦଳା: ଯୁବକ ଘଟାଇଲେ ନାରକୀୟ କାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ଘରେ ନିଆଁ ଲଗାଇଦେଲେ ଯୁବକ। ଘରେ ଶୋଇଥିବା ବେଳେ ନିଆଁ ଲାଗିବା ଫଳରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ସ୍ୱାମୀ ଏବଂ ସ୍ତ୍ରୀ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନୂଆସାହି ଗ୍ରାମରେ।
ସୂଚନା ଅନୁଯାୟୀ, ନୂଆସାହି ଗ୍ରାମର ଅର୍ଜୁନ ଦଣ୍ଡପାଟଙ୍କର ପଡ଼ୋଶୀ ବିଶିକେଶନ ଭୂୟାଁଙ୍କ ସହିତ ପୂର୍ବ ଶତ୍ରୁତା ରହିଥିଲା। ତେବେ ଗତକାଲି ଅର୍ଜୁନ ଏବଂ ତାଙ୍କ ସ୍ତ୍ରୀ ଘରେ ଶୋଇଥିବା ଅବସ୍ଥାରେ ବିଶିକେଶନ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ନିଆଁରେ ଘର ଜଳିଯିବା ସହିତ ପୋଡ଼ି ହୋଇ ଅର୍ଜୁନ ଏବଂ ତାଙ୍କ ସ୍ତ୍ରୀ ସୁମତି ଦଣ୍ଡପାଟ ଗୁରୁତର ହୋଇଥିଲେ।
ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଏକ ନାରକୀୟ କାଣ୍ଡ ଯୁବକ ଭିଆଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ କପ୍ତିପଦା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.